୭୧ ପ୍ରତିଶତ ମତଦାନ ପରେ ଗଣତି ଜାରି : ପୂର୍ବଭଳି ଡ୍ରାଇଭର ସିଟରେ ବସିପାରେ ବିଜେଡି

26

କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ପରେ ଫଳାଫଳ ଆସିବାରେ ଲାଗିଛି । ବର୍ତମାନ ଯାଏଁ ଗଣତି ଅନୁସାରେ ପୂର୍ବଭଳି ଡ୍ରାଇଭର ସିଟରେ ବସିଛି ବିଜେଡି । ହେଲେ ବିଜେଡିକୁ ଟକ୍କର ଦେଉଛି ବିଜେପି ।

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ୪ ଟି ଜୋନରେ ବିଜେଡି ଜିତିଛି । ସୁବର୍ଣ୍ଣପୁର ଜିଲ୍ଲା ତରଭାର ଦୁଇଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ନୟାଗଡ ଜିଲ୍ଲା ଓଡଗାଁର ୨ ଟି ଜୋନରେ ବିଜେଡି ଜିତିଛି । ମାଲକାନଗିରିର ଦୁଇଟି ଜୋନରେ ମଧ୍ୟ ବିଜେଡି ବାଜି ମାରିଛି । ଗଜପତିର ଦୁଇଟି ଜୋନକୁ ବି ଅକ୍ତିଆର କରିଛି ବିଜେଡି । ତେବେ ସୁନ୍ଦରଗଡର ଗୋଟିଏ ଜୋନରେ କଂଗ୍ରେସ ବିଜୟୀ । ଗୋଟିଏରେ ବିଜେଡି ବିଜୟୀ । କେନ୍ଦୁଝରର ୩ ଟି ଜୋନରେ ବିଜେଡି ବିଜୟୀ ।

ସେପଟେ ନିର୍ବାଚନ କମିସନ୍ କହିଛନ୍ତି ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ ହୋଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୪ ଦଶମିକ ୩ ପ୍ରତିଶତ ଏବଂ ବଲାଙ୍ଗିରରେ ସର୍ବନିମ୍ନ ୬୦ ପ୍ରତିଶତ ଭୋଟିଂ ହୋଇଛି । ଯେଉଁ ସବୁ ସ୍ଥାନରେ ହିଂସା ଓ ଗଣ୍ଡଗୋଳ ଯୋଗୁଁ ନିର୍ବାଚନ ବନ୍ଦ ରହିଛି ସେସବୁ ସ୍ଥାନରେ ପୁଣି ନିର୍ବାଚନ ହେବ ।

ଆଜି ୨୯ ଟି ଜିଲ୍ଲାର ୬୫ ଟି ବ୍ଲକ୍ ଅନ୍ତର୍ଗତ ୧୮୮ ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀର ୧୫୦୬ଟି ଗ୍ରାମପଂଚାୟତ ଓ ୨୦ ହଜାର ୩୬୯ ୱାର୍ଡରେ ଭୋଟ୍ ଦାନ ହୋଇଛି । ଏଥିରେ ୫୮ ଲକ୍ଷ ୨୮ ହଜାର ୪୪୬ ଜଣ ମତଦାନ କରିଛନ୍ତି । ଭୋଟ୍ ଗ୍ରହଣ ସମୟରେ କାଁ ଭାଁ ସ୍ଥାନରେ ହିଂସାକୁ ବାଦ୍ ଦେଲେ ନିର୍ବାଚନ ସୁରୁଖୁରୁରେ ସରିଥିବା ନିର୍ବାଚନ କମିସନ୍ କହିଛନ୍ତି ।