ନୂଆ ରେଳମନ୍ତ୍ରୀଙ୍କ ଐତିହାସିକ ନିଷ୍ପତି ! ରେଲୱେର ବିଭିନ୍ନ ବର୍ଗରେ ହେବେ ୧ ଲକ୍ଷ କର୍ମଚାରୀ ନିଯୁକ୍ତ, ଲଗାତାର ଦୁର୍ଘଟଣା ପରେ ପ୍ରଶାସନର ଭାଙ୍ଗିଲା ନିଦ

47

କନକ ବ୍ୟୁରୋ : ଗତ କିଛି ଦିନ ହେବ ଦେଶର ବିଭିନ୍ନ ଅଂଚଳରେ ବୃଦ୍ଧି ପାଇଛି ରେଳ ଦୁର୍ଘଟଣା । ଯାହା ଏବେ କେନ୍ଦ୍ର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହା ସହ ନୂଆ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ପାଇଁ ପାଲଟିଯାଇଛି ଚ୍ୟାଲେଂଜ୍ । ତେବେ ଏହି ଦୁର୍ଘଟଣା ଉପରେ ଲଗାମ ଲଗାଇବାକୁ ଅଂଟା ଭିଡିଛନ୍ତି ପୀୟୁଷ ଗୋୟଲ୍ । ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଆଖି ଆଗରେ ରଖି ପ୍ରାୟ ୧ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ନେଇଛନ୍ତି ଐତିହାସିକ ନିଷ୍ପତି ।

ପୀୟୁଷ ଗୋୟଲଙ୍କ ସମ୍ମୁଖରେ ଏବେ ଦୁଇଟି ବଡ଼ ଚ୍ୟାଲେଂଜ୍ । ପ୍ରଥମ ହେଉଛି ଯାତ୍ରୀଙ୍କ ସୁରକ୍ଷା ଏବଂ ଦ୍ୱିତୀୟରେ ହେଉଛି ଲଗାତାର ଟ୍ରେନ୍ ଦୁର୍ଘଟଣା ଯୋଗୁଁ ରେଲୱେର ଖରାପ ଛବିକୁ ସୁଧାରିବା । ତେଣୁ ନୂଆ ରେଳମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରୁ କରୁ ଆକ୍ସନ ମୁଡରେ ପୀୟୁଷ ଗୋୟଲ୍ । ଗତ କିଛି ବର୍ଷ ଧରି ବନ୍ଦ ଥିବା ସୁରକ୍ଷା କ୍ୟାଟେଗୋରୀରେ ଏବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ନୂଆ ରେଳ ମନ୍ତ୍ରୀ । ରବିବାର ରେଲୱେ ବୋର୍ଡ ଓ ଜୋନାଲ୍ ମହାପ୍ରବନ୍ଧକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରି ଏହି ଐତିହାସିକ ନିଷ୍ପତି ନେଇଛନ୍ତି ପୀୟୁଷ ଗୋୟଲ ।

ବୈଠକରେ ମହାନିର୍ଦ୍ଦେଶକ କହିଛନ୍ତି ସୁରକ୍ଷା ବର୍ଗରେ ଜୁନିୟର୍ ଏବଂ ସିନିୟର୍ ସେକ୍ସନ୍ ଇଞ୍ଜିନିୟର୍ ଶତ ପ୍ରତିଶତ ଭତ୍ତିକୁ ନେଇ ନିଷ୍ପତି ନିଆଯାଇଛି । ଆଗାମୀ ୩ ମାସ ଭିତରେ ବଡ ସଂଖ୍ୟାରେ ସହାୟକ ଷ୍ଟେସନ୍ ମାଷ୍ଟର୍ ତଥା ଗାର୍ଡ ପଦରେ ନିୟୁକ୍ତି ନିଆଯିବ । ଏହା ସହ ଗ୍ରୁପ୍ ସିରେ ୫୦ ପ୍ରତିଶତ ପଦରେ ରେଲୱେ ନିଯୁକ୍ତି ବୋର୍ଡ ମାଧ୍ୟମରେ ନିଯୁକ୍ତି ଦିଆଯିବ । ଏହା ବାଦ୍ ଗ୍ରୁପ୍ ଡିରେ ମଧ୍ୟ ନିଯୁକ୍ତି ଦିଆଯିବ । ତେବେ ସବୁଠାରୁ ବଡ କଥା ହେଉଛି ସୁରକ୍ଷା କ୍ୟାଟେଗୋରୀରେ କର୍ମଚାରୀଙ୍କ ଅଭାବ ଦୂର ପାଇଁ ଚୁକ୍ତି ଆଧାରରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବା ନେଇ ମଧ୍ୟ ନିଷ୍ପତି ନିଆଯାଇଛି ।

