ପୁଣି ରାହୁଲଙ୍କ ଟାର୍ଗେଟରେ ମୋଦି ! ରାଫେଲ ଡିଲର ମୂଲ୍ୟ ସମ୍ପର୍କରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କାହିଁକି ଅବଗତ କରାଉନାହାନ୍ତି ବୋଲି ପଚାରିଲେ ପ୍ରଶ୍ନ ।

18

କନକ ବ୍ୟୁରୋ : ୨ଦିନିଆ ଆମେଠି ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାଫେଲ ଡିଲକୁ ନେଇ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଦେଶବାସୀଙ୍କୁ ରାଫେଲ ଡିଲର ମୂଲ୍ୟ ସମ୍ପର୍କରେ କାହିଁକି ପ୍ରଧାନମନ୍ତ୍ରୀ ଅବଗତ କରାଉ ନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ଦେଶର ଚୌକିଦାର ହେବେ ବୋଲି କହୁଥିବା ମୋଦି ନିଜେ ଚୋରୀ କଲେ । ଏବଂ ଫ୍ରାନ୍ସ ଯାଇ ଅନିଲ ଅମ୍ବାନୀଙ୍କ କମ୍ପାନୀ ସହ ଚୁକ୍ତି କରିବା ପାଇଁ କହିଥିଲେ ବୋଲି ରାହୁଲ କହିଛନ୍ତି । କୈଳାଶ ମାନସରୋବର ଯାତ୍ରା ସାରି ଫେରିବା ପରେ ସୋମବାର ଦିନ ନିଜ ସଂସଦୀୟ କ୍ଷେତ୍ର ଅମେଠିରେ ପହଂଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଅମେଠିରେ ପହଂଚିବା ପରେ ସେ ସିଧାସଳଖ ଶିବ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ରାହୁଲ ମନ୍ଦିରରେ ପହଂଚିବା ସମୟରେ ସେଠାରେ ଉପସ୍ଥିତ ଥିବା ଅନେକ କାଉଡିଆଙ୍କୁ ମଧ୍ୟ ଭେଟିଛନ୍ତି ରାହୁଲ । ଏହାପରେ ରାହୁଲ ମହିଳା ବିକାଶ କେନ୍ଦ୍ରରେ ପହଂଚି କାର୍ଯ୍ୟକର୍ତାଙ୍କ ସହ ସାକ୍ଷାତ କରିଛନ୍ତି । ଗୁଜରାଟ ନିର୍ବାଚନରୁ ହିଁ ହିନ୍ଦୁତ୍ୱକୁ ପ୍ରସଙ୍ଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଯେବେଠୁ ରାହୁଲ ନିଜକୁ ଶିବଭକ୍ତ ବୋଲି କହିଛନ୍ତି ତାପରଠାରୁ ରାହୁଲଙ୍କ ସ୍ୱାଗତରେ ସବୁବେଳେ ବମ୍ ବମ୍ ଭୋଲେର ନାରାବାଜି କରାଯାଉଛି । ରାହୁଲଙ୍କ ଗସ୍ତ ପାଇଁ ଅମେଠିରେ ଲଗାଯାଇଥିବା ପୋଷ୍ଟର ଗୁଡିକରେ ମଧ୍ୟ ରାହୁଲଙ୍କୁ ଶିବ ଭକ୍ତ ବୋଲି ଦର୍ଶାଯାଇଛି ।