ଆକାଶ ପଥରୁ ଓହ୍ଳାଇ ଆସିଲେ ଦେବଦୂତ । ୨ ବର୍ଷର କୁନି ପିଲାକୁ କାଖେଇ ଛାତ ଉପରୁ ହେଲିକପ୍ଟରକୁ ଉଠିଲେ ଗରୁଡ ସ୍ପେଶାଲ ଫୋର୍ସର କମାଣ୍ଡୋ, ଚାରି ଆଡୁ ଛୁଟିଲା ପ୍ରଂଶସାର ସୁଅ

39

କନକ ବ୍ୟୁରୋ : କେରଳରେ ବନ୍ୟା ସ୍ଥିତି ଯେମିତି ସଂଗୀନ୍ ହୋଇଛି, ତାଠୁ ଅଧିକ ସଂଘର୍ଷପୂର୍ଣ୍ଣ ରହିଛି-ଉଦ୍ଧାର କାର୍ଯ୍ୟ । ଚାରିଆଡେ ପାଣି ଓ ତା ଭିତରେ ବଂଚିବାର ରାହା ଖୋଜୁଥିବା ମଣିଷଙ୍କ ଚିତ୍ର । ଏଭଳି ସ୍ଥିତିରେ ଆଜି କ୍ୟାମେରାରେ କଏଦ୍ ହୋଇଛି ଏମିତି ଏକ ଚିତ୍ର, ଯାହା ଭାରତୀୟ ଯବାନଙ୍କ ସାହାସିକତାର ପ୍ରମାଣ ଦେଉଛି । କିଭଳି ଯବାନ ମାନେ ଏହି ବନ୍ୟା ପୀଡିତଙ୍କ ପାଇଁ ଦେବଦୂତ ଭଳି ଆକାଶ ପଥରୁ ଓହ୍ଲାଇ ଆସିଛନ୍ତି ତାହା ସାମ୍ନାକୁ ଆସିଛି ।

ବନ୍ୟାର ବିଭିଷିକାରେ ବନ୍ଧା ପଡ଼ିଥିବା ୨ବର୍ଷର କୁନି ପିଲାଟି ହୁଏତ, ଜାଣିନଥିବ ଯେ, ତାସହ କ’ଣ ସବୁ ଘଟୁଛି । କିନ୍ତୁ ଯାହା ବି ଘଟୁଛି-କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ । ଚାରିଆଡେ ବନ୍ୟା ପାଣି । ଆଉ ଘରର ଛାତ ଉପରେ ୨ବର୍ଷର କୁନି ପିଲାକୁ ଧରି ଜଣେ ଅସହାୟ ମା’ ଜଳବନ୍ଦୀରୁ ମୁକ୍ତିର ବାଟକୁ ଚାହିଁ ରହିବା ଥିବା ବେଳେ ଆକାଶମାର୍ଗରୁ ଆସୁଛନ୍ତି ଦେବଦୂତ । ଆଉ ଏହି ଦେବଦୂତ ଜଣକ ହେଉଛନ୍ତି ୱଙ୍ଗ୍ କମାଣ୍ଡର ପ୍ରଶାନ୍ତ ।

ଯେତେବେଳେ ସବୁ ଆଶା ଛାଡି ଦେଲେ ମା’, ଭଗବାନ ରୁପରେ ପହଂଚିଥିଲେ ଗରୁଡ୍ ସ୍ପେଶାଲ ଫୋର୍ସର କମାଣ୍ଡୋ । କୁନି ପିଲାଟିକୁ କାଖେଇ ଘରର ଛାତ ଉପରୁ ହେଲିକପ୍ଟରକୁ ଉଠିଥିଲେ ପ୍ରଶାନ୍ତ । ଏକ ଦଉଡି ସାହାର୍ଯ୍ୟରେ ବନ୍ୟାରେ ବନ୍ଧା ପଡ଼ିଥିବା କୁନି ପିଲାଟିକୁ ଉଦ୍ଧାର କରିଥିଲେ । ଆଉ ଯେତେବେଳେ ମା’ ଓ କୁନି ପିଲାଟିକୁ ଯବାନ ଉଦ୍ଧାର କରି ହେଲିକପ୍ଟର ଉପରକୁ ପହଂଚିଥିଲେ ମା’ମୁହଁରେ ଫୁଟି ଆସିଥିଲା ହସ । ଏହି ହସ ଥିଲା- ମୁକ୍ତିର । ଏହି ହସ ଥିଲା- ମୃତ୍ୟୁକୁ ମାତ୍ ଦେଇ ତାଚ୍ଛଲ୍ୟ କରିବାର । କେରଳ ଆଲାପୁଆ ଅଂଚଳର ଏହି ଚିତ୍ରକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ।