ବିପଦକୁ ଖୋଲା ନିମନ୍ତ୍ରଣ । ଗମନାଗମନ ପାଇଁ ନାହିଁ ରାସ୍ତା, ପୁରୁଣା ଦେଶୀ ଡଙ୍ଗା ପାଲଟିଛି ଭରସା ।

276

କନକ ବ୍ୟୁରୋ : ଏବେ ମଣିଷ ଜହ୍ନରେ ଘର କରିବାକୁ ଚିନ୍ତା କରୁଛି । ସରକାର ଡିଜିଟାଲ ଇଣ୍ଡିଆର କଥା କହୁଛନ୍ତି । ହେଲେ ଆଜି ବି ରାଜ୍ୟର ଅନେକ ସ୍ଥାନକୁ ଗମନାଗମନ ସୁଗମ ହୋଇନାହିଁ । ଯେଉଁଠି ଲୋକେ ଦୈନନ୍ଦିନ କାର୍ଯ୍ୟ ପାଇଁ ବିପଦକୁ ନିମନ୍ତ୍ରଣ କରି ଦେଶୀ ଡଙ୍ଗା ଉପରେ ନିର୍ଭର କରୁଛନ୍ତି । ଗୋଲାମୁଣ୍ଡରୁ ଦେଖିବା ଦେଶୀ ଡଙ୍ଗାରେ ଜୀବନ ।

ବିପଦକୁ ବରଣ କରି ପ୍ରତିଦିନ ଦେଶୀ ଡଙ୍ଗାରେ ଚିରସ୍ରୋତା ତେଲ ନଦୀ ପାରି ହେଉଛନ୍ତି କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ହଜାର ହଜାର ଲୋକ । ବ୍ଲକର ବଡ଼ଚେରଗାଁ, ଉଛୁଲା, ଚହାକା, ନୂଆଗାଁ ପଂଚୟତର ହଜାର ହଜାର ଲୋକ ଦୈନନ୍ଦିନ କାର୍ଯ୍ୟ ପାଇଁ ବହୁ ପୁରୁଣା ଦେଶୀ ଡଙ୍ଗାକୁ ହିଁ ଭରସା କରି ବଞ୍ଚୁଛନ୍ତି । କାରଣ ଏହି ଦେଶୀ ଡଙ୍ଗାରେ ନଦୀ ପାରି ନହେଲେ ପ୍ରାୟ ୬୦ରୁ ୮୦ କିଲୋମିଟର ରାସ୍ତା ଅତିକ୍ରମ କରି ସଦର ମହୁକମା ଓ ଭବାନୀପାଟଣାକୁ ଯିବାକୁ ପଡିବ ।

ଖରା ଓ ଶୀତ ଦିନରେ ଲୋକେ ଯାହା ଯେମିତି ଡଙ୍ଗାରେ ନଦୀ ପାର ହେଉଥିବା ବେଳେ ବର୍ଷା ଦିନ କଥା କହିଲେ ନସରେ । ସେପଟେ ସ୍ଥାନୀୟ ଅଂଚଳବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ୩ ବର୍ଷ ତଳୁ ତେଲ ନଦୀ ଉପରେ ବଡଚେରଗାଁ ପାଂଚାୟତ ଅଧିନସ୍ଥ ଗରଗାବ ନିକଟରେ ବିଜୁ ସେତୁ ନିର୍ମାଣ ଚାଲିଛି । ହେଲେ ପୋଲ କାମ ମନ୍ଥର ଗତିରେ ଚାଲୁଥିବାରୁ କେବେ ଶେଷ ହେବ ତାର ଠିକଣା ନାହିଁ । ଲୋକେ ଜୀବନକୁ ବାଜିରେ ଲଗାଇ ଦଦରା ଦେଶୀ ଡଙ୍ଗାରେ ନଦୀ ପାର ହେଉଥିବା ବେଳେ ପୋଲ ନିର୍ମାଣ କାମ ଉପରେ ପ୍ରଶାସନ ଗୁରୁତ୍ୱ ଦେଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।