ଦିଲ୍ଲୀ ରାମଲୀଲା ମଇଦାନରୁ ରାହୁଲ ଗାନ୍ଧୀଙ୍କ ରଣହୁଙ୍କାର ! କହିଲେ, ମୋଦି ସରକାରଙ୍କ ବିରୁଦ୍ଧରେ ବଢୁୁଛି ଜନ ଆକ୍ରୋଶ, ମିଳୁଛିି କେବଳ ବିଫଳତା ।

25

କନକ ବ୍ୟୁରୋ : ୨୦୧୯ରେ କ୍ଷମତା ଦଖଲ କରିବ କଂଗ୍ରେସ । ମୋଦିଙ୍କ ସରକାର ହେଉଛି ଏକ ଜନବିରୋଧୀ ସରକାର । ବିଜେପିର ୬୦ ମାସର ଶାସନକାଳରେ କେବଳ ଅରାଜକତା ବୃଦ୍ଧି ପାଇଛି । କିଛି ଏଭଳି ଶବ୍ଦରେ ଆଜି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦିଲ୍ଲୀ ରାମଲୀଲା ମଇଦାନରେ ଜନଆକ୍ରୋଶ ରାଲିକୁ ସମ୍ବୋଧନ କରି ରାହୁଲ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି ।

କେନ୍ଦ୍ରର ମୋଦି ସରକାର ଜନ ବିରୋଧୀ ଏବଂ ସାଧାରଣ ଲୋକଙ୍କ ମୌଳିକ ଅସୁବିଧାକୁ ଶୁଣିବାକୁ ତାଙ୍କ ପାଖରେ ସମୟ ନାହିଁ । ବିଜେପିର ଏହି ୬୦ ମାସର ଶାସନକାଳରେ କେବଳ ଅରାଜକତା ବୃଦ୍ଧି ପାଇଛି । ଉଦ୍ୟୋଗପତିଙ୍କୁ ଅହେତୁକ ଅନୁକମ୍ପା, ରାଫେଲେ ବିମାନ କିଣାରେ ଅନିୟମିତତା, ସଙ୍କଟରେ ନ୍ୟାୟପାଳିକା ପରି ଅନେକ ପ୍ରସଙ୍ଗରେ ରାହୁଲ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଦେଶ ଭିତରେ ଏକ ବିଭେଦ ସୃଷ୍ଟି କରିବା ସହ ବିଜେପି ବିଭାଜନ ରାଜନୀତି କରୁଛିି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅଭିଯୋଗ କରିଛନ୍ତି । କେବଳ ଫମ୍ପା ପ୍ରତିଶ୍ରୁତି ସର୍ବସ୍ୱ ହେଉଛି ମୋଦି ସରକାର ବୋଲି ସେ କହିଛନ୍ତି ।

ଦେଶରେ ପରିବର୍ତନର ଧାରା ଆରମ୍ଭ ହୋଇ ସାରିଲାଣି ଏବଂ ଲୋକମାନଙ୍କ ଭିତରେ କ୍ରୋଧ ରହିଛି ବୋଲି ଅନ୍ୟ ବିରୋଧୀ କହିଛନ୍ତି । ତେବେ ଶାସନ ବାହାରେ ରହିଥିବାରୁ କଂଗ୍ରେସର ନେତାଙ୍କ ଭିତରେ ନିରାଶା ସୃଷ୍ଟି ହୋଇଛି ବୋଲି ବିଜେପି ପ୍ରତିକ୍ରିୟା ରଖିଛି ।

୨୦୧୯ ସାଧାରଣ ନିର୍ବାଚନ କଂଗ୍ରେସ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ହାତରେ ମୋଦି ସରକାର ବିରୋଧୀ ପୋଷ୍ଟର ଧରି ରାମଲୀଲା ମଇଦାନରେ ଏକାଠି ହୋଇଥିଲେ ହଜାର ହଜାର କଂଗ୍ରେସ କର୍ମୀ । କେନ୍ଦ୍ରରେ ମୋଦି ସରକାରଙ୍କୁ କ୍ଷମତାରୁ ଦୂରେଇ ରଖିବାର ମୂଳଦୁଆ କର୍ଣ୍ଣାଟକରୁ ପଡିବ ବୋଲି କଂଗ୍ରେସ ଆଶା ରଖିଛି ।