ଦୀପାଞ୍ଚଳକୁ ବିପଦପୂର୍ଣ୍ଣ ନୌକା ଯାତ୍ରା । ମହାନଦୀ ମଝି ଟାପୁରେ ଥିବା ଗାଁକୁ ଯୋଡି ପାରିନି ସେତୁ କି ଗାଁ, ପାଣି ପାରି ପାଇଁ କାଠ ଡଙ୍ଗା ଭରସା ।

376

କନକ ବ୍ୟୁରୋ : ଦିନେ ନୁହେଁ କି ମାସେ ନୁହେଁ, ବିପଦ ସଙ୍କୁଳ ଅବସ୍ଥାରେ ବର୍ଷକୁ ଛଅରୁ ସାତ ମାସ ମହାନଦୀ ପାର ହେଉଛନ୍ତି ଲୋକେ । ୫୦ ବର୍ଷ ହେବ ଦୀପାଂଚଳକୁ ସ୍ଥାୟୀ ରାସ୍ତା ବା ପୋଲ ଟିଏ ହୋଇପାରୁନାହିଁ । ଫଳରେ ମହାନଦୀ ମଝି ଟାପୁରେ ରହୁଥିବା ୨ଟି ଗାଁର ଶତାଧିକ ଲୋକ ଗୋଟିଏ ଡଙ୍ଗା ଭରସାରେ ନଦୀ ପାରି ହୋଇ ପଂଚାୟତ ଓ ବ୍ଲକ ମୁଖ୍ୟାଳୟକୁ ଯା’ଆସ କରୁଛନ୍ତି । ଅନ୍ୟଦିନରେ ଯାହା ଯେମିତି ଦିନ କଟି ଯାଉଥିବା ବେଳେ ବର୍ଷା ଦିନେ ସ୍ଥିତି ପୁରା ସଙ୍ଗୀନ ହୋଇପଡୁଛି । ଅପରପକ୍ଷେ ନଦୀରେ ପୋଲ ନିର୍ମାଣ କାମ ଚାଲିଛି ଯେ ଚାଲିଛି କେବେ ସରିବ ତାର ଠିକଣା ନାହିଁ ।

ବିପଦ ସଂକୁଳ ନୌକା ଯାତ୍ରା । ଦୀପାଂଚଳକୁ ଡଙ୍ଗା ଭରସା । ଏମିତି ଡଙ୍ଗାରେ ମହାନଦୀ ପାରି ହୋଇ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ । ଦୀପାଂଚଳ ସ୍କୁଲକୁ ପାଠ ପଢାଇବା ପାଇଁ ଯାଉଛନ୍ତି ଶିକ୍ଷୟିତ୍ରୀ । ପିଡିଏସ ସାମଗ୍ରୀ, ସ୍ୱାସ୍ଥ୍ୟସେବା, ରାସନ୍ ସାମଗ୍ରୀ ପାଇଁ ବି ଏହି ଡଙ୍ଗା ହିଁ ଏକ ମାତ୍ର ଭରସା । ମହାନଦୀ ମଝି ଟାପୁରେ ଗାଁ ଥିବା ବେଳେ ନଦୀ ଆରପଟେ ରହିଛି ଚାଷ ଜମି । ତେଣୁ ଚାଷ କାମ ପାଇଁ ପ୍ରତିଦିନ ନଦୀ ପାରି ହେବାକୁ ପଡୁଛି । କେତେ ବେଳେ କଣ ଘଟିବ ତାର ଠିକଣା ନାହିଁ । ଏହି ଦୁଃଖଦ ଘଟଣା କେଉଁ ଉପାନ୍ତ ଅଂଚଳର ନୁହେଁ, ଏହା ହେଉଛି ଜଗତସିଂହପୁର କୁଜଙ୍ଗ ବ୍ଲକ ବଡ ବାଲିକଣି ପଂଚାୟତ କାଳିକୁଦ ଓ ଚୌଧୁରୀକୁଦ ଗାଁର ।

ଉପକୂଳବର୍ତ୍ତୀ ଅଂଚଳର ଏହି ୨ଟି ଗାଁରେ ପ୍ରାୟ ୨ଶହରୁ ଅଧିକ ପରିବାର ରୁହନ୍ତି । କାଳିକୁଦ ଓ ଚୌଧୁରୀକୁଦ ଗାଁର ଲୋକ ସଂଖ୍ୟା ୧ ହଜାରରୁ ଅଧିକ । ଗାଁ ୨ଟିକୁ ଘେରି ରହିଛି ମହାନଦୀ ଓ ଶାଖା ନଦୀ ପାଇକା । ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଛି । ଗତ କିଛି ବର୍ଷ ହେବ ବିଦ୍ୟୁତ ସଂଯୋଗ ବି ଦିଆଯାଇଛି । ହେଲେ ଗାଁ ୨ଟିକୁ ସ୍ଥାୟୀ ଭାବେ ପଂଚାୟତ ମୁଖ୍ୟାଳୟ ସହ ସଂଯୋଗ କରିବା ପାଇଁ ପାଇକା ନଦୀରେ ନିର୍ମାଣଧୀନ ଥିବା ପୋଲ କାମ କେବେ ସରିବ ତାହା କାହାକୁ ଜଣାନାହିଁ ।

ଖରା ଦିନେ ନଦୀ ଶୁଖିଲା ରହୁଥିବାରୁ ଗମନାଗମନରେ ଅସୁବିଧା ହେଉନଥିବା ବେଳେ ବର୍ଷକୁ ୬-୭ ମାସ ନଦୀରେ ପାଣି ରହୁଛି । ତେଣୁ ଲୋକଙ୍କୁ ବିପଦ ସଂକୁଳ ନୌକା ଯାତ୍ରା କରିବାକୁ ପଡୁଛି । ଗାଁ ୨ଟିର ସମସ୍ୟା ସମ୍ପର୍କରେ ବ୍ଲକ ପ୍ରଶାସନ ଅବଗତ ଅଛନ୍ତି, ନଦୀରେ ପାଣି କମିଲେ ଗାଁକୁ ଅସ୍ଥାୟୀ ରାସ୍ତା କରାଯିବ । ଏହାସହ ପୋଲ କାମକୁ ତ୍ୱରାନିତ କରାଯିବ ବୋଲି କହିଛନ୍ତି ବିଡିଓ । ତେବେ ପ୍ରତିଦିନ ଜୀବନକୁ ବାଜି ଲଗେଇ ଡଙ୍ଗା ସାହାଯ୍ୟରେ ଯା’ଆସ କରୁଥିବା ଲୋକେ ଅନେକ ସମୟରେ ସରକାରଙ୍କ ବହୁ ଯୋଜନାରୁ ବଂଚିତ ହେଉଥିବାର କୁହାଯାଉଛି ।