ଉତ୍ତରପ୍ରଦେଶ ଏସପି-ବିଏସପି ମେଂଟ ନେଇ କାଲି ହୋଇପାରେ ଘୋଷଣା ! ସରିଛି ଆସନ ବୁଝାମଣା, ଛିଣ୍ଡୁନି ଆରଏଲଡିର ଅଙ୍କ ।

75

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମେଂଟ ନେଇ ଆସନ୍ତାକାଲି ହୋଇପାରେ ଘୋଷଣା । ସପା ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ବସପା ସୁପ୍ରିମୋ ମାୟାବତୀ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିପାରନ୍ତି । ତେବେ ମେଂଟରେ ରାଷ୍ଟ୍ରୀୟ ଲୋକଦଳକୁ ନେଇ ଏବେବି ଦ୍ୱନ୍ଦ ଲାଗିରହିଛି । କାରଣ ଅଜିତ ସିଂଙ୍କ ପାର୍ଟି ମହାମେଂଟରେ ୫ଟି ଆସନ ଦାବି କରୁଛି । କିନ୍ତୁ ଆରଏଲଡିକୁ ସପା ଓ ବସପା ୩ଟି ଆସନ ଦେବା ପାଇଁ ସ୍ଥିର କରିଛନ୍ତି ।

ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମେଂଟ ନେଇ ଦୀର୍ଘ ଦିନ ଧରି ଆଲୋଚନା ଜାରି ରହିଛି । ସପା ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ଲକ୍ଷେ୍ମøରେ ମିଳିତ ସାମ୍ବାଦିକ ସମ୍ମିଳନି ହେବ ବୋଲି ଉଲ୍ଲେଖ ରହିଛି । ଏକ ସପ୍ତାହ ପୂର୍ବରୁ ନୂଆଦିଲ୍ଲୀରେ ଅଖିଲେଶ ଓ ମାୟାବତୀଙ୍କ ମଧ୍ୟରେ ବୈଠକରେ ଆଲୋଚନା ହୋଇଥିଲା । ପ୍ରାୟ ଦେଢ ଘଂଟା ପର୍ଯ୍ୟନ୍ତ ଏହି ଆଲୋଚନା ଚାଲିଥିଲା ।

ତେବେ ବୈଠକ ପରେ ମିଳିଥିବା ସୂଚନା ଅନୁସାରେ ମେଂଟ ଓ ଆସନ ଭାଗବଂଟା ନେଇ ଆଲୋଚନା ହୋଇଥିଲା । ଏବଂ ଏହାର କେବଳ ଔପଚାରିକ ଘୋଷଣା ବାକି ଅଛି । କୁହାଯାଉଛି ୟୁପିର ୩୫ଟି ଆସନରୁ ନିର୍ବାଚନ ଲଢିବ ସମାଜବାଦୀ ପାର୍ଟି । ଏବଂ ୩୬ଟି ଆସନରୁ ନିର୍ବାଚନ ଲଢିବ ବହୁଜନ ସମାଜ ପାର୍ଟି । ସେପଟେ ୩ଟି ଆସନ ଅଜିତ ସିଂଙ୍କ ରାଷ୍ଟ୍ରୀୟ ଲୋକଦଳକୁ ଓ ୪ଟି ଆସନ ସଂରକ୍ଷିତ ରଖିବାକୁ ସହମତି ହୋଇଛି । ଅପରପକ୍ଷରେ ଅମେଠି ଓ ରାୟବରେଲିରେ ମେଂଟ ପକ୍ଷରୁ କୌଣସି ପ୍ରାର୍ଥୀ ଲଢିବେ ନାହିଁ ବୋଲି ଜଣାପଡିଛି । ଆମେଠିରୁ ରାହୁଲ ଓ ରାୟବରେଲିରୁ ସୋନିଆ ସାଂସଦ ଅଛନ୍ତି ।