ଏଟିଏମକୁ ନେଇ ଆସିବ ନୂଆ ଗାଇଡଲାଇନ, ସପିଂ ପାଇଁ ନୂଆ କାର୍ଡ ଜାରି କରିବ ବ୍ୟାଙ୍କ୍ । ଜାଣନ୍ତୁ ନୂଆ କାର୍ଡରେ କଣ ଫାଇଦା ପାଇବେ ଗ୍ରାହକ ।

3,256

କନକ ବ୍ୟୁରୋ : ବଦଳିବ ଏଟିଏମ ନିୟମ । ଏଟିଏମକୁ ନେଇ ଖୁବଶୀଘ୍ର ନୂଆ ଗାଇଡଲାଇନ ଆଣିବ ଭାରତୀୟ ରିଜର୍ଭ ବ୍ୟାଙ୍କ୍ । ଯାହାଦ୍ୱାରା ଏଟିଏମରେ ଟଙ୍କା କାରବାର ଆହୁରି ସୁରକ୍ଷିତ ଭାବେ ହୋଇପାରିବ । ଦିନକୁ ଦିନ ଏଟିଏମ ଠକେଇ ମାମଲା ବଢି ଚାଲିଥିବା ବେଳେ ଏଥିରେ ବ୍ରେକ ଲଗାଇବାକୁ ଆରବିଆଇ ଖୁବଶୀଘ୍ର ନୂଆ ଗାଇଡଲାଇନ୍ ଜାରି କରିବ । ରିଭର୍ଭ ବ୍ୟାଙ୍କର ସମୀକ୍ଷା ବୈଠକରେ ଏନେଇ ସୂଚନା ଦିଆଯାଇଛି । ଆଗାମୀ ୩୧ ଡିସେମ୍ବର ସୁଦ୍ଧା ନୂଆ ଗାଇଡଲାଇନ୍ ଜାରି କରିବା ନେଇ ସୂଚନା ଦେଇଛି ଆରବିଆଇ । ଏହାଛଡା ଗ୍ରାହକଙ୍କ ପାଇଁ ଏକ ନୂଆ ତଥା ସ୍ୱତନ୍ତ୍ର କାର୍ଡ ଲଞ୍ଚ କରିବାକୁ ମଧ୍ୟ ଘୋଷଣା କରିଛି ଆରବିଆଇ ।

ଏଟିଏମ ଭଳି ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ କାର୍ଡ ଜାରି କରିବାକୁ ଆରବିଆଇ ଘୋଷଣା କରିଛି । ଯାହାଦ୍ୱାରା ସପିଂ ସମୟରେ ଏହି ପିପିଆଇ କାର୍ଡରେ ଡିଜିଟାଲ ପେମେଣ୍ଟ କରିପାରିବେ ଗ୍ରାହକ । ଏହି କାର୍ଡରେ ଥରକେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜିନିଷ କିଣିପାରିବେ ଗ୍ରାହକ । କିନ୍ତୁ ଏଥିପାଇଁ ବ୍ୟାଙ୍କ ଆକାଉଣ୍ଟରୁ ପିପିଆଇ କାର୍ଡକୁ ରିଚାର୍ଜ କରିବାକୁ ପଡିବ । ଏପରିକି ବ୍ୟାଙ୍କରେ ଟଙ୍କା ଜମା କରି ମଧ୍ୟ ଏହି ପିପିଆଇ କାର୍ଡକୁ ରିଚାର୍ଜ କରାଯାଇପାରିବ ।

ଡେବିଟ କାର୍ଡ ଓ କ୍ରେଡିଟ କାର୍ଡରୁ ପିପିଆଇ କାର୍ଡକୁ ରିଚାର୍ଜ କରିବାକୁ ବିକଳ୍ପ ରହିଥିବା ବେଳେ ମାସକୁ ସର୍ବାଧିକ ୫୦ ହଜାର ଟଙ୍କାର ରିଚାର୍ଜ ହୋଇପାରିବ । ତେବେ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ କେବଳ ଏହି କାର୍ଡରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ ହୋଇପାରିବ । ପିପିଆଇକୁ କାର୍ଡ ଓ ମୋବାଇଲ ୱାଲେଟ ଭାବେ ଜାରି କରାଯାଇପାରେ । ଏବେ ଦେଶରେ ପେଟିଏମ, ମୋବିକ୍ୱିକ୍, ଗିଫ୍ଟ କାର୍ଡ ଭଳି ପ୍ରମୁଖ ପିପିଆଇ କାର୍ଡ ଅଧିକ ମାତ୍ରାରେ ବ୍ୟବହାର ହେଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିସେମ୍ବର ୩୧ ସୁଦ୍ଧା ଏହି କାର୍ଡ ବାବଦରେ ଅଧିକ ସୂଚନା ଜାରି କରାଯିବ ।