ସ୍ୱାଧୀନ ଭାରତର ଏକମାତ୍ର ପତାକା, ଯାହା ଏବେ ସୁଦ୍ଧା ରହିଛି ସଂପୂର୍ଣ୍ଣ ସୁରକ୍ଷିତ । ଜାଣନ୍ତୁ କେଉଁଠି ଓ କିଭଳି ରହିଛି ୧୯୪୭ ମସିହାର ତ୍ରିରଙ୍ଗା

178

ଚଳିତ ବର୍ଷ ଦେଶ ପାଳିବ ୭୦ତମ ସାଧାରଣତନ୍ତ୍ର ଦିବସ । ଆଉ ଏହାରି ଭିତରେ ଏଭଳି ଖବର ରହିଛି ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ୧୫ ଅଗଷ୍ଟ୧୯୪୭ରେ ଜର୍ଜ ଫୋର୍ଟରେ ଉତ୍ତୋଳନ ହୋଇଥିବା ତ୍ରିରଙ୍ଗା ଆଜି ବି ସୁରକ୍ଷିତ ରହିଛି । ଏହାକୁ ପ୍ରଥମଥର ୨୬ଜାନୁୟାରୀ୨୦୧୩ରେ ଫୋର୍ଟର ସଂଗ୍ରହାଳୟରେ ଲୋକଙ୍କୁ ଦେଖେଇବା ପାଇଁ ରଖାଯାଇଥିଲା । ଜଣେ ଅଧିକାରୀଙ୍କ କହିବାନୁସାରେ, ଏହି ପତାକା ଦେଶ ସ୍ୱାଧୀନ ପରେ ଏକ ମାତ୍ର ପତାକା , ଯାହା ଏବେ ସୁଦ୍ଧା ସୁରକ୍ଷିତ ରହିଛି ।

୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହେବା ଦିନ ଠାରୁ ତାମିଲନାଡୁର ମାଡ୍ରାସ ଠାରେ ଥିବା ଫୋର୍ଟ ସେଣ୍ଟ ଜର୍ଜଠାରେ ଉଡୁଛି ତ୍ରିରଙ୍ଗା । ଏହା ହେଉଛି ଦେଶର ଏକମାତ୍ର ଭିଣ୍ଟେଜ୍ ଜାତୀୟ ପତାକା ,ଯାହା ଦୀର୍ଘ ୭୦ ବର୍ଷ ହେଲା ଉକ୍ତ ଦୁର୍ଗରେ ସୁରକ୍ଷିତ ହୋଇ ରହିଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ( ଏଏସଆଇ) ପକ୍ଷରୁ ଏହାକୁ ବହୁସ୍ତରୀୟ ସୁରକ୍ଷା ପ୍ରଦାନ କରାଯାଇଛି । ଅର୍ଥାତ୍ ଏହାର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଦାୟିତ୍ୱ ରହିଛି ଏଏସଆଇ ହାତରେ । ଏଏସଆଇର ‘ରିଜର୍ଭ କଲେକଶନ’ ମଧ୍ୟରେ ଦୀର୍ଘ ଦଶନ୍ଧି ହେଲା ଏହାକୁ ସଂରକ୍ଷିତ କରି ରଖାଯାଇଛି ।

୨୦୧୩ ଜାନୁୟାରୀ ୨୬ରେ ପ୍ରଥମକରି ଫୋର୍ଟ ସେଣ୍ଟ ଜର୍ଜ ପରିସରରେ ଥିବା ଫୋର୍ଟ ମ୍ୟୁଜିୟମରେ ସର୍ବସାଧାରଣଙ୍କ ପାଇଁ ଏହାର ପ୍ରଦର୍ଶନ ହୋଇଥିଲା । ତେବେ ପତାକାକୁ ଏଭଳି ଭାବେ ସଂରକ୍ଷଣ କରିବା ସେତେ ସହଜ ନୁହେଁ । ଏକ ଏୟାର ଟାଇଡ୍ କାଠ ଏବଂ କାଚ ଶୋ କେସରେ ଏହାକୁ ରଖାଯାଇଛି । ପତାକାର ଚାରିପାର୍ଶ୍ୱରେ ସିଲିକା ଜଲେର ୬ଟି ପାତ୍ର ରହିଛି । ଏହାଦ୍ୱାରା ସବୁ ସମୟରେ ଶୋ କେସର ଆର୍ଦ୍ରତା ନିୟନ୍ତ୍ରଣ ହେବା ସହ ତାହାକୁ ଶୋଷିନେଇଥାଏ । ପତାକା ରହିଥିବା ହଲ୍ ଓ ଶୋ କେସରେ ସବୁବେଳେ ନିୟନ୍ତ୍ରଣ କରିବା ଲାଗି ଏକ ଲ୍ୟୁକ୍ସ ମିଟର ବ୍ୟବସ୍ଥା କରାଯାଇଛି । ପ୍ରତିଟି ମୁହୂର୍ତ୍ତରେ ସେଠାକାର ତାପମାତ୍ରା ଓ ଶୀତତାପକୁ ନିୟନ୍ତ୍ରଣ କରାଯାଇଥାଏ ।

ହଲରେ ଭ୍ରମଣକାରୀ ପହଁଚିଲେ ସେଠାରେ ବ୍ୟବସ୍ଥିତ ମାନବସମ୍ବେଦୀ ଲାଇଟ୍ ଆପେ ଆପେ ଜଳି ଉଠିଥାଏ । ଶୋ କେସରେ ଯେଭଳି ବାହାରର ଆଲୁଅ, ପବନ ,ଧୂଳିକଣା ପ୍ରବେଶ ନକରିପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସେଠାରେ ସୁରକ୍ଷାବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ସେଥିଲାଗି ସାଇରନ୍ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏତେବର୍ଷ ପୁରୁଣା ହେବା ଯୋଗୁଁ ପତାକାର ,କିଛି ଅଂଶ ଫାଟି ଯାଇଛି ।

ଶୁଦ୍ଧ ରେଶମ କପଡାରେ ପ୍ରସ୍ତୁତ ଏହି ପତାକାର ଦୈର୍ଘ୍ୟ ୧୨ ଫୁଟ୍ ରହିଥିବା ବେଳେ ପ୍ରସ୍ଥ ରହିଛି ୮ଫୁଟ୍ । ଭାରତ ସ୍ୱାଧୀନ ଘୋଷିତ ହେବା ପରେ ୧୯୪୭ ଅଗଷ୍ଟ ୧୫ ତାରିଖ ସକାଳ ୫ଟା୫ମିନିଟରେ ଫୋର୍ଟ ସେଣ୍ଟ ଜର୍ଜଠାରେ ବ୍ରିଟିଶ୍ ୟୁନିୟନ ପତାକା ହଟାଇ ତ୍ରିରଙ୍ଗାକୁ ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ହଜାର ହଜାର ଲୋକ ସେଠାରେ ଉପସ୍ଥିତ ଥିଲେ । ତେବେ ସେହି ପତାକା କିଏ ଉତ୍ତୋଳନ କରିଥିଲେ ସେ ନେଇ ପ୍ରଶାସନ ପାଖରେ କିଛି ରେକର୍ଡ ନ ଥିବା ଅଧିକାରୀ ଜଣକ ପ୍ରକାଶ କରିଛନ୍ତି ।