ରକ୍ଷକ ଯେବେ ଭକ୍ଷକ ସାଜେ ! ପୋଲିସ ବାବୁଙ୍କ ନାଁରେ ଆସିଲା ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ

257

କନକ ବ୍ୟୁରୋ : ରକ୍ଷକ ଯେବେ ଭକ୍ଷକ ସାଜେ । ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ପୋଲିସ ବାବୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ବରଗଡ ଜିଲ୍ଲା ମେଲଛାମୁଣ୍ଡାର ଜଣେ ନାବାଳିକାଙ୍କୁ ତାଙ୍କ ପ୍ରେମିକ ରିକୁ ନାଗ ଗତ ୮ ତାରିଖରେ ଅପହରଣ କରି ନେଇଥିଲା । ଥାନାରେ ଅଭିଯୋଗ ପରେ ସୋହେଲା ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ରିକୁ ନାଗକୁ ଅଟକ ରଖିଛି । ହେଲେ ନାବାଳିକା ଜଣଙ୍କ କହିଛନ୍ତି ଅଭିଯୁକ୍ତ ରିକୁ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଛି । ଏପରିକି ଏଥିରେ ସହାୟତା କରିଛନ୍ତି ସେହି ସୋହେଲା ଥାନାରେ କାର୍ଯ୍ୟରତ ଏଏସଆଇ ବନମାଳି କୁଅଁର ।

ବଡକଥା ହେଉଛି ପୋଲିସ ବାବୁ ଜଣକ କେବଳ ଅଭିଯୁକ୍ତକୁ ସହାୟତା କରିନାହାନ୍ତି ବରଂ ସେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ନାବାଳିକାଙ୍କ ୧୬୪ରେ ବୟାନ ରେକର୍ଡ କରିବା ସହ ଅଭିଯୋଗର ତଦନ୍ତ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛି । ଏପରିକି ଏଏସଆଇଙ୍କ ବିରୋଧରେ ଅଭିଯୋଗ ପ୍ରମାଣ ହେଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି । ସେପଟେ ପ୍ରେମିକ ରିକୁ ନାଗ ବିରୋଧରେ ଦୁଷ୍କର୍ମ ମାମଲା ଓ ପୀଡିତା ନାବାଳିକା ହୋଇଥିବାରୁ ପୋକ୍ସୋ ଆକ୍ଟରେ ମଧ୍ୟ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି ପୋଲିସ ।