ସେ ‘ଓଁ’ ବି ଉଚ୍ଚାରଣ କରୁଛନ୍ତି, ‘ଆଲ୍ଲା’ଙ୍କୁ ବି ଡାକୁଛନ୍ତି । ମୁସଲମାନ ହୋଇ ବି ମହାମୃତ୍ୟୁଞ୍ଜୟ ମନ୍ତ୍ର ପଢୁଛନ୍ତି, ଲୋକଙ୍କୁ ଯୋଗ ଶିଖାଇ ନିରୋଗ ରହିବାର କଳା ଶିଖାଉଛନ୍ତି ।

529

କନକ ବ୍ୟୁରୋ : ବେକରେ ଗୈରିକ ଉତ୍ତରୀୟ । ଆଉ ମୁହଁରେ ଓଁ ଉଚ୍ଚାରଣ ସହ ଗାୟତ୍ରୀ ଓ ମହାମୃତ୍ୟୁଞ୍ଜୟ ମନ୍ତ୍ର । ଯୋଗ ମୁଦ୍ରାରେ ବସି ଅନର୍ଗଳ ମନ୍ତ୍ର ଉଚ୍ଚାରଣ କରିବା ସହ ଯୋଗ ସାଧନା କରୁଥିବା ଏହି ବ୍ୟକ୍ତି ଜଣଙ୍କର ଧର୍ମ ବା ସଂପ୍ରଦାୟ ବିଷୟରେ କେହି ବି ଆଖି ବୁଜି କହିଦେବ ଯେ ସେ ନିଶ୍ଚିତ ସନାତନ ହିନ୍ଦୁ ଧର୍ମର । ହେଲେ ଏହିଭଳି ଗୈରିକ ଉତରୀୟ ପକାଇ ଅର୍ନଗଳ ମନ୍ତ୍ର ପାଠ କରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ମୁସଲମାନ । ଧର୍ମକୁ ମାନବିକତା, ଭାଇଚାରା, ଧର୍ମୀୟ ସଦଭାବନାରେ ବାନ୍ଧିରଖି ଯୋଗ ଶିଖାଉଥିବା ଏହି ବ୍ୟକ୍ତି ଜଣଙ୍କ ହେଲେ ରଫିକ୍ ଖାନ । ଯିଏ କି ଏବେ ଆଚାର୍ଯ୍ୟ ରଫିକ ଖାନ ଭାବରେ ସୁନ୍ଦରଗଡ ଅଚଂଳରେ ପରିଚିତ ।

ଭଲ ଭାବେ ଦେଖନ୍ତୁ ଏହି ଦୁଇଟି ଦୃଶ୍ୟକୁ । ଗୋଟିଏ ପଟେ ରଫିକ କିଭଳି ବେଦ ମନ୍ତ୍ର ଉଚ୍ଚାରଣ କରି ଯୋଗ ଶିକ୍ଷା ପ୍ରଦାନ କରୁଛନ୍ତି ଏବଂ ଅନ୍ୟ ପଟେ ନିଜ ଧର୍ମକୁ ସମ୍ମାନ ଦେଇ ନମାଜ ପାଠ କରୁଛନ୍ତି । କୁହାଯାଏ, ଭାରତ ଏଭଳି ଏକ ଦେଶ ଯେଉଁଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ । ଆଉ ରଫିକ ହେଉଛନ୍ତି ତାର ଏକ ବଡ ଉଦାହରଣ ।

ଆଦିବାସୀ ବହୁଳ ସୁନ୍ଦରଗଡ ଜିଲ୍ଲାର ବଣ ପାହାଡ ଘେରା ହେମଗିରି ବ୍ଲକ ଲୁଆବାହାଲ ପ୍ରାଥମିକ ବିଦ୍ୟାଳୟରେ ଚିତ୍ରାଙ୍କନ ଶିକ୍ଷକ ଅଛନ୍ତି ରଫିକ୍ । ଲୋକଙ୍କୁ ନିରୋଗ ରଖିବା ସହ ସାଂପ୍ରଦାୟିକତାବାଦ ଶେଷ କରିବାକୁ ସେ ସଂକଳ୍ପ ନେଇଛନ୍ତି । ପତଞ୍ଜଳି ଆଶ୍ରମରେ ଯୋଗ ଶିଖିବା ପରେ ପ୍ରତିଦିନ ନୂଆ ନୂଆ ଗାଁ କୁ ଯାଇ ଏହିଭଳି ଲୋକଙ୍କୁ ନିରୋଗ ରହିବା ପାଇଁ ମନ୍ତ୍ର ଉଚ୍ଚାରଣ ଓ ଯୋଗ ଶିଖାଇଥାନ୍ତି ।

ସ୍କୁଲ ହେଉକି ଅପହଂଚ ଗାଁ ଆଜି ସବୁଠି ପରିଚିତ ଆଚାର୍ଯ୍ୟ ରଫିକ ଖାନ । ରଫିକ କେବଳ ମନ୍ତ୍ର ଉଚ୍ଚାରଣ କି ଯୋଗରେ ସୀମିତ ରହିଯାଇ ନାହାନ୍ତି ଆର୍ୟୁବେଦ ମାଧ୍ୟମରେ କିଭଳି ଶରୀରକୁ ନିରୋଗ ରଖିହେବ ସେନେଇ ସେ ଅନେକ ଉପଚାର ଶିଖାଇଥାନ୍ତି । ତେବେ ଯେତେବେଳେ ଧର୍ମକୁ ନେଇ ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି, ସେତେବେଳେ ସମାଜ ପାଇଁ ଆଚାର୍ଯ୍ୟ ରଫିକ ହିଁ ଏକମାତ୍ର ଉଦାହରଣ ପାଲଟିଛନ୍ତି ।