ଅପରେସନ ଟେବୁଲରେ ଅଜଗର ! ମୁଣ୍ଡରେ ଲାଗିଛି ଗଭୀର ଆଘାତ, ଓୟୁଏଟିରେ ଚାଲିଛି ଚିକିତ୍ସା

23

କନକ ବ୍ୟୁରୋ : ଅପରେସନ ଟେବୁଲରେ ଅଜଗର । କେନ୍ଦୁଝର ଆନନ୍ଦପୁର ରେଂଜ ବାରଙ୍ଗ ରିଜର୍ଭ ଫରେଷ୍ଟରୁ ଆହତ ଅବସ୍ଥାରେ ଉଦ୍ଧାର ୮ ଫୁଟ ଲମ୍ବର ଅଜଗର ସାପର ଓୟୁଏଟିରେ ଚିକିତ୍ସା କରାଯାଉଛି । ସାପଟିର ମୁଣ୍ଡରେ ଆଘାତ ଲାଗିବା ଫଳରେ ଦୁଇଟି ହାଡ ଭାଙ୍ଗିଯାଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ସାପଟିକୁ ସ୍ଥାନୀୟ ଲୋକେ ପିଟାପିଟି କରିଥିବା ଅନୁମାନ କରାଯାଉଛି । ସାପଟି ଗୁରତର ଅବସ୍ଥାରେ ଥିବାବେଳେ ଆଜି କେବଳ ଯନ୍ତ୍ରଣା ଉପଶମ ଇଞ୍ଜେକସନ ଦିଆଯାଇ ଅବଜରବେସନରେ ରଖାଯାଇଛି । ପ୍ରାୟ ୫ କିଲୋ ଓଜନ ବିଶିଷ୍ଟ ଏହି ଅଜଗର ସାପକୁ ଗତକାଲି ସନ୍ଧ୍ୟା ୭.୩୦ରେ ଉଦ୍ଧାର କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଅଜଗର ସାପଟିର ମାନୁଆଲ ଏକ୍ସରେ କରାଯାଇଥିଲା । ତେବେ ଏହି ଏକ୍ସରେ ବିଶେଷ କିଛି ଜଣାପଡିନଥିଲା । ପରେ ପୁର୍ନବାର ଡିଜିଟାଲ ଏକ୍ସ୍ସରେ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଡିଜିଟାଲ ଏକ୍ସରେ ଅଜଗର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଥିଲା । ଏହାସହ ମୁଣ୍ଡର ଦୁଇଟି ହାଡ ଭାଙ୍ଗିଯାଇଥିବା ଜଣାପଡିଥିଲା । ତେବେ ଆସନ୍ତା କାଲି ଅଜଗର ସାପଟିର ଅନ୍ୟାନ୍ୟ ଚିକିତ୍ସା କରାଯିବ ବୋଲି ଡାକ୍ତର କହିଛନ୍ତି । କାରଣ ଗୁରୁତର କ୍ଷତ ହେଇଥିବା ଯୋଗୁଁ ଆଖିରେ କିଛି ଅସୁବିଧା ଥିବା ଭାବି ଆଜି ସାପକୁ ଅବଜରଭେସନରେ ରଖାଯାଇଛି ।