ରାଫେଲ୍ ପ୍ରସଙ୍ଗରେ ନିଜ ବୟାନ ନେଇ ଦୁଃଖ ପ୍ରକାଶ କଲେ ରାହୁଲ । ଦୁଃଖ ପ୍ରକାଶ କରି କହିଲେ ପ୍ରଚାର ବେଳେ ଭାବପ୍ରବଣ ହୋଇ ଦେଇଥିଲେ ଏଭଳି ବୟାନ ।

193

କନକ ବ୍ୟୁରୋ : ରାଫେଲ ପ୍ରସଙ୍ଗରେ ଦେଇଥିବା ବୟାନ ପାଇଁ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି ରାହୁଲ । ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା ପୂର୍ବକ ସେ ଏପରି ବୟାନ ଦେଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ରାହୁଲ । ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ କହିଥିଲେ ଯେ, ଏବେ ସୁପ୍ରିମକୋର୍ଟ ବି ମାନି ନେଇଛନ୍ତି ଚୌକିଦାର ହିଁ ଚୋର । ରାହୁଲଙ୍କ ଏହି ବୟାନ ପରେ ବିଜେପି ସାଂସଦ ମିନାକ୍ଷୀ ଲେଖି ସୁପ୍ରିମକୋର୍ଟରେ ଆବେଦନ କରି ରାହୁଲଙ୍କ ବିରୋଧରେ କୋର୍ଟ ଅବମାନନା ଅଭିଯୋଗ କରିଥିଲେ । ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ନୋଟିସ ଜାରି କରିଥିଲେ ।

ଏପ୍ରିଲ ୧୫ତାରିଖରେ କୋର୍ଟ ଏହି ମାମଲାର ଶୁଶାଣି କରି କହିଥିଲେ, ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କଠାରୁ ଜବାବ ମଗାଯିବ । ଏବଂ ସୁପ୍ରିମକୋର୍ଟଙ୍କ ବିଚାର ନେଇ ରାହୁଲ ଗଣମାଧ୍ୟମରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ଭୁଲ୍ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ କହିଥିଲେ । ଆଜି ଏହି ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରି ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ନିର୍ବାଚନୀ ବର୍ଷରେ ଆରୋପ ପ୍ରତ୍ୟାରୋପର ରାଜନୀତି ତୀବ୍ର ହେବା କିଛି ନୂଆ କଥା ନୁହେଁ । କିନ୍ତୁ ନିର୍ବାଚନୀ ପ୍ରଚାର ବେଳେ ନେତାଙ୍କ ତୁଣ୍ଡ ହୁରୁଡିବା ହୁଏତ ତାଙ୍କୁ ବିବାଦ ଘେରକୁ ଟାଣିପାରେ । ଯାହାର ଅନେକ ନଜିର ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି । ତେବେ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । ଆଉ ରାତି ପାହିଲେ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ପଡିବ । ଆଉ ନିର୍ବାଚନରେ ବାଜି ମାରିବାକୁ ନେତା ଯେଉଁ ରଣନୀତି କରୁଛନ୍ତି, ତାହା କେତେ ଫଳପ୍ରଦ ହେଉଛି ତାହା ଆସନ୍ତା ୨୩ ତାରିଖରେ ସ୍ପଷ୍ଟ ହୋଇଯିବ ।