ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ହେବା ନେଇ ଚର୍ଚ୍ଚା : ଏନଡିଏକୁ ଚେକ୍ ଦେବା ପାଇଁ କଂଗ୍ରେସ କରିପାରେ ସମର୍ଥନ

49

କନକ ବ୍ୟୁରୋ: ରାଜ୍ୟସଭାର ଉପାଧ୍ୟକ୍ଷ ପଦ ପାଇଁ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ରାଜ୍ୟସଭାର ଉପାଧ୍ୟକ୍ଷ ପି.ଜେ.କୁରିଏନଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଛି । ଆସନ୍ତା ମୌସୁମୀ ଅଧିବେଶନରେ ଏହି ନିର୍ବାଚନ ହେବ ।

ତେବେ ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁସାରେ, ଏନଡିଏକୁ ଚେକ୍ ଦେବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିପାରେ । ରାଜ୍ୟସଭାରେ ବିଜେଡିର ପଲ୍ଲା ଭାରିଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି ।

ସେପଟେ ଏଭଳି ଚର୍ଚ୍ଚା ନେଇ ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଏହି ବିଷୟରେ ମୁଁ କିଛି ଜାଣିନାହିଁ । ଆମେ କଂଗ୍ରେସ-ବିଜେପିଠାରୁ ସମଦୂରତ୍ୱ ବଜାୟ ରଖିଛୁ ।

ରାଜ୍ୟସଭାର ଗଣିତ

ରାଜ୍ୟସଭାରେ ନୂଆ ଉପାଧ୍ୟକ୍ଷ ହେବା ପାଇଁ ଆବଶ୍ୟକ ୧୨୨ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ରାଜ୍ୟସଭାରେ ଏନଡିଏର ସଦସ୍ୟଙ୍କ ସଂଖ୍ୟା ହେଉଛି ୧୦୫ । ଏନଡିଏକୁ ୬ ଜଣ ସ୍ୱାଧୀନ ଓ ଅନ୍ୟ ସଦସ୍ୟ ସମର୍ଥନ କରିପାରନ୍ତି । ଟିଆରଏସ ଓ ୱାଇଏସଆର କଂଗ୍ରେସ ଏନଡିଏକୁ ସମର୍ଥନ କଲେ ବି ବିଜେଡି ସମର୍ଥନ ବେଶ ଜରୁରୀ । ଏଭଳି କ୍ଷେତ୍ରରେ ବିଜେଡି ବିରୋଧୀଙ୍କୁ ସମର୍ଥନ କଲେ ପଲ୍ଲା ଭାରି ରହିବ । ୟୁପିଏ ପାଖରେ ରହିଛି ୫୮ ଆସନ । ତେବେ ମିଳିତ ବିରୋଧୀ ଦଳ ଯଦି ଜଣକୁ ପ୍ରାର୍ଥୀ କରନ୍ତି ତାହାହେଲେ ବିରୋଧୀ ଶିବରର ପଲ୍ଲା ଭାରି ରହିବ । ୟୁପିଏକୁ ତୃଣମୂଳ କଂଗ୍ରେସ, ଟିଡିପି, ବାମଦଳ ଓ ଅନ୍ୟ ଛୋଟ ଦଳ ସମର୍ଥନ କରିପାରନ୍ତି ।