କନକ ବ୍ୟୁରୋ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୂର୍ବାହ୍ନ ୧୧ଟାରେ ହେବ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେବା ପରେ ପ୍ରଦୀପ୍ତ ମହାପାତ୍ରଙ୍କ ଏହା ପ୍ରଥମ ବୈଠକ । ଏଥିରେ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା ନୀତିକାନ୍ତି ଓ ଶୃଙ୍ଖଳିତ ବ୍ୟବସ୍ଥା ନେଇ ଆଲୋଚନା କରାଯିବ । ଏହାସହ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା କରାଯିବ । ଏବଂ ଜଗନ୍ନାଥଙ୍କ ଦାନ ଅର୍ଥ ସେବାୟତ ନନେବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ଲାଗୁ କରିବା ନେଇ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିବେ । ଏହାଛଡା ପୁରୀ ସହରରୁ ବର୍ଷା ଜଳ ନିଷ୍କାସନ ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା ହେବ ବୋଲି ଜଣାପଡିଛି ।

Advertisment

ଉଲ୍ଲେଖ ଥାଉ କି, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ପୁରୀରେ ପ୍ରତିଦିନ ଚାଲିଛି ସମୀକ୍ଷା ପରେ ସମୀକ୍ଷା। ଇତିମଧ୍ୟରେ ଦୁଇ ଥର ରଥ ସମନ୍ଵୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇ ସାରିଲାଣି। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ପୁଲିସ ବିଭାଗ ପକ୍ଷରୁ ପ୍ରତ୍ୟେକ ସ୍ଥିତିର ଟିକିନିକି ଅନୁଧ୍ୟାନ କରାଯାଉଛି। ତେବେ ଶୀତତାପ ନିୟନ୍ତ୍ରିତ ଘରେ ଚାଲିଥିବା ସମୀକ୍ଷାର ଅସଲ ରୂପ ନିକଟରେ ବଡଦାଣ୍ଡରେ ପ୍ରବାହିତ ବର୍ଷାପାଣିରୁ ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟାରେ ଅସରାଏ ବର୍ଷାରେ ପୁରୀ ବଡଦାଣ୍ଡ ଜଳାର୍ଣ୍ଣବ ହୋଇପଡିବା ସହ ଆଣ୍ଠୁଏ ପାଣିର ସୁଅ ଛୁଟିଥିଲା। ରାସ୍ତାରେ ଭାସିଥିଲା ନଳା ଆବର୍ଜନା ପାଣି।

ଘୋଷ ଯାତ୍ରାଅବ୍ୟବହିତ ପୂର୍ବରୁ ସହରର ନାଳନର୍ଦ୍ଦମାଗୁଡ଼ିକ ଯେଉଁଭଳି ସଫା ହେବା କଥା ତାହା ହୋଇନଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। କାମଚଳା ଢଙ୍ଗରେ ଡ୍ରେନ୍ ସବୁ ସଫା କରାଯାଉଛି। ବଡଦାଣ୍ଡର ମୁଖ୍ୟ ଡ୍ରେନ୍ ସଫା ହୋଇନଥିବା ଅଭିଯୋଗ ହୋଇଛି। କଢା ଯାଇଥିବା ପଙ୍କ ଡ୍ରେନରେ ମିଶିବା ଯୋଗୁ ଜଳ ନିଷ୍କାସନ ହୋଇ ପାରୁନାହିଁ। ସହରର ମୁଖ୍ୟ ଡ୍ରେନ୍ ସମେତ, ସାହି ଗଳିକନ୍ଦିର ଡ୍ରେନ୍ ଅବରୁଦ୍ଧ ହୋଇରହିଛି। ଭିଆଇପି ରୋଡ ଓ ସମୁଦ୍ରକୂଳ (ମେରାଇନ୍ ଡ୍ରାଇଭ୍) ରାସ୍ତାରେ ମଧ୍ୟ ଆଣ୍ଠୁଏ ଲେଖା ପାଣି ଜମି ରହିଛି। ଚଳିତ ବର୍ଷ ଯୋଡ଼ା ଆଷାଢ ପଡୁଥିବାରୁ ଏଥର ଶ୍ରୀଗୁଣ୍ଡିଚା ଯାତ୍ରା ଜୁଲାଇ ୧୪ରେ ସଂପନ୍ନ ହେବ। ସୁତରାଂ ଆଗକୁ ଲଗାଣ ବର୍ଷା ହେଲେ ସଂଗୀନ ସ୍ଥିତି ଉପୁଜିବାର ଆଶଙ୍କା କରାଯାଉଛି।