ମାଓ ଗଡ଼ରେ ଗଡିବ ଟ୍ରେନ । ରେଳ ଦେଖିବ ମାଓ ଇଲାକର ମାଲକାନଗିରି । ରେଳ ଲାଇନ୍ ପାଇଁ ଆରମ୍ଭ ହେଲା ସ୍ଥାନ ଚିହ୍ନଟ ପ୍ରକ୍ରିୟା

115

କନକ ବ୍ୟୁରୋ: ରେଳ ଦେଖିବ ମାଓ ଇଲାକର ମାଲକାନଗିରି । ଜିଲ୍ଲାବାସୀଙ୍କର ଏହି ଆଶା ଧିରେ ଧିରେ ମଉଳି ଯାଇଥିଲା । ହେଲେ ଏବେ ସ୍ଥାନୀୟ ସାଂସଦ ଓ ବିଧାୟକ ମାଲକାନଗିରି ସଦର ମହକୁମା ଠାରେ ରେଳ ଷ୍ଟେସନ ଲାଗି ସ୍ଥାନ ଚିହ୍ନଟ କରି ସର୍ଭେ କାମ ଆରମ୍ଭ କରିଥିବା ବେଳେ ଜିଲ୍ଲାବାସୀଙ୍କ ମଧ୍ୟରେ ରେଳ ପ୍ରକଳ୍ପର ଆଶା ପୁର୍ନଜୀବୀତ ହୋଇଛି । ଅନେକ ଏହି ପଦକ୍ଷେପକୁ ସ୍ୱାଗତ କରୁଥିବା ବେଳେ ନିର୍ବାଚନକୁ ଆଖିରେ ରଖି ଶାସକ ଦଳ ଏଭଳି କରୁଥିବା ଚର୍ଚ୍ଚା ହେଉଛି ।

ନିର୍ବାଚନ ପୂର୍ବରୁ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ପୁନର୍ବାର ଆଶା ସଂଚାର ହୋଇଛି । କାରଣ ଦିର୍ଘ ଦିନର ନିରବତା ପରେ ମାଲକାନଗିରି ସହର ଉପକଣ୍ଠ ଏମ.ଭି ୪୨ ଗାଁ ନିକଟରେ ପ୍ରସ୍ତାବିତ ରେଳ ଷ୍ଟେସନ ଲାଗି ସ୍ଥାନ ଚିହ୍ନଟ କରିଛନ୍ତି ସ୍ଥାନୀୟ ବିଧାୟକ ଓ ସାଂସଦ । ଏହାସହ ମାଲକାନଗିରି ଠାରୁ ସର୍ଭେ କାମ ଆରମ୍ଭ କରିଛି ପୂର୍ବତଟ ରେଲୱେ ଅଧିକାରୀ । ଆଗାମୀ ତିନି ମାସ ମଧ୍ୟରେ ସର୍ଭେ କାମ ସାରି ଜମି ଅଧିଗ୍ରହଣ ଲାଗି ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ପୁର୍ବତଟ ରେଲୱେ ଉପ ମୁଖ୍ୟଯନ୍ତ୍ରୀ ଓ ସାଂସଦ ବଳଭଦ୍ର ମାଝୀ ।

• ୪୦ ବର୍ଷ ଧରି ମାଲକାନଗିରିକୁ ରେଳପଥ ସଂଯୋଗ ପାଇଁ ଦାବି ହୋଇ ଆସୁଛି ।

• ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପକୁ ୨୦୧୬ରେ ମୋହର ମାରିଥିଲେ କେନ୍ଦ୍ର ସରକାର ।

• ୨୦୧୮ ଫେବୃଆରୀରେ ନୀତି ଆୟୋଗ ଏବଂ କେନ୍ଦ୍ର କ୍ୟାବିନେଟରେ ମିଳିଥିଲା ସବୁଜ ସଂକେତ ।

• ପ୍ରକଳ୍ପ ପାଇଁ ୨୩୪୩ କୋଟି ଟଙ୍କା ମଂଜୁର କରିଛନ୍ତି କେନ୍ଦ୍ର ସରକାର ।

• ଜୟପୁର-ମାଲକାନଗିରି ପ୍ରକଳ୍ପର ୨୫% ଖର୍ଚ୍ଚ ବହନ କରିବ ଓଡିଶା ।

• ରେଳ ଲାଇନ୍ ପାଇଁ ଜମି ଯୋଗାଇବାକୁ ରେଳ ମନ୍ତ୍ରାଳୟ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରାକର ।

୧୩୦ କିଲୋମିଟର ଲମ୍ବ ଏହି ପ୍ରସ୍ତାବିତ ରେଳ ଲାଇନ ଲାଗି କେବଳ ଜୟପୁର ଠାରୁ ବୌପାରିଗୁଡା ଯାଏଁ ୩୦ କିଲୋମିଟର ସର୍ଭେ କାମ ଶେଷ ହୋଇଛି । ଅବଶିଷ୍ଟ ୧୦୦ କିଲୋମିଟର ଲାଗି ୩ଟି ସର୍ଭେ ସଂସ୍ଥାକୁ ନିୟୋଜିତ କରାଯାଇଛି । ଏହି ସରାକୀର ସର୍ଭେ କାମରେ କୌଣସି ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ନ ରହିବାକୁ ନେଇ ମାଲକାନଗିରି ଜିଲ୍ଲାରେ ଭିନ୍ନ ପ୍ରତିକ୍ରୀୟା ପ୍ରକାଶ ପାଇଛି । ତେବେ ନିର୍ବାଚନ ଆସିଲେ ଜୟପୁର-ମାଲକାନଗିରି ରେଳପଥକୁ ନେଇ ସରଗରମ ହୁଏ ରାଜନୀତି । ୨୦୧୯ ପୁର୍ବରୁ ଏହି ସର୍ଭେ କାର୍ଯ୍ୟକୁ ଶୁଭାରମ୍ଭ କରି ଶାସକ ଦଳ ରାଜନୈ÷ତିକ ଗୋଟି ଚାଳନା କରିଥିବା ନେଇ ଚର୍ଚ୍ଚା ହେଉଛି ।