କୋକେଇ ! ଶେଷ ଯାତ୍ରାର ଶେଷ ସାଥୀ । ୬ ଖଣ୍ଡ କାଠରେ ତିଆରି ଛୋଟିଆ ଖଟିଆ । ମଣିଷ ଦେହତ୍ୟାଗ କରିବା ପରେ ଶଶ୍ମାନକୁ ଯିବା ପାଇଁ କୋକେଇ ଲୋଡା । କୋକେଇ ଉପରେ ଶୋଇଥିବା ମୃତ ମଣିଷଟିଏ ବନ୍ଧୁ ପରିଜନ ଓ ସମ୍ପର୍କୀୟଙ୍କ କାନ୍ଧ ଉପରେ ବୁହା ହୋଇ ମଶାଣି ଚାଲିଯା’ନ୍ତି। ତା’ପରେ ଅନ୍ତିମ ସଂସ୍କାର ଭିତରେ ଲୀନ ହୋଇଯାଏ ପାର୍ଥବ ଶରୀର। ଏହି କୋକେଇ କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ସେହି ସମୟର ଆବଶ୍ୟକତାରୁ ଜଣାପଡ଼ିଯାଏ। ହେଲେ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯା’ନ୍ତି ସେହି କୋକେଇ ତିଆରି କରୁଥିବା ମଣିଷ। ମୃତବ୍ୟକ୍ତିଙ୍କ ବନ୍ଧୁ ପରିଜନଙ୍କ ନିକଟରେ ଯିଏ ଖୋଜା ପଡ଼ନ୍ତି। ସେହିଭଳି ଖୋଜାପଡ଼ୁଥିବା ଜଣେ ମଣିଷ ହେଉଛନ୍ତି ରାଜୁ ତୁରୀ। ଯିଏକି, ଦୀର୍ଘ ୪୦ ବର୍ଷ ଧରି କେବଳ ଏହାକୁ ବୃତ୍ତି ଭାବେ ଗ୍ରହଣ କରିନାହାନ୍ତି, ଏଯାବତ୍ ୩୫ ହଜାର କୋକେଇ ତିଆରି କରିସାରିଲେଣି।
ରାଜୁଙ୍କ ଘର ବିହାରର ବାଙ୍କା ଜିଲ୍ଲା ଅନ୍ତର୍ଗତ ଦେଉଦା ଗ୍ରାମ। ରାଉରକେଲା ଅନ୍ତର୍ଗତ ସେକ୍ଟର-୫ସ୍ଥିତ ଦୀପକ ଟକିଜ୍ ନିକଟରେ ଦୀର୍ଘବର୍ଷ ଧରି ରହି ଆସୁଛନ୍ତି ସେ। ତାଙ୍କୁ ଏବେ ୭୦ ପୂରିଲାଣି। ଏହିଭଳି ପରିଣତ ବୟସରରେ ଉପନୀତ ହୋଇଥିଲେ ମଧ୍ୟ କୋକେଇ ତିଆରି ବୃତ୍ତିରୁ କେବେ ଓହରିନାହାନ୍ତି।

ରାଜୁଙ୍କ କହିବାନୁସାରେ, ୨୨ ବର୍ଷ ବୟସରେ ସେ ଏହି କାମ ଆରମ୍ଭ କରିଥିଲେ। ସହରର ସମେତ ବୀରମିତ୍ରପୁର, କୁଆରମୁଣ୍ଡା ଆଦି ଅଞ୍ଚଳରୁ ମୃତକଙ୍କ ପରିବାର କୋକେଇ ନେବାକୁ ତାଙ୍କ ପାଖକୁ ଆସନ୍ତି। ଖରା, ବର୍ଷା, ଶୀତରେ ଦିନ ରାତି ସେମିତି ଗୁମୁଟି ଭିତରେ ଶୋଇ ରହିଥା’ନ୍ତି। ଯିଏ ପହଞ୍ଚନ୍ତି ସାଙ୍ଗେସାଙ୍ଗେ କାମରେ ଲାଗିଯା’ନ୍ତି। କାହାକୁ ଫେରାଇ ଦିଅନ୍ତିନି ସେ।

