ରାଜସ୍ଥାନରେ ବି କୃଷି ଋଣ ଛାଡ କଲା ଗେହଲଟ ସରକାର । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ ପାଇବେ ଚାଷୀ

286

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ଛତିଶଗଡ ପରେ ନବ ନିର୍ବାଚିତ ରାଜସ୍ଥାନର କଂଗ୍ରେସ ସରକାର ମଧ୍ୟ କୃଷିଋଣ ଛାଡ ବିଲରେ ମୋହର ମାରିଛନ୍ତି । ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତିକୁ ସରକାରକୁ ଆସିବା କ୍ଷଣି ପାଳନ କରିଛନ୍ତି ରାଜସ୍ଥାନର ଗେହଲଟ ସରକାର । ରାଜ୍ୟର ସମସ୍ତ କୃଷକଙ୍କ ୨ ଲକ୍ଷ ଟଙ୍କାର କୃଷି ଋଣ ଛାଡ କରିଛନ୍ତି ଗେହଲଟ ସରକାର । ୩୦ ନଭେମ୍ବର ୨୦୧୮ ମଧ୍ୟରେ ନିଆଯାଇଥିବା ଋଣରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ କରିବାକୁ ଘୋଷଣା କରିଛନ୍ତି ଗେହଲଟ ସରକାର ।

ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ଘୋଷଣାପତ୍ରରେ ଦଳ ସରକାରକୁ ଆସିଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରିବାକୁ ଘୋଷଣା କରିଥିଲା । ସରକାରକୁ ଆସିବାର ୧୦ ଦିନ ମଧ୍ୟରେ କୃଷି ଋଣ ଛାଡ କରିବାକୁ ରାହୁଲ ଗାନ୍ଧି ନିର୍ବାଚନ ପ୍ରଚାର ସମୟରେ ପ୍ରତିଶୃତି ଦେଇଥିଲେ । ଯାହାକୁ ପୂରା କରିଛନ୍ତି ଗେହଲଟ । ଏହି ଘୋଷଣା ଅନୁଯାୟୀ ରାଜ୍ୟ ସରକାର ୧୮୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଏହାପୂର୍ବରୁ ମଧ୍ୟପ୍ରଦେଶରେ କମଲନାଥ ସରକାର ଶପଥ ନେବାର ୨ ଘଣ୍ଟା ମଧ୍ୟରେ କୃଷିଋଣ ଛାଡ କରିବାକୁ ଘୋଷଣା କରିଥିଲେ । କେବଳ କମଲନାଥ ନୁହନ୍ତି ବରଂ ଛତିଶଗଡରେ ଭୂପେଶ ବାଘେଲ ସରକାର ମଧ୍ୟ ସରକାରକୁ ଆସିବା ସହ ଋଣ ଛାଡ କରିବାକୁ ଘୋଷଣା କରିଥିଲେ । ଏପରିକି ରାହୁଲ ଗାନ୍ଧି ମଧ୍ୟ କୃଷି ଋଣ ଛାଡ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଯେତେବେଳେ ଯାଏଁ ନରେନ୍ଦ୍ର ମୋଦି ସରକାର କୃଷି ଋଣ ଛାଡ ନେଇ କୌଣସି ନିଷ୍ପତି ନ ନେଇଛନ୍ତି ସେତେବେଳ ଯାଏଁ ତାଙ୍କୁ ଶୁଆଇଦେବେ ନାହିଁ ବୋଲି କହିଛନ୍ତି ରାହୁଲ ।