ଆତ୍ମହତ୍ୟା ପୂର୍ବରୁ ଏସପିଙ୍କ ପାଖକୁ ଆସିଥିଲା ଅଧ୍ୟାପିକାଙ୍କ ଫୋନ୍! ଅଭିଯୁକ୍ତଙ୍କ ନାଁ ଓ ନମ୍ବର ଦେଇ ଜଣାଇଥିଲେ ଦୁଃଖ, ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଏସପି

1,287

କନକ ବ୍ୟୁରୋ : ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଏସପିଙ୍କ ସହିତ ଫୋନରେ କଥା ହୋଇଥିଲେ ରାଇରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକା । ଆଉ ଯଦି ପୋଲିସ ଚାହିଁଥାନ୍ତା ତେବେ ଅଭିଯୁକ୍ତ ଗିରଫ ହୋଇଥାଇ ପାରିଥାନ୍ତେ ଏବଂ ଅଧ୍ୟାପିକାଙ୍କ ଏପରି ମୃତ୍ୟୁ ହୋଇନଥାନ୍ତା । ଅଧ୍ୟାପିକାଙ୍କ ବାପା ଏପରି କହିବା ପରେ ତାଙ୍କ ମୃତ୍ୟୁ କେମିତି ହେଲା ସେନେଇ ବଢିଛି ରହସ୍ୟ । ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗରିଫ କରିସାରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି ।

ରହସ୍ୟ ଘେରରେ ରାଇରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ମୃତ୍ୟୁ । ଅଧ୍ୟାପିକାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବା ପରେ ପରିବାରଲୋକଙ୍କ ଅଭିଯୋଗ, ଏହା ଆତ୍ମହତ୍ୟା ନୁହେଁ ହତ୍ୟା । ସେମାନଙ୍କ କହିବା ହେଲା, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଏସପି ପରମାର ସ୍ମିଥଙ୍କ ସହିତ କଥା ହୋଇଥିଲେ ଅଧ୍ୟାପିକା । ପୋଲିସ ଚାହିଁଥିଲେ ଅଧ୍ୟାପିକାଙ୍କ ଜୀବନ ବଂଚି ଯାଇପାରିଥାନ୍ତା ।

ଶନିବାର । ୧୨.୩୦ରୁ ଗୋଟାଏ । ବିଶେଷସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ପ୍ରାୟ ୧୨ଟା୩୦ରୁ ଗୋଟାଏ ମଧ୍ୟରେ ଅଧ୍ୟାପିକା ଜଣଙ୍କ ଏସପିଙ୍କୁ ଫୋନ କରିଥିଲେ । ପ୍ରାୟ ୩ ମିନିଟ ଧରି ଚାଲିଥିଲା କଥାବାର୍ତା । ଏହି ଆଲୋଚନା ସମୟରେ,
• ଅଧ୍ୟାପିକା ଜଣଙ୍କ କେସ ବାବଦରେ ଆଲୋଚନା କରିଥିଲେ ।
• ଦୁଷ୍କର୍ମରେ ଜଡିତ ଅଭିଯୁକ୍ତମାନଙ୍କ ନାଁ କହିଥିଲେ ଅଧ୍ୟାପିକା ।
• ଅଭିଯୁକ୍ତମାନଙ୍କ ଫୋନ ନମ୍ବର ଦେଇଥିଲେ ।
• ଅଧ୍ୟାପିକାଙ୍କୁ ଦେଖା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏସପି ।
• ତେବେ କଥାବାର୍ତା ସମୟରେ ଅଧ୍ୟାପିକା ଜଣଙ୍କ ମାନସିକ ଦୁଶ୍ଚିନ୍ତାରେ ନଥିଲେ ବୋଲି କହିଛନ୍ତି ଏସପି
• ନ୍ୟାୟ ମିଳିବା ନେଇ ପ୍ରତିଶ୍ରୁତି ଦେଇଥିଲେ ଏସପି
ଏହି ସୂଚନାକୁ ଆଧାର କରି ଅଭିଯୁକ୍ତକୁ ଧାନମଣ୍ଡଳ ରେଲୱେ ଷ୍ଟେସନରୁ ଗିରଫ କରିଥିଲା ପୋଲିସ ।

ଏସପିଙ୍କ ସହିତ କଥାବାର୍ତା ହେବା ପରେ ଦିନ ପ୍ରାୟ ସାଢେ ଗୋଟାଏ ସମୟରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ ଅଧ୍ୟାପିକା । ତେବେ ସନ୍ଧ୍ୟା ୫ଟା ପରେ ଆଉ କାହାରି ଫୋନ କଲ୍ ରିସିଭ କରିନଥିଲେ । ରାତି ୮.୩୦ରେ ଅଧ୍ୟାପିକାଙ୍କ ମୃତ୍ୟୁ ଖବର ପାଇଥିଲେ ପରିବାର ଲୋକେ । ଏହି ଦୁଷ୍କର୍ମ ଅଭିଯୋଗ ଘଟଣାରେ ୩୦.୧୦.୧୯ରେ ଏଫଆଇଆର ହୋଇଥିଲା । ମାମଲାର ତଦନ୍ତ କେତେଦୁର ଆଗେଇଲା ତାହା ଜାଣିବା ପାଇଁ ଅଧ୍ୟାପିକାଙ୍କ ବାପା ୧୫ଦିନ ଥାନାକୁ ଦୌଡିଥିଲେ ମଧ୍ୟ ତଦନ୍ତରେ କୌଣସି ଅଗ୍ରଗତି ହୋଇନଥିଲା । ଆଉ ଠିକ ମାସେ ପରେ ଅଧ୍ୟାପିକା ଝୁଲନ୍ତା ଅବସ୍ଥାରେ ମିଳିଥିଲେ । ତେବେ ଏନେଇ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ କହିଛନ୍ତି, ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ଦୁଷ୍କର୍ମକାରୀ ଯେତିକି ଦୋଷୀ , ଏତଲା ନ ରଖି ଫେରାଇ ଦେଇଥିବା ପୋଲିସ ଅଧିକାରୀ ମଧ୍ୟ ସେତିକି ଦୋଷୀ ।