କାଲି କୋଲକାତାରେ ଶକ୍ତି ପ୍ରଦର୍ଶନ କରିବେ ୨୦ଟି ବିରୋଧୀ ରାଜନୈତିକ ଦଳ ! ରାହୁଲ, କହିଲେ ମୋଦୀଙ୍କ କୁଶାସନ ବିରୋଧରେ ଏକାଠି ଭାରତ ।

128

କନକ ବ୍ୟୁରୋ : ବିରୋଧୀ ମେଂଟକୁ ବଳ ଯୋଗାଇବ ମମତାଙ୍କ ଗଡରେ ମେଳି । ଶନିବାର କୋଲକାତାରେ ଶକ୍ତି ପ୍ରଦର୍ଶନ କରିବେ ୨୦ଟି ବିରୋଧୀ ରାଜନୈତିକ ଦଳ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ବିରୋଧରେ ମହା ଆୟୋଜନ କରୁଛନ୍ତି ମମତା ବାନାର୍ଜି । ଏହି ରାଲିରେ ଲକ୍ଷାଧିକ ଲୋକ ସାମିଲ ହେବାର ଆକଳନ କରାଯାଉଛି । ତେବେ ଏହି ସମାବେଶକୁ ଚିଠି ଲେଖି ସମର୍ଥନ ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେ ଲେଖିଛନ୍ତି ଯେ, ମୋଦୀଙ୍କ କୁଶାସନ ବିରୋଧରେ ଏକାଠି ରହିଛି ଭାରତ । ତେବେ ସେ ଏଥିରେ ସାମିଲ ହୋଇପାରିବେ ନାହିଁ ବୋଲି ଦର୍ଶାଇ ମମତା ବାନାର୍ଜିଙ୍କ ଚିଠି ଲେଖି ଜଣାଇଛନ୍ତି ।

ତେବେ ରାହୁଲ ଗାନ୍ଧୀଙ୍କ ବଦଳରେ ମଲ୍ଲିକାର୍ଜୁନ ଖଡଗେ ଓ ମାୟାବତୀଙ୍କ ବଦଳରେ ସତୀଶ ମିଶ୍ର ଯୋଗଦେବାର ସ୍ଥିର ହୋଇଛି । ରାଲି ପରେ ବିରୋଧୀ ନେତାଙ୍କ ପାଇଁ ଏକ ଟି ପାର୍ଟିର ଆୟୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଯେଉଁଥିରେ ସେ ୨୦୧୯କୁ ନେଇ ନେତାଙ୍କ ସହ ରଣନୀତି ପ୍ରସ୍ତୁତ କରିବେ । ଆସନ୍ତାକାଲି ବିଜେପି ବିରୋଧୀ ମହାସମାବେଶରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ, ଏନସି ନେତା ଫାରୁକ ଅବଦୁଲ୍ଲା, ଏନସିପି ମୁଖ୍ୟ ଶରଦ ପାୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।