ଗୋଟିଏ ହାତରେ ବିଶାଳ ଛକା ମାରିଲେ ପନ୍ଥ । ତାଳିରେ ଫାଟି ପଡିଲା ପୂରା ଷ୍ଟାଡିୟମ

567

କନକ ବ୍ୟୁରୋ : ଶେଷ ଓଭରର ଶେଷ ବଲରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ । ରୋମାଞ୍ଚକର ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ମାତ୍ ଦେଇ ସିରିଜ୍ କବଜା କଲା ରୋହିତ ବାହିନୀ । ଅନ୍ତିମ ମ୍ୟାଚରେ ଧୱନ ଓ ପନ୍ଥଙ୍କ ଧୂଆଁଧାର ବ୍ୟାଟିଂ ବଳରେ ସିରିଜ କ୍ଲିନ ସୁଇପ କଲା ଭାରତ । ଗୋଟିଏ ପଟେ ଧୱନ ଚିରାଚରିତ ଢଙ୍ଗରେ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ପନ୍ଥ ଦେଖାଇଥିଲେ ପରାକ୍ରମ । ପୂର୍ବ ଦୁଇଟି ମ୍ୟାଚରେ ଶାନ୍ତ ପଡି ଯାଇଥିବା ପନ୍ଥଙ୍କ ବ୍ୟାଟ ଆଜି ମ୍ୟାଚରେ ଗର୍ଜିଥିଲା । ପଡିଆର ଚାରି ଆଡକୁ ଚୌକା ଓ ଛକାର ବର୍ଷା କରି ୫୮ ରନର ଦମଦାର ଇନିଂସ ଖେଳିଥିଲେ ପନ୍ଥ । ଯେଉଁଥିରେ ୫ଟି ଚୌକା ଓ ୩ଟି ବିଶାଳ ଛକା ସାମିଲ ଥିଲା ।


ମାତ୍ର ୩୮ଟି ବଲରୁ ୫୮ ରନର ଜବରଦସ୍ତ ଇନିଂସ ଖେଳିଥିବା ପନ୍ଥଙ୍କ ବ୍ୟାଟରୁ କିଛି ଆକର୍ଷଣୀୟ ସଟ୍ ଦେଖିବାକୁ ମିଳିଥିଲା । ଯାହାକୁ ଭରପୂର ଉପଭୋଗ କରିଥିଲେ ଷ୍ଟାଡିୟମରେ ଥିବା ଦର୍ଶକ । କିନ୍ତୁ ପନ୍ଥଙ୍କ ଏହି ଦ୍ରୁତ ଇନିଂସରେ ଏମିତି ଏକ ଛକା ଦେଖିବାକୁ ମିଳିଥିଲା ଯାହାକୁ କ୍ରିକେଟ ପ୍ରେମୀ ବେଶ ପସନ୍ଦ କରିଛନ୍ତି । ୧୩ ତମ ଓଭରରେ ପୋଲାର୍ଡ ବୋଲିଂ କରୁଥିବା ବେଳେ ଲଙ୍ଗ୍ ଅନ୍ ଅଞ୍ଚଳରେ ଛକା ମାରିଥିଲେ ପନ୍ଥ । ଗୋଟିଏ ହାତରେ ଏଭଳି ସଟ୍ ଖେଳି ସମସ୍ତଙ୍କୁ ଚକିତ କରି ଦେଇଥିଲେ ପନ୍ଥ । ଆଉ ତାଳିମାଡରେ ଫାଟି ପଡିଥିଲା ପୂରା ଷ୍ଟାଡିୟମ ।

ସେହିଭଳି ଅନ୍ୟପଟେ ଧୱନ ମଧ୍ୟ ୯୨ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଯେଉଁଥିରେ ୧୦ଟି ଚୌକା ଓ ୨ଟି ଛକା ସାମିଲ ଥିଲା । ଏହି ବିଜୟ ସହ ଟି-୨୦ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ । ଏହା ପୂର୍ବରୁ ଦିନିକିଆ ଓ ଟେଷ୍ଟ ସିରିଜ ମଧ୍ୟ ପୋଛି ନେଇଥିଲା ଭାରତ ।