ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ମିଳୁନି ପତା । ପୁରୀ ଏସପି କହିଲେ, ଆତ୍ମସମର୍ପଣ ନକଲେ ଘୋଷଣା କରାଯିବ ପଳାତକ

561

କନକ ବ୍ୟୁରୋ : ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ପାଇଁ ବଢ଼ୁଛି ଅଡୁଆ । ଆତ୍ମସମର୍ପଣ ନକଲେ ତାଙ୍କୁ ପଳାତକ ଘୋଷଣା କରିବ ପୁରୀ ପୋଲିସ । ଆଜି ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି । କହିଛନ୍ତି ଓମ ପ୍ରକାଶଙ୍କ ନାଁରେ ଇଭିଏମ ଭଙ୍ଗାରୁଜା ଓ ପ୍ରିଜାଇଡିଙ୍ଗ୍ ଅଫିସରଙ୍କୁ ମାଡ ମାରିବା ଭଳି ବିଭିନ୍ନ ସଙ୍ଗୀନ ଦଫା ଲଗାଯାଇଛି । ତାଙ୍କୁ ପୋଲିସ ଧରିବା ପାଇଁ ଅପରେସନ ଜାରି ରଖିଛି ପୋଲିସ । ଅନ୍ୟପଟେ ବିଜେଡି ଆଣିଛି ସାଂଘାତିକ ଅଭିଯୋଗ । ଓଡିଶାରୁ ଓମପ୍ରକାଶଙ୍କୁ ଫେରାର କରାଇବାରେ ଭାରତୀୟ ଜନତା ପାର୍ଟିର ବଡ ନେତା ସହଯୋଗ କରିଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ ।

୨୩ ତାରିଖ, ମଙ୍ଗଳବାର । କଣାସ ବ୍ଲକର ୭୮ ନମ୍ବର ବୁଥ । ମତଦାନ କେନ୍ଦ୍ରରେ ବିକ୍ଷିପ୍ତ ଭାବେ ପଡି ରହିଥିଲା ଚେୟାର ଟେବୁଲ ଠାରୁ ଆରମ୍ଭ କରି ଇଭିଏମ । ଭୋଟ ଗ୍ରହଣ ଚାଲିଥିବା ବେଳେ ର‌୍ୟାଗିଂ ଅଭିଯୋଗ କରି ସମର୍ଥକଙ୍କ ସହ ବୁଥ ଭିତରକୁ ପଶି ଆସିଥିଲେ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର । ଅଭିଯୋଗ ଅନୁସାରେ ବୁଥ ଭିତରେ ବ୍ୟାପକ ଭଙ୍ଗାରୁଜା କରିଥିଲେ ଓମପ୍ରକାଶ ଓ ତାଙ୍କ ସମର୍ଥକ । ନିଜେ ବିଧାୟକ ପ୍ରାର୍ଥୀ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଥିବା ଓ ପ୍ରିଜାଇଣ୍ଡିଂ ଅଫିସରଙ୍କୁ ମାଡ଼ ମାରିଥବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ଥାନାରେ ଏ ନେଇ ମାମଲା ରୁଜୁ ହେବା ପରେ ୩ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୁରୀ ପୋଲିସ । ଓଡ଼ିଶା ବାହାରକୁ ଚାଲିଯିବାର ଆଶଙ୍କା ଥିବାରୁ ଭୁବନେଶ୍ୱର ବିମାନବନ୍ଦରକୁ ଫଟୋ ସହ ସୂଚନା ଦିଆଯାଇଛି । ସେପଟେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ଏହି ଘଟଣାରେ ସିଇଓ ଚୁପ୍ ରହିଥିବା ଅଭିଯୋଗ କରିବା ସହ ବିଜେଡି ମୁଖପାତ୍ର କହିଛନ୍ତି, ଓମ ପ୍ରକାଶଙ୍କୁ ଲୁଚାଇ ରଖିଛନ୍ତି ବିଜେପି ନେତା ।

ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ରଙ୍କ ବିରୋଧରେ ଅନେକ ସଂଗୀନ ଦଫାରେ ମାମଲା ରୁଜୁ କରି ତଦନ୍ତକୁ ଆଗକୁ ନେଉଛି ପୋଲିସ । ଗତକାଲି ଓମପ୍ରକାଶଙ୍କ ୨ ଜଣ ସମର୍ଥକଙ୍କୁ ଗିରଫ କରାଯାଇଛି । ପୋଲିଂ କର୍ମଚାରୀ ଓ ଉପସ୍ଥିତ ମତଦାତାଙ୍କ ଅଭିଯୋଗ ଅନୁସାରେ ଓମ୍ ପ୍ରକାଶ ଧରିଥିବା ବନ୍ଧୁକକୁ ମଧ୍ୟ ଯାଂଚ ପରିସରକୁ ନେଇଛି ପୋଲିସ ।