ସୁପ୍ରିମକୋର୍ଟରେ ଅଯୋଧ୍ୟା ଶୁଣାଣି: ମଧ୍ୟସ୍ଥତା ପ୍ୟାନେଲକୁ ରିପୋର୍ଟ ଦେବାକୁ କହିଲେ ସର୍ବୋଚ୍ଚ ଅଦାଲତ, ଜୁଲାଇ ୧୮ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ଜୁଲାଇ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି

144

କନକ ବ୍ୟୁରୋ: ଅଯୋଧ୍ୟା ରାମ ଜନ୍ମଭୂମି- ବାବରୀ ମସଜିଦ୍ ଜମି ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଗଠନ କରିଥିବା ମଧ୍ୟସ୍ଥି ପ୍ୟାନେଲ କାର୍ଯ୍ୟ କରୁନାହାଁନ୍ତି ବୋଲି କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ଖଣ୍ଡପୀଠ । ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରି ମଧ୍ୟସ୍ଥି ପ୍ୟାନେଲକୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି କୋର୍ଟ । ୧୮ ଜୁଲାଇ ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ରିପୋର୍ଟ ତର୍ଜମା କରିବା ପରେ ଆଗକୁ ମଧ୍ୟସ୍ଥି ପ୍ୟାନେଲ କାର୍ଯ୍ୟ କରିବ କି ନାହିଁ ତାହା ଆସନ୍ତା ୨୫ ତାରିଖରେ ନିଷ୍ପତି ନିଆଯିବ । ଏବଂ ଯଦି ଆଗକୁ ମଧ୍ୟସ୍ଥି ପ୍ୟାନେଲ କାର୍ଯ୍ୟ ନକରେ ତେବେ ପ୍ରତିଦିନ ଶୁଣାଣି ହେବ ।

ହିନ୍ଦୁ ପକ୍ଷରୁ ଲଢ଼ୁଥିବା ଆଇନଜୀବି ରଞ୍ଜିତ୍ କୁମାର କହିଛନ୍ତି ୧୯୫୦ରୁ ଏହି ମାମଲା ଚାଲିଆସୁଛି । କିନ୍ତୁ ଏପର୍ଯ୍ୟନ୍ତ ଏହି ମାମଲାର ସମାଧାନ ହୋଇପାରୁନାହିଁ । ମଧ୍ୟସ୍ଥି ଏହି କାର୍ଯ୍ୟ ଠିକରେ କରିପାରୁନାହାଁନ୍ତି । ତେଣୁ କୋର୍ଟ ଏହି ମାମଲାର ତୁରନ୍ତ ରାୟ ଶୁଣାଇବା ଆବଶ୍ୟକ । ଏହି ମାମଲାର ଶୁଣାଣି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କ ତିନି ଜଣିଆ ବେଂଚ କରୁଛନ୍ତି । ତେବେ ଖଣ୍ଡପୀଠ କହିଛନ୍ତି ଅନୁବାଦ କରିବାକୁ ଅଧିକ ସମୟ ଲାଗିବାରୁ ମଧ୍ୟସ୍ଥି ପ୍ୟାନେଲ ଅଧିକ ସମୟ ମାଗିଥିଲେ । ଏବେ ପ୍ୟାନେଲକୁ ରିପୋର୍ଟ ମଗାଯାଇଛି । ଏହି ବିବାଦର ସମାଧାନ ପାଇଁ ମାର୍ଚ୍ଚ ୮ତାରିଖରେ ସୁପ୍ରିମକୋର୍ଟ ଏକ ତିନି ଜଣିଆ ମଧ୍ୟସ୍ଥି କମିଟି ଗଠନ କରିଥିଲେ । କିନ୍ତୁ ଏହି କମିଟି ସେଭଳି କିଛି ସଫଳତା ପାଇନଥିବା କୋର୍ଟରେ ପକ୍ଷ ରଖିଛନ୍ତି କେତେଜଣ ଆବେଦନକାରୀ ।