ଫ୍ରାନ୍ସ ଖବରକାଗଜ ରିପୋର୍ଟକୁ ନେଇ ବିବାଦ : ରାଫେଲ୍ ଚୁକ୍ତିରେ ଅନୀଲ ଅମ୍ୱାନୀଙ୍କ କମ୍ପାନୀକୁ ୧୧୨୫ କୋଟିର ଟିକସ ଛାଡ

125

ରାଫେଲକୁ ନେଇ ଫ୍ରାନ୍ସ ଖବରକାଗଜରେ ପ୍ରକାଶିତ ରିପୋର୍ଟକୁ ନେଇ ବିବାଦ । ହିନ୍ଦୁ ପରେ ଫ୍ରାନ୍ସ ଖବରକାଗଜ ‘ଲି ମୋଣ୍ଡେ’ ରାଫେଲ ଡିଲକୁ ନେଇ ବିସ୍ଫୋରକ ଖବର ପ୍ରକାଶ କରିଛି । ରାଫେଲ ଚୁକ୍ତି ପରେ ଫ୍ରାନ୍ସରେ ଥିବା ଅନୀଲ ଅମ୍ବାନୀଙ୍କ କଂପାନୀ ‘ରିଲାଏନ୍ସ ଆଟଲାଂଟିକ୍ ଫ୍ଲାଗ ଫ୍ରାନ୍ସ’କୁ ଫ୍ରାନ୍ସ ସରକାର ବିପୁଳ ପରିମାଣର ଶୁଳ୍କ ଛାଡ କରିଛନ୍ତି । ଅନୀଲଙ୍କ କଂପାନୀକୁ ୧୬୨.୬  ନିୟୁତ ଡଲାର ଫ୍ରାନ୍ସ ସରକାର ଶୁଳ୍କ ଛାଡ କରିଥିବା ଦାବି କରିଛି ‘ଲି ମୋଣ୍ଡେ’ । ଯାହାକୁ ଅସ୍ତ୍ର କରିଛି ରାଫେଲ ଡିଲକୁ ନେଇ ଲଗାତାର କେନ୍ଦ୍ର ସରକାରଙ୍କୁ ଘେରୁଥିବା କଂଗ୍ରେସ । ଦଳର ମୁଖପାତ୍ର ରଣଦୀର ସୂରଜେବାଲା ପ୍ରେସମିଟ୍ କରି କହିଛନ୍ତି, ରାଫେଲ କାରବାରରେ ଏକାଧିକ ଦୁର୍ନୀତି କରାଯାଇଥିବା ଏହି ଖବରରୁ ସ୍ପଷ୍ଟ ହୋଇଛି ।

ତେବେ ଅଭିଯୋଗକୁ ଅସ୍ୱୀକାର କରିଛି ରିଲାଏନ୍ସ ଫ୍ଲାଗ । ଯେଉଁ ଶୁଳ୍କ ଛାଡ କଥା କୁହାଯାଉଛି, ତାହା ସଂପୂଣ୍ଣ ମିଥ୍ୟା ବୋଲି କହିଛି ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ କଂପାନୀ । ସେହିପରି ଫ୍ରାନ୍ସ ସରକାର ମଧ୍ୟ ଏପରି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । କହିଛନ୍ତି ଅନୀଲଙ୍କ କଂପାନୀକୁ ଶୁଳ୍କ ଛାଡ ନେଇ କୌଣସି ରାଜନୈତିକ ହସ୍ତକ୍ଷେପ ହୋଇନାହିଁ । ଯାହା ବି ହୋଇଛି, ନୀତି ନିୟମ ଆଧାରରେ । ଏପଟେ ଭାରତର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଅନୀଲଙ୍କ କଂପାନୀକୁ ଶୁଳ୍କ ଛାଡ ସହ ରାଫେଲ ଡିଲର କୌଣସି ସଂପର୍କ ନାହିଁ ।