ଅଳିଆଗଦା ପାଲଟିଲା ଭୁବନେଶ୍ୱର ! ଚାରିଆଡେ କୁଢକୁଢ ଆବର୍ଜନା, ସାମ୍ନାକୁ ଆସିଲା ସ୍ମାର୍ଟସିଟିର ଦୂରାବସ୍ଥା

34

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର କଥା କହିଲା ବେଳକୁ ଆପଣ ଛାଏଁ ମନକୁ ଚାଲିଆସେ, ସଫାସୁତରା ରାସ୍ତା, ଚକାଚକ୍ ବିଲ୍ଡି ଓ ସ୍ମାର୍ଟ ସିଟିର ଚେହେରା । ହେଲେ ପ୍ରକୃତରେ କ’ଣ ଭୁବନେଶ୍ୱର ଏମିତି ସଫାସୁତରା ରହୁଛି । ଗତ ତିନି ଦିନ ହେଲା- ବିଏମସିର ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଠପ୍ ହୋଇ ଯାଇଛି ପରିମଳ ବ୍ୟବସ୍ଥା । ଆଉ ଏହି ସମୟ ଭିତରେ ସମ୍ପୂର୍ଣ୍ଣ ଭାବେ ଆବର୍ଜନାମୟ ହୋଇ ଉଠିଛି ସ୍ମାର୍ଟସିଟି ।

vlcsnap-2018-01-22-21h35m03s467ସାମ୍ନାକୁ ଆସିଲା ରାଜଧାନୀର ପରିମଳ ବ୍ୟବସ୍ଥାର ଅସଲ ଚିତ୍ର । ଯେଉଁ ଭୁବନେଶ୍ୱର ଦିନେ ଦେଶର ଏକ ନମ୍ବର ସ୍ମାର୍ଟ ସିଟିର ମାନ୍ୟତା ପାଇଥିଲା, ସେଠି ଆଜି ପଡି ରହିଛି କୁଢ଼କୁଢ଼ ଅଳିଆ-ଆର୍ବଜନା । ଆଉ ଏହି ସମସ୍ୟା ଏବେ ଉକ୍ରଟ ରୂପ ନେଇଛି, ଯେତେବେଳେ ସଫେଇ ଦାୟିତ୍ୱରେ ଥିବା ବିଏମସିର ଅସ୍ଥାୟୀ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।୩ଦିନ ହେଲା ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଉଠୁନି ଅଳିଆ । ଯେଉଁଥି ପାଇଁ ଗଳିକନ୍ଦିରୁ ଆରମ୍ଭ କରି ହାଟ-ବଜାର ସବୁଠି ଏକ ଦୁର୍ଗନ୍ଧମୟ ପରିବେଶ ।

ଦରମା ବୃଦ୍ଧି, ବୋନସ, ଇଏସଆଇ ଏବଂ ଇପିଏଫରେ ସାମିଲ କରିବା ଦାବିରେ ଧାରଣାକୁ ଓହ୍ଲାଇଛନ୍ତି ମହାନଗର ନିଗମର ଅସ୍ଥାୟୀ ସଫେଇ କର୍ମଚାରୀ । ଏହା ବ୍ୟତୀତ ମାସ୍କ, ଗ୍ଲୋଭସ୍, ରେନକୋଟ୍ ଭଳି ଆବଶ୍ୟକୀୟ ଉପକରଣ ପାଇଁ ବାରମ୍ବାର ଦାବି କରି ଆସୁଥିଲେ ସୁଦ୍ଧା କର୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଯାହାଫଳରେ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ । ଏନେଇ ବିଏମ୍ସି ମେୟର କହୁଛନ୍ତି- ଧାରଣା ଦେଉଥିବା ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ସହ ଆଲୋଚନା ଚାଲିଛି ଏବଂ ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ।

ସ୍ଥାୟୀ ସଫେଇ କର୍ମଚାରୀଙ୍କୁ ନେଇ ବର୍ତମାନ କାମଚଳା ଭାବରେ ଚାଲିଛି ଭୁବନେଶ୍ୱରର ପରିମଳ ବ୍ୟବସ୍ଥା । ଆଗାମୀ ଦିନରେ ଯଦି ଏହାର ସମାଧାନ ନହୁଏ, ତେବେ ପରିସ୍ଥିତି ଆହୁରୀ ଉକ୍ରଟ ହେବ ଏଥିରେ କୌଣସି ସନ୍ଦେହ ନାହିଁ । ଏବଂ ସ୍ମାର୍ଟ ସିଟିର ସଫା ଚେହେରା ହୋଇଯିବ ଆର୍ବଜନାମୟ ।