ର‌୍ୟାଗିଙ୍ଗ୍ କାରଣରୁ ଲଣ୍ଡା ହେଲେ ୧୦୦ ଛାତ୍ର ! ଏକସଙ୍ଗେ ଶହେରୁ ଅଧିକ ଛାତ୍ର ମେଡିକାଲ୍ କଲେଜରେ ଲଣ୍ଡା ହୋଇ ବୁଲିଲେ ।

577

ଦିନକୁ ଦିନ ର‌୍ୟାଗିଙ୍ଗ୍ ରୋଗ କମିବା ଅପେକ୍ଷା ବଢିବାରେ ଲାଗିଛି । ଖାସ୍ କରି ମେଡିକାଲ୍ କଲେଜ୍ ମାନଙ୍କରେ ଅଧିକ ର‌୍ୟାଗିଙ୍ଗ୍ ହେଉଥିବା ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବରୁ ଏହି ର‌୍ୟାଗିଙ୍ଗ୍ କାରଣରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ବର୍ତ୍ତମାନ ଜଣେ କି ଦୁଇଜଣ ନୁହଁ ଏକାଥରେ ୧୦୦ ରୁ ଅଧିକ ଛାତ୍ର ଏହି ରୋଗର ସଂସ୍ପର୍ଶରେ ଆସିଛନ୍ତି ।

ଉତ୍ତରପ୍ରଦେଶ ଇଟାୱାର ସରକାରୀ ମେଡିକାଲ୍ କଲେଜ୍ ର ସିନିୟର୍ ଛାତ୍ରମାନେ ର‌୍ୟାଗିଙ୍ଗ୍ ନିଶାରେ ୧୦୦ ରୁ ଅଧିକ ଜୁନିୟର୍ ଛାତ୍ରଙ୍କୁ ଲଣ୍ଡା କରିଛନ୍ତି । ଜୁନିୟର୍ ଛାତ୍ରଛାତ୍ରୀଙ୍କ ଉପରେ ସିନିୟର୍ ଛାତ୍ରଙ୍କ ଆଧିପତ୍ୟ ଜମାଇବାର ଅଭିଯୋଗ ଲାଗିଛି । କ୍ଲାସରୁ ଆରମ୍ଭ କରି କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ମୁଣ୍ଡ ତଳକୁ ପୋତି ଚାଲିବାକୁ ବାଧ୍ୟ କରାଯାଉଛି । ତେବେ ମେଡିକାଲ୍ କଲେଜରେ ଏଭଳି ର‌୍ୟାଗିଙ୍ଗ୍ ଖବର ସାମ୍ନାକୁ ଆସିବା ପରେ ଏବେ ଚାରିଆଡେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଜୁନିୟର୍ ଛାତ୍ରଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି । ଏନେଇ କଲେଜ୍ କୁଳପତି କହିଛନ୍ତି , ଯଦି କୌଣସି ଛାତ୍ର ବିଶ୍ୱବିଦ୍ୟାଳୟର ଅନୁଶାସନକୁ ଭାଙ୍ଗିବାକୁ ଚେଷ୍ଟା କରିବେ ତେବେ ଏନେଇ ଉକ୍ତ ଛାତ୍ର୍ରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ଯାତିତ ଛାତ୍ରମାନେ ଚୁପ୍ ରହିବା ବଦଳରେ ୱାର୍ଡେନ୍ ଙ୍କୁ ଏନେଇ ଅଭିଯୋଗ କରିପାରିଥାନ୍ତେ । ତେବେ ଘଟଣା ସାମ୍ନାକୁ ଆସିବାପରେ ବିଶ୍ୱବିଦ୍ୟାଳୟ ଅଧିକାରୀଙ୍କ ନଜର ଏହା ଉପରେ ରହିଛି ।

ଆପଣଙ୍କୁ କହିରଖୁଛୁ ଏହି ମେଡିକାଲ୍ କଲେଜ ସମାଜବାଦୀ ପାର୍ଟି ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବଙ୍କ ଗାଁ ସେଫଇରେ ପ୍ରସ୍ତୁତ ହୋଇଛି । ଏହି ସରକାରୀ କଲେଜରେ ଏମବିବିଏସ୍ ,ଏମଏସ୍ ,ଏମଡି ,ପାରାମେଡିକାଲ୍ ସମେତ ଅନ୍ୟାନ୍ୟ ବିଷୟ ମଧ୍ୟ ଶିକ୍ଷା ଦିଆଯାଏ । ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଢୁଥିବା ଏହି କଲେଜର ମେଡିକାଲ୍ ବିଭାଗରେ ୧୫୦ ଛାତ୍ରଛାତ୍ରୀ ଏମବିବିଏସ୍ ପାଠ ପଢୁଛନ୍ତି । ଏହି ସବୁ ଛାତ୍ର ଏବେ ର‌୍ୟାଗିଙ୍ଗ୍ ଶିକାର ପାଲଟିଛନ୍ତି । ମଙ୍ଗଳବାର ଏହି ଖବର ଜିଲ୍ଲା ପ୍ରଶାସନଙ୍କ ପାଖରେ ପହଁଚିଥିଲା । ଏନେଇ ପୋଲିସ୍ ଏବଂ କୁଳପତି ଏମବିବିଏସ୍ ଛାତ୍ରମାନଙ୍କୁ ପଚରାଉଚରା କରିବା ସତ୍ତେ୍ୱ କେହି ବି ଏନେଇ ମୁହଁ ଖୋଲିନଥିଲେ । ସୂତ୍ର ମୁତାବକ , ର‌୍ୟାଗିଙ୍ଗ୍ ଖବରକୁ ଛାତ୍ରମାନେ କଲେଜ ପରିସରରୁ ବାହାରକୁ ପ୍ରସାରିତ କରିଥିଲେ କିନ୍ତୁ କ୍ୟାରିୟର୍ କାରଣରୁ ଏବଂ ସିନିୟରଙ୍କ ଡରରେ କେହି ପାଟି ଫିଟାଇନଥିଲେ ।