ଆରବିଆଇ ବନାମ କେନ୍ଦ୍ର ସରକାର: ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉର୍ଜିତ ପଟେଲ

ଅରୁଣ ଜେଟଲୀଙ୍କୁ ବି କଲେ ସାକ୍ଷାତ

89

କନକ ବ୍ୟୁରୋ: ସରକାର ଓ ଆରବିଆଇ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ । ମିଳିଥିବା ସୂଚନା ଅନୁସାରେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଉର୍ଜିତ । ଗତ କିଛି ସପ୍ତାହ ଧରି କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ଚାଲିଥିବା ବିବାଦକୁ ସମାଧାନ କରିବା ଦିଗରେ ଏହି ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀଙ୍କ ସହ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମଧ୍ୟ ଭେଟିଛନ୍ତି ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ । କେନ୍ଦ୍ର ବିରୁଦ୍ଧରେ ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ନର୍ ଡକ୍ଟର ବିରଲ୍ ଆଚାର୍ଯ୍ୟ ସ୍ୱାୟତତା ଓ ସ୍ୱତନ୍ତ୍ରତା ହାନି ଭଳି ସଙ୍ଗିନ୍ ଆରୋପ୍ ଲଗାଇଥିଲେ । ପରେ ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଆରବିଆଇ ଓ କେନ୍ଦ୍ର ସରକାର । ସେପଟେ ବିରଲ୍ ଆଚାର୍ଯ୍ୟଙ୍କ ସମର୍ଥନ ଜଣାଇଥିଲେ ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘ । ଅନ୍ୟପଟେ ବିବାଦ ସାର୍ବଜନୀନ ହୋଇଥିବାରୁ ଏହାଦ୍ୱାରା ନିବେଶକଙ୍କ ଦୃଷ୍ଟିରେ ଭାରତର ଛବି ଖରାପ୍ ହେବା ଆଶଙ୍କା କରିଛନ୍ତି ସରକାର ଓ ଏହି ଘଟଣାରେ ପିଏମଓ ଅସନ୍ତୁଷ୍ଟ ଥିବା ମଧ୍ୟ କୁହାଯାଉଛି ।

୧୮ ସଦସ୍ୟଙ୍କ ଉପରେ ନଜର

କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଚଳିତ ମାସ ୧୯ ତାରିଖରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ। ଏହି ବୈଠକରେ ଭାଗ ନେବାକୁ ଥିବା ୧୮ ଜଣ ବ୍ୟକ୍ତିଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ୧୮ ବ୍ୟକ୍ତି ହେଉଛନ୍ତି ରିଜର୍ଭ ବ୍ୟାଙ୍କ ବୋର୍ଡର ସଦସ୍ୟ। ତାଙ୍କ ମଧ୍ୟରେ ରହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍, ଡେପୁଟି ଗଭର୍ଣ୍ଣର ବିରଳ ଆଚାର‌୍ୟ୍ୟ, ଏନ୍ ଏସ୍ ବିଶ୍ବନାଥନ, ବି ପି କାନୁନଗୋ ଓ ଏମ୍ କେ ଜୈନ। ନିୟମ ଅନୁସାରେ ରିଜର୍ଭ ବ୍ୟାଙ୍କ ବୋର୍ଡରେ ୨୧ ଜଣ ସଦସ୍ୟ ରହିପାରିବେ। କିନ୍ତୁ ଏବେ ୧୮ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗଭର୍ଣ୍ଣର ଓ ଡେପୁଟି ଗଭର୍ଣ୍ଣରମାନେ ହେଉଛନ୍ତି ପୂର୍ଣ୍ଣକାଳୀନ ସଦସ୍ୟ। ଅନ୍ୟ ୧୩ ଜଣଙ୍କୁ ସରକାର ମନୋନୀତ କରିଛନ୍ତି। ମନୋନୀତ ସଦସ୍ୟମାନଙ୍କ ମଧ୍ୟରେ ଅଛନ୍ତି ସ୍ବଦେଶୀ ଚିନ୍ତାଧାରାର ବ୍ୟକ୍ତି ଏସ୍ ଗୁରୁମୂର୍ତ୍ତି ଓ ସମବାୟ ବ୍ୟାଙ୍କ ସହ ଜଡ଼ିତ ଥିବା ସତୀଶ ମରାଥେ। ଅର୍ଥ ମନ୍ତ୍ରଣାଳୟର ଦୁଇ ଅଧିକାରୀ-ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଓ ଆର୍ଥିକ ସେବା ସଚିବ ରାଜୀବ କୁମାର ମଧ୍ୟ ରିଜର୍ଭ ବ୍ୟାଙ୍କ ବୋର୍ଡର ସଦସ୍ୟ ଅଛନ୍ତି।

