ସାଂସଦ ସରୋଜିନୀଙ୍କ ସୁରିଲା ସ୍ୱରରେ ଝୁମିଲେ ଦର୍ଶକ । ତାଳିମାଡରେ କମ୍ପିଲା ସାଂସ୍କୃତିକ କାର୍ଯ୍ୟକ୍ରମ ।

436

କନକ ବ୍ୟୁରୋ : ନିଜ ସୁରିଲା ସ୍ୱରରେ ଉପସ୍ଥିତ ଦର୍ଶକଙ୍କୁ ମତୁଆଲା କଲେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ । ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ସାଂସଦ ସରୋଜିନୀଙ୍କ କିଛି ଏଭଳି ଅନ୍ଦାଜ ଦେଖିବାକୁ ମିଳିଛି । ଯେଉଁଠି ଏକ ଲୋକପ୍ରିୟ ଓଡିଆ ଫିଲ୍ମ ଗୀତ ଗାଇ ସଭିଁଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ସରୋଜିନୀ ।

ମଞ୍ଚରେ ମାଇକ୍ ଧରି ଗୀତ ଗାଉଛନ୍ତି ସାଂସଦ ସରୋଜିନୀ ହେମ୍ବ୍ରମ୍ । ଲୋକପ୍ରିୟ ଓଡିଆ ଗୀତକୁ ନିଜ ସୁରିଲା ସ୍ୱରରେ ଗାଇଛନ୍ତି ସରୋଜିନୀ । ଆଉ ସରୋଜିନୀଙ୍କ ଏହି ସୁରିଲା ସ୍ୱଭାବରେ ମନ୍ତ୍ରମୁଗ୍ଧ ହେଉଛନ୍ତି ଦର୍ଶକ । ବାରିପଦାରେ ଅନୁଷ୍ଠିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସରୋଜିନୀଙ୍କ ସଙ୍ଗୀତ ପ୍ରତି ରହିଛି ଦୁର୍ବଳତା । ପିଲାଦିନୁ ସଙ୍ଗୀତରେ ବିଧିବଦ୍ଧ ଭାବେ ତାଲିମ୍ ମଧ୍ୟ ନେଇଛନ୍ତି । ଏଥିପାଇଁ ଯେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଉଛନ୍ତି ସେଠାରେ ଉପସ୍ଥିତ ଦର୍ଶକ ତାଙ୍କର ସୁମଧୁର କଣ୍ଠରୁ ଗୀତ ଗାଇବା ପାଇଁ ଅନୁରୋଧ କରିଥାନ୍ତି । ସରୋଜିନୀ ଓଡିଆ,ହିନ୍ଦୀ,ସାନ୍ତାଳି ଓ ଝୁମର ଗୀତ ଖୁବ୍ ସୁନ୍ଦର ଭାବେ ଗାଇଥାନ୍ତି । ନିକଟରେ ବାରିପଦା ସହରର ତକତପୁର ଏବଂ ଓଡିଆ ପାଡା ଯୁବ ସଂଘ ପକ୍ଷରୁ ଆୟୋଜିତ ହୋଇଥିବା ସାସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଚ ଉପରେ ଗାଇଥିଲେ ଲୋକଗୀତ ଝିମର ।

ଦୀର୍ଘ ବର୍ଷ ରାଜନୀତିରେ ରହି ଏତେ କାର୍ଯ୍ୟ ବ୍ୟସ୍ତତା ଭିତରେ ମଧ୍ୟ ନିଜ ଭିତରେ ଲୁଚିରହିଥିବା କଳାକୁ ଭୁଲିପାରିନାହାଁନ୍ତି ସାଂସଦ ସରୋଜିନୀ ହେମ୍ବ୍ରମ୍ । ରାଜନୀତିରେ ପାଦ ଦେବା ପରେ ନିଜକୁ ଲୋକସେବାରେ ନିୟୋଜିତ ରଖିଛନ୍ତି । ସରୋଜିନୀ ବାରିପଦାର ବାଙ୍ଗିରିପୋଷୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାୟିକା ହେବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ତତନ୍ତ୍ର ଓ ବୟନଶିଳ୍ପର ମନ୍ତ୍ରୀ ମଧ୍ୟ ରହିଆସିଛନ୍ତି । ୨୦୧୪ରୁ ବିଜେଡିର ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ ତୁଲାଉଛନ୍ତି ସରୋଜିନୀ ହେମ୍ବ୍ରମ୍ ।