ରେଳ ମନ୍ତ୍ରୀ ଭାବରେ ପୀୟୁଷ ଗୋୟଲଙ୍କ ହାତରେ ଏବେ ମାତ୍ର ୧୭/୧୮ ମାସ ଅଛି । ତେଣୁ ନିଷ୍ପତି ଉପରେ ନିଷ୍ପତି ନେଇ ଚାଲିଛନ୍ତି ପୀୟୁଷ । ଗତ କିଛି ଦିନ ଭିତରେ ଏମିତି ଅନେକ ନିଷ୍ପତି ନେଇସାରିଛନ୍ତି ଯାହା ଦୀର୍ଘ ଦିନ ପଡି ରହିଥିଲା । ରେଳମନ୍ତ୍ରୀ ଟ୍ରେନର ଆରକ୍ଷିତ ଶ୍ରେଣୀରେ ଶୋଉଥିବା ଯାତ୍ରୀଙ୍କ ସମୟରେ ପରିବର୍ତ୍ତନ କରିଦେଇଛନ୍ତି । ଲୋୟର୍ ଏବଂ ମିଡିଲ୍ ବର୍ଥରେ ଯାତ୍ରା କରୁଥିବା ଯାତ୍ରୀ ଏବେ ରାତି ୧୦ରୁ ସକାଳ ପର୍ଯ୍ୟନ୍ତ ଶୋଇପାରିବେ । ଅର୍ଥାତ୍ ଯାତ୍ରୀଙ୍କ ଶୋଇବା ସମୟରେ ୧ଘଂଟା କଟା ଯାଇଛି ।

ରେଳ ମନ୍ତ୍ରାଳୟ ଯାତ୍ରୀଙ୍କ ସୁବିଧାକୁ ଆଖି ଆଗରେ ରଖି ସମସ୍ତ ଜୋନକୁ ନିର୍ଦ୍ଦେଶ ଜାରି କରିଛି । ମିଡିଲ୍ ବର୍ଥରେ ଆରାମ କରୁଥିବା ଯାତ୍ରୀଙ୍କ ପାଇଁ ଲୋୟର୍ ଏବଂ ଅପର୍ ବର୍ଥରେ ଥିବା ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ଏବେ ନୂଆ ନିୟମ ଅନୁଯାୟୀ, ସକାଳେ ମିଡିଲ୍ ବର୍ଥରେ ଯାତ୍ରା କରୁଥିବା ଯାତ୍ରୀ ନିଜ୍ ସିଟ୍ ଛାଡି ତଳ ବର୍ଥରେ ବସିବା ବାଧ୍ୟତାମୂଳକ । ତେବେ ଏହି ନୂଆ ନିୟମ ଅନୁଯାୟୀ ଯାତ୍ରୀ ମାନଙ୍କୁ କିଛି ମାତ୍ରାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ଗତ ବାସରେ ଉତ୍ତରପ୍ରଦେଶରେ ଦୁଇଟି ଲଗାତାର ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଭାରତୀୟ ରେଳ ବିଭାଗରେ ଅନେକ ପରିବର୍ତ୍ତନ କରାଯାଇଛି । ରେଲୱେ ବୋର୍ଡର ଚେୟାରମ୍ୟାନ୍ ଏ କେ ମିତ୍ତଲଙ୍କୁ ପଦରୁ ହଟାଯାଇ ଅଶ୍ୱିନୀ ଲୋହାନୀଙ୍କୁ ପଦ ଭାର ଦିଆଯାଇଛି । ସେହିପରି ମାତ୍ର କିଛି ଦିନ ପରେ ପୀୟୁଷ ଗୋୟଲଙ୍କୁ ରେଳମନ୍ତ୍ରାଳୟର ଭାର ଦିଆଗଲା । ଏବେ ପୀୟୁଷଙ୍କ ମାରାଥାନ୍ ନିଷ୍ପତି ରେଳ ଦୁର୍ଘଟଣାକୁ ରୋକିବାରେ କେତେ ଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଛି ।