ଧୋନିଙ୍କ ଫ୍ୟାନଙ୍କ ପାଇଁ ଖୁସିଖବର । ଏହି ରେଷ୍ଟୁରାଣ୍ଟରେ ମାଗଣାରେ ମିଳୁଛି ପେଟପୂରା ଖାଦ୍ୟ ।

454

ଏବେ ଦେଶର ବିଶ୍ୱକପ ଫିଭର । ଦେଶର ଚାରିଆଡେ ଏବେ ବିଶ୍ୱକପର ଉତ୍ସବ ଚାଲିଛି । ଆଉ ଏସବୁ ଭିତରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଂଶସକଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି । ଯଦି ଆପଣ ଧୋନିଙ୍କ ପ୍ରଂଶସକ ତେବେ ପଶ୍ଚିମବଙ୍ଗର ଶମ୍ଭୁ ରେଷ୍ଟୁରାଣ୍ଟରେ ବିନା ଟଙ୍କାରେ ମାଗଣାରେ ପେଟପୂରା ଖାଇପାରିବେ ।

ଧୋନିଙ୍କ ବଡ ପ୍ରଂଶସକ ମଧ୍ୟରୁ ଶମ୍ଭୁ ଅନ୍ୟତମ । ଶମ୍ଭୁ ଅଲ୍ଲୀପୁରଦ୍ୱାର ଜିଲ୍ଲାରେ ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି । ଯାହାର ନାଁ ରହିଛି ଏମଏସ ଧୋନି ରେଷ୍ଟୁରାଣ୍ଟ । ଏହି ରେଷ୍ଟୁରାଣ୍ଟ ଏଥିପାଇଁ ଲୋକପ୍ରିୟ ହୋଇଛି କାରଣ ଏଠାରେ ଧୋନିଙ୍କ ପ୍ରଂଶସକଙ୍କୁ ମାଗଣାରେ ଖାଇବାକୁ ମିଳିଥାଏ । ତେବେ ଏହାର କାରଣ ପଚାରିବାରୁ ଶମ୍ଭୁ କହିଛନ୍ତି, ଧୋନି ହେଉଛନ୍ତି ତାଙ୍କର ରୋଲ ମଡେଲ । ଛୋଟବେଳୁ ହିଁ ଧୋନି ମୋର ପସନ୍ଦ । ଯେଉଁଭଳି ଭାବେ ସେ କ୍ରିକେଟ ଖେଳନ୍ତି ତାହା ଦର୍ଶାଏ ଯେ ଜଣେ ବ୍ୟକ୍ତି ମହାନ କିଭଳି ହୋଇଥାଏ ।

ରେଷ୍ଟୁରାଣ୍ଟର ପ୍ରତି କୋଣରେ ଧୋନିଙ୍କ ପୋଷ୍ଟର ଦେଖିବାକୁ ମିଳିଥାଏ । କେବଳ ହୋଟେଲ ନୁହେଁ ବରଂ ଘରେ ମଧ୍ୟ ଏଭଳି ପୋଷ୍ଟର ଥିବା କହିଛନ୍ତି ଶମ୍ଭୁ । ଧୋନିଙ୍କ ଠାରୁ ବହୁତ କିଛି ଶିଖିବାକୁ ମଳିଛି । ମୁଁ ତାଙ୍କୁ ଭେଟିବାକୁ ଚାହୁଁଛି କିନ୍ତୁ ଏଯାଏଁ ସୁଯୋଗ ମିଳିନାହିଁ ବୋଲି କହିଛନ୍ତି ଶମ୍ଭୁ । ଯଦି କେବେ ଧୋନିଙ୍କ ସହ ଭେଟ ହୁଏ ତେବେ ତାଙ୍କୁ ମୋ ରେଷ୍ଟୁରାଣ୍ଟକୁ ଆସିବାକୁ ନିମନ୍ତ୍ରଣ କରିବି ।

୨ ଏପ୍ରିଲ ୨୦୧୧ର ସେହିଦିନକୁ ମନେପକାଇ ଶମ୍ଭ କହିଛନ୍ତି, ସେହି ସମୟରେ ମୁଁ ଚାହା ଦୋକାନ ଚଳାଉଥିଲି । ସେତେବେଳେ ମଧ୍ୟ ଦୋକାନରେ ଧୋନିଙ୍କର ଏକ ଫଟୋ ରହିଥିଲା । ନିଜ ସାଙ୍ଗମାନଙ୍କ ସହ ବସି ଚାହା ଦୋକାନରେ ଖେଳ ଦେଖୁଥିଲି । ଆଉ ଧୋନିଙ୍କ ସେହି ବିଜୟୀ ଛକା କେବେ ଭୁଲିହେବ ନାହିଁ ବୋଲି କହିଛନ୍ତି ଶମ୍ଭୁ । କାରଣ ଏହି ଛକା ବଳରେ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱବିଜୟୀ ହୋଇଥିଲା ଭାରତ ।