ଏପରିକି ରାତି ଅଧରେ କୋକେଇ ପ୍ରସ୍ତୁତ ହୋଇ ନଥିଲେ ଭିଡ଼ି କରି ଦେଇଥାନ୍ତି। ପାରିଶ୍ରମିକ ବାବଦରେ କୋକେଇ ପିଛା ୩୫୦ ଟଙ୍କା ନେଇଥାନ୍ତି। ଗରିବ ହେଉ କି ଧନୀ ପରିବାର କାହାଠାରୁ ଟଙ୍କାଟିଏ ଅଧିକ ନିଅନ୍ତି ନାହିଁ। ଗରିବ ଲୋକ ଯିଏ ଯାହା ଦେଲେ ମଧ୍ୟ ମନ ଊଣା ବି କରନ୍ତି ନାହିଁ। ପତ୍ନୀ ଜିତିନି ତୁରୀ ତାଙ୍କୁ ଏହି କାମରେ ସାହାଯ୍ୟ କରୁଥିଲେ। ଗତବର୍ଷ ନଭେମ୍ବର ମାସରେ ପତ୍ନୀ ଜିତିନି ଆରପାରିକୁ ଚାଲିଯିବା ପରେ ମଧ୍ୟ ସେ ଏ କାମକୁ ଛାଡ଼ି ପାରିନାହାନ୍ତି। କୋକେଇ ବିକ୍ରିରୁ ମିଳୁଥିବା ପାରିଶ୍ରମିକରେ ଗୋଟିଏ ଝିଅକୁ ଓ ଦୁଇ ପୁଅକୁ ବିବାହ କରାଇଛନ୍ତି ବୋଲି କୁହନ୍ତି ସେ।

ରାଜୁ କୋକେଇ ତିଆରିକୁ ବୃତ୍ତି ଭାବେ ଗ୍ରହଣ କରିବା ପଛରେ ବି ଏକ କାହାଣୀ ରହିଛି। ୨୦ ବର୍ଷ ବୟସରେ ରାଜୁ ରାଉରକେଲା ଇସ୍ପାତ କାରଖାନା ଠିକା ଶ୍ରମିକ ଭାବେ କାମ କରିଥିଲେ। ଠିକ୍ ସମୟରେ ପାରିଶ୍ରମିକ ନ ମିଳିବାରୁ ଆର୍ଏସ୍ପିରୁ କାମ ଛାଡି ଦୀପକ ଟକିଜ୍ ନିକଟରେ ପଲଙ୍କ ତିଆରି କାମ ଆରମ୍ଭ କଲେ। ସେତେବେଳେ ଶ୍ମଶାନକୁ ଶବ ନେବାକୁ ପରିବାର ଲୋକ ଖଟିଆ ଖୋଜୁଥିବା ଜାଣିବାକୁ ପାଇଥିଲେ। ପଲଙ୍କ ତିଆରି କାମ ଛାଡି ଖଟିଆ ତିିଆରି କଲେ। ଖଟିଆ ପିଛା ୧୦ଟଙ୍କା ନେଉଥିଲେ। ପରବର୍ତ୍ତୀ ସମୟ କାଠ ନ ମିଳିବାରୁ ବାଉଁଶରେ କୋକେଇ ତିଆରି କଲେ। କୋକେଇ ଗୋଟିକୁ ୨୫ରୁ ୩୦ ଟଙ୍କା ନେଉଥିଲେ। ଆବଶ୍ୟକ ସାମଗ୍ରୀ ବର୍ଦ୍ଧିତ ଦର ଯୋଗୁଁ ଏବେ ସେ କୋକେଇକୁ ୩୫୦ ଟଙ୍କା କରି ବିକୁଛନ୍ତି। ଦିନକୁ ୨ରୁ ୩ଟି ଏପରି ମାସକୁ ପାଖାପାଖି ୧୦୦ କୋକେଇ ବିକ୍ରି କରୁଛନ୍ତି।

‘ମୃତ୍ୟୁ ଧ୍ରୁବ ସତ୍ୟ। ସମସ୍ତଙ୍କ ପାଇଁ ମୁଁ କୋକେଇ ତିଆରି କରୁଛି। ଦିନ ଆସିବ ମୋତେ ବି ଏଇ କୋକେଇରେ ଯିବାକୁ ପଡ଼ିବ। ଏମିତି ମହତ କାର୍ୟ୍ୟରୁ ମୋତେ ଆତ୍ମସନ୍ତୋଷ ମିଳୁଛି। ଯେତେଦିନ ପର୍ୟ୍ୟନ୍ତ ଗୋଡ଼ହାତ ଚାଲୁଥିବ ସେତେଦିନ ପର୍ୟ୍ୟନ୍ତ ସହରବାସୀଙ୍କ କୋକେଇ ତିଆରି କରୁଥିବ,’ ବୋଲି କୁହନ୍ତି ରାଜୁ।