ପେସାରେ ଶିକ୍ଷକ ହେଲେ ନିଶା ଚାଷ କରିବା । ବାଡିରେ ୭ଫୁଟ ୪ ଇଂଚ ଲମ୍ବର ବିରଳ ଛଚିନ୍ଦ୍ରା ଫଳାଇ ଚର୍ଚ୍ଚାରେ ରାଜକନିକାର ରାଜେନ୍ଦ୍ର ସାର୍

1,683

କନକ ବ୍ୟୁରୋ: ଆଜିର ଦିନରେ ଲୋକେ ନିଜ ବାଡି ବଗିଚାରେ ଆଉ ପୂର୍ବଭଳି ପନିପରିବା ଚାଷ ଆଦି କରୁନାହାଁନ୍ତି । ଗାଁ ଗଣ୍ଡାରେ ଥିବା ଚାଳ ଛପର ଘରମାନଙ୍କରେ ବି ଆଉ ଆଗ ଭଳି ବୋଇତି କଖାରୁ, ଜହ୍ନି, ଲାଉ, ପୋଇ, କାକୁଡି ଭଳି ପରିବା ଗଛ ଦେଖିବାକୁ ମିଳୁନି । ପରିବାଟିଏ ଖାଇବାକୁ ହେଲେ ଲୋକେ ଏବେ ବଜାର ହାଟ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ଏବେବି କିଛି ଲୋକ ଏଭଳି ଅଛନ୍ତି ଯିଏକି ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରି ସହ ଚାଷକୁ ମଧ୍ୟ ସେତିକି ଗୁରୁତ୍ୱ ଦେଉଛନ୍ତି ।

ଏଭଳି ହିଁ ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ରାଜକନିକାର ରାଜେନ୍ଦ୍ର ରାଉତ । ରାଜେନ୍ଦ୍ର ପେସାରେ ଜଣେ ଶିକ୍ଷକ । ହେଲେ ନିଶା ତାଙ୍କର ଚାଷ କରିବା । ଶିକ୍ଷକତା ସାଙ୍ଗକୁ ଚାଷ କରିବାକୁ ବେଶ୍ ଭଲ ପାଆନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଓଳାଭର ଗୋବିନ୍ଦପୁର ଗାଁର ରାଜେନ୍ଦ୍ର ରାଉତ । ବଡ କଥା ହେଲା ରାଜେନ୍ଦ୍ର ନିଜର କର୍ମମୟ ଜୀବନରୁ ଯେତିକି ବି ଟିକିଏ ସମୟ ପାଉଛନ୍ତି ସେହି ସମୟ ତକକୁ ସେ ଚାଷ କାମରେ ହିଁ ନିୟୋଜିତ କରିଦେଉଛନ୍ତି । ଆଉ ରାଜେନ୍ଦ୍ର ନିଜର ଇଚ୍ଛା ଏବଂ ନିଷ୍ଠା ଯୋଗୁଁ ମାତ୍ର ୪ ଢିସମିଲ ବାଡିରେ ବାଇଗଣ ,ପୋଇ,ଛଚିନ୍ଦ୍ରା ଓ ବିଭିନ୍ନ ପ୍ରକାର ପନିପରିବା କରିଛନ୍ତି ।

ରାଜେନ୍ଦ୍ର ଓଳାଭର ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି । ପିଲାମାନଙ୍କୁ ପାଠ ପଢାଇ ଛୁଟିହେବା ପରେ ନିଜ ବାଡି ବଗିତାରେ ଜୈବିକ ସାର ପ୍ରୟୋଗ କରି ୭ ଫୁଟ ୪ ଇଂଚର ଛଚିନ୍ଦ୍ରା ବଢାଇ ପାରିଛନ୍ତି । ଯାହାକୁ ଦେଖିବା ପାଇଁ ତାଙ୍କ ଘରେ ଏବେ ପ୍ରତିଦିନ ଲୋକଙ୍କର ଭିଡ ଜମୁଛି । ତେବେ ରପାଜେନ୍ଦ୍ର ସ୍କୁଲରୁ ଫେରି ନିଜ ନିତ୍ୟକର୍ମସବୁ ସାରି ଚାଷ କାମରେ ଲାଗି ପଡନ୍ତି । ପରିଶ୍ରମ କରି ସେ ନିଜ ବାଡିରେ ବାଇଗଣ, ଭେଣ୍ଡି , ଜହ୍ନି, କାକୁଡି, ଛଚିନ୍ଦ୍ରା ଏବଂ ଭେଣ୍ଡି ଇତ୍ୟାଦି ପନିପରିବା ଗଛ ଲଗାଇଛନ୍ତି । ଆଉ ପନିପରିବାର ଚୋପାକୁ ସେ ଏଣେତେଣେ ନ ଫିଙ୍ଗି ଏକ ଗାତରେ ପୋତି ସେଥିରୁ ଜୈବିକ ସାର ପ୍ରସ୍ତୁତ କରୁଛନ୍ତି । ଆଉ ଏହି ସାରକୁ ସେ ଗଛରେ ବ୍ୟବହାର କରୁଛନ୍ତି । ତେବେ ରାଜେନ୍ଦ୍ରଙ୍କ ବାପା ମଧ୍ୟ ଜଣେ ଅପସରପ୍ରାପ୍ତ ଶିକ୍ଷକ ଏବଂ ସେ ମଧ୍ୟ ଶିକ୍ଷକତା ସାଙ୍ଗକୁ ଚାଷବାସ କରିବାକୁ ରୁଚି ରଖନ୍ତି । ସ୍କୁଲରୁ ଅବସର ପାଇବା ପରେ ସେ ଚାଷବାସରେ ବେଶି ଗୁରୁତ୍ୱ ଦେଉଥିଲେ ଆଉ ବାପାଙ୍କର ଏହି ଆଦର୍ଶନରେ ଅନୁପ୍ରାଣିତ ହୋଇ ରାଜେନ୍ଦ୍ର ମଧ୍ୟ ପିଲାଟି ଦିନରୁ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି ।

Comments are closed.