ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରି ଗିରଫ ହେଲେ ରାହୁଲ ଗାନ୍ଧୀ! ମୋଦିଙ୍କ ଟାର୍ଗେଟ କରି କହିଲେ, ଚୌକିଦାର ଚୋର ହୈ

43

କନକ ବ୍ୟୁରୋ : ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସପକ୍ଷରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଳା ପୋଷାକ ପିନ୍ଧି ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଥିଲା ଦଳ । ଦିଲ୍ଲୀରେ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ଅଭିମୁଖେ ରାଲି କରିଥିଲେ ରାହୁଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧା ଆକ୍ଷେପ କରି ରାହୁଲ କହିଥିଲେ ନିଜେ ଚୌକିଦାର ଚୋର ପାଲଟିଛନ୍ତି । ସେହିପରି ଓଡ଼ିଶାରେ ମଧ୍ୟ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି ।

ପ୍ରସଙ୍ଗ ସିବିଆଇ, ଟାର୍ଗେଟରେ ମୋଦି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋରେ ଦୁଇ ସର୍ବୋଚ୍ଚ ଅଧିକାରୀଙ୍କ ଲଢେଇ ପରେ ମିଳିଛି ନର୍ବାସନ ଦଣ୍ଡ । ଏହାକୁ ପ୍ରସଙ୍ଗ କରି ରାଜଧାନୀ ରାସ୍ତାକୁ ଓହ୍ଲାଇ ଆସିଛି କଂଗ୍ରେସ । ସିବିଆଇର ନିର୍ବାସିତ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସପକ୍ଷରେ ରାଲି କରିଛି ମୁଖ୍ୟ ବିରୋଧୀ ଦଳ । ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦିଲ୍ଲୀରେ ବିଶାଳ ରାଲି କରିଛି କଂଗ୍ରେସ । ଲୋଧି ରୋଡରେ ଥିବା ଦୟାଲ ସିଂ କଲେଜ ନିକଟରୁ ବାହାରି ଏହି ରାଲି ସିବିଆଇ ମୁଖ୍ୟାଳୟ ଯାଏଁ ଯାଇଥିଲା । ଯେଉଁଥିରେ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହ ଶତାଧିକ କର୍ମୀ ସାମିଲ ହୋଇଥିଲେ । ମୋଦି ବିରୋଧୀ ଏହି ଅଭିଯାନରେ କଂଗ୍ରେସକୁ ଲୋକତାନ୍ତ୍ରିକ ଜନତା ଦଳ, ସିପିଏମ ଓ ଟିଏମସିର ସମର୍ଥନ ମିଳିଛି । ତେବେ ସିବିଆଇ ମୁଖ୍ୟାଳୟ ନିକଟ ନିଷିଦ୍ଧାଂଚଳକୁ ପ୍ରବେଶ କରିବାବେଳେ ପୋଲିସ ଏମାନଙ୍କୁ ଉଠାଇ ନେଇଥିଲା । ରାହୁଲ ଗାନ୍ଧି ମଧ୍ୟ ଲୋଧି କଲୋନି ପୋଲିସ ଷ୍ଟେସନରେ ନିଜେ ଯାଇ ଗିରଫ ହୋଇଥିଲେ ।

ସିବିଆଇ ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । ରାଫେଲ ଡିଲ ନେଇ ଆଲୋକ ବର୍ମା ତଦନ୍ତ ଆରମ୍ଭ କରିଥିବାରୁ ତାଙ୍କୁ ବେଆଇନ ଭାବେ ସରକାର ପଦରୁ ହଟାଇ ଦେଇଥିବା କହିଆସୁଛନ୍ତି ରାହୁଲ । ସେପଟେ ଦିଲ୍ଲୀ ସମେତ ସାରା ଦେଶରେ ସିବିଆଇ ପ୍ରସଙ୍ଗକୁ ନେଇ ମୋଦି ବିରୋଧୀ ସ୍ୱରକୁ ତୀବ୍ର କରିଛି କଂଗ୍ରେସ ।ମୋଦି ଓ ଶାହାଙ୍କ ଇସାରାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପରିଚାଳିତ ହେଉଥିବା ଅଭିଯୋଗ କରିଛି ଦଳ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ ଯାଏଁ ରାଲି କରିଛି ଦଳ । କଳା ପୋଷାକ ପିନ୍ଧି ଅଭିନବ ଢଙ୍ଗରେ ସିବିଆଇ ନିର୍ଦ୍ଦେଶକଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରିଛି ।

୨୦୧୪ରେ ଭ୍ରଷ୍ଟାଚାର ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାଚ୍ୟୁତ ହୋଇଥିଲା କଂଗ୍ରେସ । ଏବେ ପୁଣି ନିର୍ବାଚନୀ ବର୍ଷରେ ସେହି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ପୂର୍ବରୁ ସିବିଆଇକୁ ପଞ୍ଜୁରୀ ଭିତରେ ଶୁଆ କହିଥିଲେ ସୁପ୍ରିମକୋର୍ଟ । ଏବେ ଦୁଇ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆସିଥିବାରୁ ବିଶ୍ୱାସନୀୟତା ହରାଇବାରେ ଲାଗିଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆଉ ସଂସ୍ଥାର ଛବି ସୁଧାରିବାକୁ ସରକାର ନେଇଥିବା ନିଷ୍ପତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନରେ ଖୁବ କଡା ଆଭିମୁଖ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ ।