କେବେ ଜେଣ୍ଡର ସମସ୍ୟାକୁ ନେଇ ଘରୁ ତଡ଼ା ଖାଇଥିଲେ , ଆଜି ପ୍ରଖ୍ୟାତ ମଡେଲ୍ ର ପରିଚୟ ପାଇଲେ ପ୍ରଥମ ଟ୍ରାନ୍ସଜେଣ୍ଡର ମଡେଲ୍ । ଲ୍ୟାକମେ ଫ୍ୟାସନ୍ ୱିକ୍ ଶୋରେ ରାମ୍ପରେ ଚାଲିଲେ ଟ୍ରାନ୍ସଜେଣ୍ଡର ମଡେଲ୍ ।

133

ଲ୍ୟାକମେ ଫ୍ୟାସନ୍ ୱିକ୍ ହେଉଛି ଏକ ଅନ୍ତରାଷ୍ଟ୍ରୀୟ ଫ୍ୟାସନ୍ ଶୋ’ ଯେଉଁଥିରେ ନାମୀଦାମୀ ଅଭିନେତ୍ରୀ ଏବଂ ମଡେଲ୍ ରାମ୍ପ୍ ୱକ୍ କରିବାରେ ନଜର ଆସନ୍ତି । ଚଳିତ ମାସରେ ଆୟୋଜିତ ହୋଇଥିବା ଏହି ଶୋ’ ରେ ମଧ୍ୟ ଅନେକ ମଡେଲ୍ ରାମ୍ପ୍ ୱକ୍ କରିଥିଲେ । କିନ୍ତୁ ଷ୍ଟେଜ୍ ରେ ଯେତେବେଳେ ଜଣେ ଟ୍ରାନ୍ସଜେଣ୍ଡର ମଡେଲ୍ ରାମ୍ପ କରିବାକୁ ଲାଗିଲେ ସମସ୍ତଙ୍କ ନଜର ତାଙ୍କ ଉପରେ ଯେମିତି ଅଟକିଗଲା । ନେପାଳ ମୂଳନିବାସୀ ଟ୍ରାନ୍ସଜେଣ୍ଡର ମଡେଲ୍ ଅଞ୍ଜଳୀ ଲାମା ବର୍ତ୍ତମାନ ମଡେଲିଂ ଜଗତରେ ଜଣେ ପ୍ରଖ୍ୟାତ ମଡେଲ୍ । କିନ୍ତୁ ଏହି ସ୍ତରକୁ ଆସିବା ପାଇଁ ତାଙ୍କୁ କଣ୍ଟକପୂର୍ଣ୍ଣ ସଂଘର୍ଷଯାତ୍ରା କରିବାକୁ ପଡିଛି । ଅଞ୍ଜଳୀ ସମାଜ ଏବଂ ପରିବାରଠାରୁ ଲଢେଇ କରି ଏହି ସ୍ତରରେ ଆସି ପହଁଚିଛନ୍ତି ।

ନେପାଳର ନୁୱାକୋଟ୍ ଜିଲ୍ଲାର ଜଣେ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ନବୀନ୍ ୱାଇବା (ଅଞ୍ଜଳୀ ଲାମା) ୭ ଭାଇଭଉଣୀ ଭିତରେ ପଞ୍ଚମ ସ୍ଥାନରେ ଥିଲେ । ପିଲାଟି ଦିନରୁ ସେ ନିଜ ଶରୀର ସହ ନିଜ ମନକୁ ସଂଯୋଗ କରିପାରୁନଥିଲେ ଏବଂ ଏହାର କାରଣ ଥିଲା ଜେଣ୍ଡର ସମସ୍ୟା । ପୁଅ ହୋଇଥିବାରୁ ତାଙ୍କ ଭିତରର ନାରୀର ଭାବନା ଏବଂ ଇଚ୍ଛାକୁ କେହି ବୁଝିପାରୁନଥିଲେ । ଯେଉଁଥିପାଇଁ ଚାରିଆଡୁ ତାଙ୍କୁ ଅନେକ ଟାହିଟାପରା ଶୁଣିବାକୁ ମିଳୁଥିଲା । ୧୮ ବର୍ଷ ବୟସରେ ଅଞ୍ଜଳୀ ନେପାଳର ଏକ କମ୍ୟୁନିଟି ସେଣ୍ଟରରେ ଜେଣ୍ଡରକୁ ନେଇ ସମସ୍ୟାରେ ଥିବା କଥା କହିଥିଲେ । ସେଠାରେ ତାଙ୍କୁ ନିଜକୁ ଏକ ନାରୀ ହେବାର ଅନୁଭବ ହେଲା ଏବଂ ସେ ପ୍ରଥମଥର ପାଇଁ ସେଠାରେ ନାରୀର ବେଶଭୁଷା ଧାରଣ କରି ବାହାରକୁ ବାହାରିଥିଲେ । କିନ୍ତୁ ପରିବାର ପାଇଁ ଏଭଳି ଖବର ଶୁଣିବା ଆଦୌ ସହଜ ନଥିଲା ।

 

ସମାଜର ଟାହିଟାପରା ଏବଂ ସଂପର୍କୀୟଙ୍କ ତାଡନା ଯୋଗୁଁ ପରିବାରଲୋକେ ତାଙ୍କୁ ଘରୁ ବାହାର କରିଦେଲେ । ଉକ୍ତ ସମୟରେ ଅଞ୍ଜଳୀ ସଂପୂର୍ଣ୍ଣ ଏକୁଟିଆ ହୋଇପଡିଲେ । ଆର୍ଥୀକ ଏବଂ ମାନସିକ ସ୍ତରରେ ସେ ଖୁବ୍ ଦୁର୍ବଳ ହୋଇପଡିଥିଲେ । ସେତେବେଳେ ସେ କାଠମାଣ୍ଡୁ ଆସି ମଡେଲିଂରେ ପ୍ରବେଶ କଲେ । ୨୦୦୯ ରୁ ୨୦୧୧ ଭିତରେ ଅଞ୍ଜଳୀ ଟ୍ରାନ୍ସଜେଣ୍ଡର କମ୍ୟୁନିଟି ବିଷୟରେ ଜାଣିଥିଲେ । ଦୁନିଆରେ ଏକାକୀ ଭାବୁଥିବା ଅଞ୍ଜଳୀ ଯେତେବେଳେ ଅନ୍ୟ ଟ୍ରାନ୍ସଜେଣ୍ଡର ବ୍ୟକ୍ତିବିଶେଷଙ୍କୁ ଦେଖିଲେ ତାଙ୍କ ମଧ୍ୟରେ ସାହସ ଆସିଥିଲା ଏବଂ ସେ ପୁଅ ପରିବର୍ତ୍ତେ ଜଣେ ଝିଅ ଭଳି ଜୀବନ ବିତାଇଲେ । “ଭଏସ୍ ଅଫ୍ ନେପାଳ”ର କଭର୍ ପେଜ୍ ରେ ମଧ୍ୟ ସେ ନଜର ଆସିଥିଲେ । ଧିରେ ଧିରେ ଟିଭି ଶୋରେ କାମ କରିବା ପାଇଁ ତାଙ୍କୁ ମଉକା ମିଳିଲା । ମଡେଲିଂ ଆସାଇନମେଣ୍ଟ୍ ରେ ତାଙ୍କୁ ଖୁବ୍ କମ୍ ଟଙ୍କା ମିଳୁଥିଲା ତେଣୁ ସେ ଏକ ରେସ୍ତୋରାଁରେ କାମ କରିବା ଆରମ୍ଭ କରିଦେଇଥିଲେ । ଏଭଳି ଏକ ମଡେଲିଂ ଇଭେଣ୍ଟ୍ ରେ ୟୁକେ ବେସ୍ଡ ବ୍ଳଗର୍ ଙ୍କ ନଜର ଅଞ୍ଜଳୀଙ୍କ ଉପରେ ପଡିଥିଲା ଯାହା ପରେ ତାଙ୍କୁ ସମସ୍ତେ ଅଞ୍ଜଳୀ ଲାମା ନାଁରେ ଜାଣିଥିଲେ । ନେପାଳରେ ରହଣୀ ସମୟରେ ସେ ଲ୍ୟାକମେ ଫ୍ୟାଶନ୍ ୱିକ୍ ପାଇଁ ଆପ୍ଲାଇ କରି ୨ ଥର ରିଜେକ୍ଟ ହୋଇଥିଲେ ହେଁ ତୃତୀୟ ଥର ତାଙ୍କୁ ଏହି ସୁଯୋଗ ମିଳିଯାଇଥିଲା । ଏହାପରେ ଲ୍ୟାକମେ ଫ୍ୟାଶନ୍ ୱିକ୍ ଭଳି ଇଣ୍ଟରନ୍ୟାସନାଲ୍ ରାମ୍ପ ଉପରେ ଡିଜାଇନର୍ ମୋନିଷା ଜୟସିଂହଙ୍କ ପାଇଁ ରାମ୍ପ୍ ୱର୍କ କରୁଥିବା ପ୍ରଥମ ଟ୍ରାନ୍ସଜେଣ୍ଟର ମଡେଲ୍ ପାଲଟିଲେ ଅଞ୍ଜଳୀ ଲାମା ।