ବିଶ୍ୱ ଦେଖିଲା ଭାରତର ଶକ୍ତି ! ଦମ୍ ଦେଖାଇଲେ ଯବାନ୍, ରାଜପଥରେ ସେନାର ଶକ୍ତି ପ୍ରଦର୍ଶନ ।

448

କନକ ବ୍ୟୁରୋ : ଦେଶ ଆଜି ପାଳିଛି ୭୦ ତମ ଗଣତନ୍ତ୍ର ଦିବସ । ୧୯୪୭ରେ ଦେଶ ସ୍ୱାଧୀନ ହୋଇ ଥିଲା କିନ୍ତୁ ୧୯୫୦ ମସିହାରେ ଦେଶ ପାଇଥିଲା ନୂଆ ସମ୍ବିଧାନ  । ଆଉ ଆଜି ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଭାରତ କରିଥିଲା ନିଜ ଶକ୍ତି ପ୍ରଦର୍ଶନ  । ଲଢୁଆ ବିମାନ ସମେତ ଆକାଶ ଓ ବ୍ରହ୍ମୋସ୍ ମିସାଇଲ୍ ରାଜପଥରେ ପ୍ରଦର୍ଶିତ ହୋଇଥିଲା  । ଏହାସହ ବାଇକ୍ ଷ୍ଟଂଟ୍ ପରି ଅନେକ ଦୁଃସାହସିକ କୌଶଳ ଦେଖିବାକୁ ମିଳିଥିଲା  ।

ବିଶ୍ୱ ଦେଖିଲା ଭାରତର ଦମ୍ । ରାଜପଥରେ ସେନାର ଶକ୍ତି ପ୍ରଦର୍ଶନ । ଯେତେବେଳେ ଦିଲ୍ଲୀ ରାଜପଥରେ ଦେଶ ପାଳନ କରୁଥିଲା ୭୦ତମ ଗଣତନ୍ତ୍ର ଦିବସ ଆଉ ତିନି ସେନାର ଯବାନ୍ ଦେଖାଉଥିଲେ ଦମଦାର୍ ଓ ଦୁଃସାହସିକ କୌଶଳ, ସାରା ବିଶ୍ୱ ଦେଖୁଥିଲା ଭାରତର ଶକ୍ତି ଓ ସାମର୍ଥ୍ୟ  । ବାୟୁସେନାର ଫାଇଟର୍ ଜେଟ୍ ଆକାଶରେ ଡେୟାର୍ ଡେଭିଲ୍ ଷ୍ଟଂଟବାଜୀ ଦେଖାଉ ଥିବା ବେଳେ ତଳେ ପରେଡ୍ କରୁଥିଲେ ସେନାବାହିନୀର ଗୋଟିଏ ପରେ ଗୋଟିଏ ୟୁନିଟ୍ । ଗର୍ବର ସହ ଗଡିଥିଲା ଶତ୍ରୁପକ୍ଷରୁ ଧ୍ୱଂସ କରିବାର କ୍ଷମତା ରଖୁଥିବା ଅତ୍ୟାଧୁନିକ ଟ୍ୟାଂକ୍, ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଯୁଦ୍ଧ ସରଂଜାମ  । ଜାଗୁଆର୍, ହର୍କ୍ୟୁଲେସ୍, ମିଗ୍ ପରି ଅତ୍ୟାଧୁନିକ ବିମାନ ସାମିଲ୍ ହୋଇଥିଲା ଏହି ଉତ୍ସବରେ  । ସେପଟେ ବାଇକରେ ମଧ୍ୟ ଆକର୍ଷଣୀୟ ଷ୍ଟଂଟ୍ ଦେଖାଇଥିଲେ ଭାରତୀୟ ଯବାନ୍  ।

ଦମ୍ ଦେଖାଇଲେ ଭାରତୀୟ ଯବାନ୍ । ବିଶ୍ୱ ଦେଖିଲା ଭାରତର ଶକ୍ତି । ଶତ୍ରୁର ସାମନା କରିବା ପାଇଁ ଭାରତୀୟ ସେନା ସବୁବେଳେ ତୟାର । ଏହାର ପ୍ରମାଣ ମିଳୁଥିଲା ରାଜପଥରୁ । ସେନା ବ୍ୟାଣ୍ଡପାର୍ଟି ନିଜର ପ୍ରଦର୍ଶନରେ ତାଜୁବ୍ କରିଦେଇଥିଲା ଉପସ୍ଥିତ ଅତିଥିଙ୍କୁ । ଏହା ପଛକୁ ପଛ ଆଗେଇ ଚାଲିଥିଲେ ଗୋର୍ଖା ରେଜିମେଂଟ୍, ଡଗ୍ ସ୍କ୍ୱାଡ । ଏହାପରେ ଥିଲେ ବିଏସଏଫ୍, ନ୍ୟାଭି, ଆସାମ ରାଇଫଲସ, କୋଷ୍ଟଗାର୍ଡ ଓ ଦିଲ୍ଲୀ ପୁଲିସର ୟୁନିଟ୍ ଓ ବ୍ୟାଣ୍ଡପାର୍ଟି । ସେହିପରି ମହିଳା ଯବାନଙ୍କ ଡେୟାର୍ ଡେଭିଲ୍ ସୋ ମଧ୍ୟ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଦୀର୍ଘ ସମୟ ଧରି ଚକିତ କରି ରଖିଥିଲା  ।

ପରେଡରେ ନେତାଜୀଙ୍କ ଫୌଜ୍ । ଭାଗ ନେଲେ ଆଜାଦ୍ ହିନ୍ଦର ସେନାନୀ । ଦିଲ୍ଲୀ ଗଣତନ୍ତ୍ର ପରେଡରେ ୧ମ ଥର ପାଇଁ ସାମିଲ୍ ହୋଇଛି ସୁବାସ ବୋଷଙ୍କ ଆଜାଦ୍ ହିନ୍ଦ୍ ଫୌଜ୍  । ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଆଜାଦ୍ ହିନ୍ଦ୍ ଫୌଜର ୪ ଜଣ ସୈନିକ ଆଜି ପରେଡରେ ଅଂଶଗ୍ରହଣ କରିଥିଲେ  । ଦିଲ୍ଲୀ ରାଜପଥରେ ଆଜି ଦେଶର ବୀର ଯବାନ ଦୁଃସାହସିକ କୌଶଳ ପ୍ରଦର୍ଶନ କରୁଥିବା ବେଳେ ସାରା ବିଶ୍ୱ ଚାହିଁ ରହିଥିଲା ଭାରତର ଶକ୍ତି ଓ ସାମର୍ଥ୍ୟ ଦେଖି  ।