ଫଇସଲା କରିବେ ମୁଖ୍ୟମନ୍ତ୍ରୀ

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମନ୍ତ୍ରୀଙ୍କ ଦକ୍ଷତା ମାପିବେ ମୁଖ୍ୟମନ୍ତ୍ରୀ । ନବୀନ କରିବେ ୱାନ୍ ଟୁ ୱାନ୍ ସାକ୍ଷାତ । କଣ ଥିଲା ଟାର୍ଗେଟ୍, ଆଉ କଣ ଅଛି ବର୍ତମାନର ସ୍ଥିତି । ସରକାରୀ ଯୋଜନା ଓ ଲକ୍ଷ୍ୟ ନେଇ ହେବ କୋଶ୍ଚିନ୍ ଆନସର । ପ୍ରଶ୍ନ କରିବେ ମୁଖ୍ୟମନ୍ତ୍ରୀ, ଉତର ରଖିବେ ମନ୍ତ୍ରୀ । ଗୋଟି ଗୋଟି କରି ସବୁ ବିଭାଗର ସମୀକ୍ଷା କରିବେ ନବୀନ ପଟ୍ଟନାୟକ । ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ କାର୍ଯ୍ୟର ହେବ ସମୀକ୍ଷା ଓ ପ୍ରସ୍ତୁତ ହେବ ରୋଡ୍ ମ୍ୟାପ୍ । ମନ୍ତ୍ରୀ ପରିଷଦ ବୈଠକରେ ବିଭିନ୍ନ ବିଭାଗର ରିପୋର୍ଟ କାର୍ଡ ନେଇ ସାମୁହିକ ସମୀକ୍ଷା ହେବା ପରେ ଏବେ ବ୍ୟକ୍ତିଗତ ସମୀକ୍ଷାର ପାଳି ।

ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସବୁ ବିଭାଗର ମନ୍ତ୍ରୀଙ୍କୁ ଡାକି ଟ୍ୟୁସନ୍ କରିବେ ମୁଖ୍ୟମନ୍ତ୍ରୀ । ମନ୍ତ୍ରୀଙ୍କ ସହ ଉପସ୍ଥିତର ରହିବେ ବିଭାଗୀୟ ସଚିବ । ନିର୍ବାଚନ ଇସ୍ତାହାରରେ ଥିବା ପ୍ରତିଶ୍ରୁତି ଏବଂ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ନିକିଟିକି ହେବ ସମୀକ୍ଷା ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାକୁ ନଜରରେ ରଖି ମନ୍ତ୍ରୀମାନେ ପ୍ରସ୍ତୁତ କରିଛନ୍ତି ରିପୋର୍ଟ । ନିଜ ବିଭାଗର ବିଭିନ୍ନ ଯୋଜନାର ଲକ୍ଷ୍ୟ ଓ ସ୍ଥିତି ନେଇ ପରିସଂଖ୍ୟାନ ଆଧାରରେ ରେଡି ରହିଛନ୍ତି ରିପୋର୍ଟ । ତେବେ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ପଂଚାୟତି ରାଜ୍, ଗ୍ରାମ ଉନ୍ନୟନ, କୃଷି, ଖାଦ୍ୟ ଯୋଗଣ, ଶକ୍ତି ଓ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଉପରେ ଜୋର ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କେନ୍ଦ୍ର ଓ ରାଜ୍ୟର ମିଳିତ ଅନୁଦାନରେ ଚାଲିଥିବା ଯୋଜନା ଗୁଡ଼ିକରେ ଉଭୟ ସରକାର କ୍ରେଡିଟ୍ ନେବା ପାଇଁ ଉଦ୍ୟମ କରୁଥିବାବେଳେ ଏନେଇ ମନ୍ତ୍ରୀଙ୍କୁ ଟିପ୍ସ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ହେବ ସମୀକ୍ଷା । ଆଉ ମନ୍ତ୍ରୀଙ୍କ ପ୍ରଦର୍ଶନ ଭିତିରେ ମିଳିବ ମାର୍କ ।