ରିଜର୍ଭ ବ୍ୟାଙ୍କ ବୋର୍ଡରେ ବ୍ୟବସାୟ ଜଗତର ପ୍ରତିନିଧିମାନେ ହେଉଛନ୍ତି ଟାଟା ଗ୍ରୁପ୍ର ମୁଖ୍ୟ ଏନ୍ ଚନ୍ଦ୍ରଶେଖରନ୍, ମହିନ୍ଦ୍ରା ଗ୍ରୁପ୍ର ବରିଷ୍ଠ ଅଧିକାରୀ ଭାରତ ନରୋତ୍ତମ ଦୋଷୀ, ଟିମ୍ଲିଜ୍ ସର୍ଭିସେସ୍ର ସହ ପ୍ରତିଷ୍ଠାତା ମନିଷ ସଭରୱାଲ୍ ଓ ସନ୍ ଫାର୍ମାର ମୁଖ୍ୟ ଦିଲ୍ଲୀପ ସାଂଘଭି। ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧୀର ମଙ୍କଡ଼, ପ୍ରସନ୍ନ ମହାନ୍ତି, କୃଷି ଅର୍ଥନୀତିଜ୍ଞ ଆଶୋକ ଗୁଲାଟି, ପୂର୍ବତନ ଡେପୁଟି ସିଏଜି ରେବତୀ ଆୟାର ଓ ଆର୍ଆଇଏସ୍ ସଂସ୍ଥାର ମୁଖ୍ୟ ସଚିନ ଚତୁର୍ବେଦୀ ମଧ୍ୟ ରିଜର୍ଭ ବ୍ୟାଙ୍କ ବୋର୍ଡର ସଦସ୍ୟ ଅଛନ୍ତି।

୨୬ ପର‌୍ୟ୍ୟନ୍ତ ମହଲତ ମାଗିଲା ରିଜର୍ଭ ବ୍ୟାଙ୍କ

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ କେନ୍ଦ୍ରୀୟ ସୂଚନା କମିସନ ପକ୍ଷରୁ ଦିଆଯାଇଥିବା ନୋଟିସର ଉତ୍ତର ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଦାଖଲ କରିବାରେ ରିଜର୍ଭ ବ୍ୟାଙ୍କ ବିଫଳ ହୋଇଛନ୍ତି। ଏଥିପାଇଁ ୧୦ ଦିନ ମହଲତ ରିଜର୍ଭ ବ୍ୟାଙ୍କ ମାଗିଛି। ନଭେମ୍ବର ୧୬ ତାରିଖ ସୁଦ୍ଧା ଉତ୍ତର ଦାଖଲ କରିବାକୁ କେନ୍ଦ୍ରୀୟ ସୂଚନା କମିସନର ଶ୍ରୀଧର ଆଚାର‌୍ୟ୍ୟଲୁ ଉର୍ଜିତ ପଟେଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ରିଜର୍ଭ ବ୍ୟାଙ୍କ ଏହି କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ଲାଗି ନଭେମ୍ବର ୨୬ ତାରିଖ ପର‌୍ୟ୍ୟନ୍ତ ସମୟ ମାଗିଛି। କିନ୍ତୁ ଶ୍ରୀ ଆଚାର‌୍ୟ୍ୟଲୁଙ୍କ କାର‌୍ୟ୍ୟକାଳ ଆସନ୍ତା ୨୦ ତାରିଖରେ ଶେଷ ହେଉଛି। ତେଣୁ ଏହି ନୋଟିସର ଭବିଷ୍ୟତ କ’ଣ ହେବ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।