କାହିଁକି ଶଙ୍ଖ ଶିବିରକୁ ହଠାତ ଲମ୍ଫ ମାରିଲେ ଶିକ୍ତା ? ନବୀନଙ୍କ କ୍ୟାମ୍ପକୁ ଏଣ୍ଟ୍ରି ସହ ଓଡିଶା ଜନମୋର୍ଚ୍ଚାର ଭବିଷ୍ୟତ ନେଇ ମୁହଁ ଖୋଲିଲେ ପ୍ୟାରୀଙ୍କ ବଡ ଝିଅ

1,238

କନକ ବ୍ୟୁରୋ: ନବୀନଙ୍କ କ୍ୟାମ୍ପରେ ପ୍ୟାରୀଙ୍କ ଝିଅ । ଶଙ୍ଖ ଶିବିରକୁ ଆସି ଶଙ୍ଖ ଫୁଙ୍କିଲେ ପ୍ୟାରୀ ମହାପାତ୍ରଙ୍କ ବଡ ଝିଅ ଶିକ୍ତା ପତି । ଗତକାଲି ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଥିଲେ ଶିକ୍ତା । ଆଉ ସବୁଜ ଶିବିରକୁ ଶିକ୍ତାଙ୍କ ହଠାତ ଲମ୍ଫ ପ୍ରଦାନ ପରେ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ଆଲୋଚନା ହୋଇଥିଲା । କଣ ପାଇଁ ଓ କାହିଁକି ପ୍ୟାରୀଙ୍କ ଝିଅ ନବୀନଙ୍କ କ୍ୟାମ୍ପକୁ ଆସିଲେ ବୋଲି ଟୁପୁରୁଟାପୁରୁ ହେଉଥିଲା । ତେବେ ନିଜ ଯୋଗଦାନ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଶିକ୍ତା ପତି ।

ନାରୀ ଓ ଶିଶୁଙ୍କ ପାଇଁ ନବୀନଙ୍କ ଜନହିତକର ଯୋଜନା ତାଙ୍କୁ ପ୍ରଭାବିତ କରିଛି । ଅନେକ ଦିନ ହେବ ଶିକ୍ତା ସମାଜସେବା କରି ଆସୁଥିବା ବେଳେ ନାରୀ ଓ ଶିଶୁମାନଙ୍କ ପାଇଁ କାମ କରି ଆସୁଛନ୍ତି । ତେଣୁ ସେମାନଙ୍କ ସେବା ଅଧିକରୁ ଅଧିକ କରିବା ପାଇଁ ସେ ରାଜନୀତିରେ ପାଦ ଦେଲେ । ବାହାରେ ରହି ଯେଉଁ କାମ କରିହେବନି ତାହା ଗୋଟିଏ ଦଳରେ ରହିଲେ କରିହେବ । ଲୋକଙ୍କ ପ୍ରତି ସେହି କାମ, ସେହି ସେବାକୁ ସଠିକ ଭାବେ ତୁଲାଇ ହେବ । ମୁଖ୍ୟମନ୍ତ୍ରୀ ନାରୀ ଓ ଶିଶୁଙ୍କୁ ଗୁରୁତ୍ୱ ଦେଉଛନ୍ତି, ସେମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ଆଉ ଏହି ଯୋଜନା ମାଧ୍ୟମରେ ମୁଁ ସେମାନଙ୍କ ସେବା କରି ପାରିବି ବୋଲି ସିଧାସିଧା କହିଛନ୍ତି ଶିକ୍ତା ।

ତେବେ ତାଙ୍କ ବାପା ପ୍ୟାରୀ ମୋହନ ମହାପାତ୍ର ଗଢିଥିବା ଓଡିଶା ଜନମୋର୍ଚ୍ଚା ଦଳ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶିକ୍ତା । ବାପା ଗଲା ପରେ ମୁଁ ସେ ଦଳରେ ମାତ୍ର ୪ ଦିନ ମହାସଚିବ ଭାବେ ଦାୟିତ୍ୱ ତୁଲାଇଥିଲି ମାତ୍ର ସମାଜସେବା ପାଇଁ ମୁଁ ପରେ ଉକ୍ତ ଦଳରୁ ବାହାରି ଆସିଥିଲି । ତେଣୁ ଏବେ ସେ ଦଳ ସହ ମୋର କୌଣସି ସମ୍ପର୍କ ନାହିଁ କି ଦଳର ଭବିଷ୍ୟତ ନେଇ ମୁଁ କିଛି କହି ପାରିବନି ବୋଲି ଶିକ୍ତା ଉତ୍ତର ରଖିଛନ୍ତି ।

ସେପଟେ ଟିକେଟ ଆଶାରେ ହଠାତ ରାଜନୀତିକୁ ଏଣ୍ଟ୍ରି କରିଛନ୍ତି କି ? ପ୍ରଶ୍ନକୁ ସିଧାସିଧା ଖଣ୍ଡନ କରିଛନ୍ତି ଶିକ୍ତା । କୌଣସି ଟିକେଟ ଆଶାରେ ମୁଁ ଦଳରେ ଯୋଗଦେଇନି କି ମୋର ଟିକେଟ ପାଇଁ ବିଲକୁଲ ଆଶା ନାହିଁ । ଟିକେଟ ଆଶା ଥିଲେ ମୁଁ ବହୁ ଆଗରୁ ରାଜନୀତିରେ ଯୋଗ ଦେଇଥାନ୍ତି । ନାରୀ ଓ ଶିଶୁଙ୍କ ସେବା କରିବା ଆଉ ସେମାନଙ୍କ ପାଇଁ କିଛି ନୂଆ କାମ କରିବା ପାଇଁ ମୁଁ ଦଳରେ ଯୋଗ ଦେଇଛି ବୋଲି କହିଛନ୍ତି ପ୍ୟାରୀଙ୍କ ଝିଅ ଶିକ୍ତା ପତି ।