କନକ ବ୍ୟୁରୋ : ଦେଶର ୪ଟି ପ୍ରମୁଖ ମନ୍ଦିରର ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ତିନିଜଣିଆ କମିଟି ସୁପ୍ରିମକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିଛି। ରିପୋର୍ଟରେ ଶ୍ରୀମନ୍ଦିର ପରିଚାଳନାଗତ ଉନ୍ନତ ପାଇଁ ୧୮ଟି ବ୍ୟବସ୍ଥା ଲାଗୁ କରିବାକୁ ସୁପାରିସ କରାଯାଇଛି। ଭକ୍ତମାନେ ବିନା ବାଧାବିଘ୍ନରେ କିଭଳି ଦର୍ଶନ କରିପାରିବେ, ସେବକଙ୍କ ସଂଖ୍ୟାକୁ କିଭଳି ସୁବ୍ୟବସ୍ଥିତ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ସେହିଭଳି ଦର୍ଶନ ସମୟରେ କୌଣସି ପ୍ରକାର ଦକ୍ଷିଣାକୁ ପ୍ରଶ୍ରୟ ନଦେବା, ରୋଷଘର ଓ ଆନନ୍ଦବଜାର ପରିଚାଳନାକୁ ନେଇ ପୃଥକ୍ ନିୟମ ତିଆରି କରିବା, ଶୁଖିଲା ପ୍ରସାଦ ବ୍ୟବସ୍ଥାକୁ ବନ୍ଦ କରିବା ଏବଂ ମହାପ୍ରସାଦକୁ କେବଳ ଆନନ୍ଦ ବଜାରରେ ବିକ୍ରି କରିବା ନେଇ ମଧ୍ୟ କମିଟି ସୁପାରିସ କରିଛି। ଏହାବ୍ୟତୀତ ଆନନ୍ଦ ବଜାର ଓ ଏହାର ଆଖପାଖ ସ୍ଥାନରେ ଭିକାରି ଓ ଅଣସେବକ ବ୍ରାହ୍ମଣଙ୍କ କାର୍ଯ୍ୟକଳାପକୁ ବାରଣ କରିବାକୁ କୁହାଯାଇଛି। ଯଦି କୌଣସି ବ୍ୟକ୍ତି ବ୍ରାହ୍ମଣମାନଙ୍କୁ ଖାଦ୍ୟ ଯୋଗାଇବାକୁ ଚାହିବେ, ସେମାନେ ମନ୍ଦିର ପ୍ରଶାସନରେ ଟଙ୍କା ଜମା କରିବେ ଏବଂ ମନ୍ଦିର ପ୍ରଶାସନ ସେମାନଙ୍କ ପାଇଁ ମନ୍ଦିର ବାହାରେ ଖାଦ୍ୟର ବ୍ୟବସ୍ଥା କରିବ। କୋଠଭୋଗ ପ୍ରଥାକୁ ଉଚ୍ଛେଦ କରିବା, ମନ୍ଦିର ପରିସରରେ ସ୍ୱଚ୍ଛତା ଓ ପରିମଳ ପାଇଁ ସୁବନ୍ଦୋବସ୍ତ କରିବା ଲାଗି ପେସାଦାରଙ୍କ ଦ୍ୱାରା ପରିମଳ ଯୋଜନା ପ୍ରସ୍ତୁତ କରିବାକୁ ରିପୋର୍ଟରେ କୁହାଯାଇଛି। ଏହା ବାଦ୍ ଆବଶ୍ୟକ ସଂଖ୍ୟକ ଶୌଚାଳୟ ମନ୍ଦିର ପରିସରରେ ନିର୍ମାଣ କରିବା ଏବଂ ସେଗୁଡ଼ିକର ଉପଯୁକ୍ତ ପରିଚାଳନା ଦିଗରେ ଧ୍ୟାନ ଦେବାକୁ ସୁପାରିସରେ ଉଲ୍ଲେଖ ରହିଛି।

Advertisment

publive-imageମନ୍ଦିରର ବିଭିନ୍ନ କାର୍ଯ୍ୟରେ ଯଦି ସ୍ୱେଚ୍ଛାସେବୀମାନେ ସେବା ପ୍ରଦାନ ପାଇଁ ଚାହିବେ ତାହାହେଲେ ସେମାନଙ୍କୁ ଉତ୍ସାହିତ କରାଯିବା ଉଚିତ। ସମସ୍ତ ସେବକଙ୍କୁ ପରିଚୟପତ୍ର ଜାରି କରିବା ସହିତ ମନ୍ଦିରର କର୍ମଚାରୀମାନଙ୍କ ଲାଗି ୟୁନିଫର୍ମ ବ୍ୟବସ୍ଥା କରିବାକୁ ରିପୋର୍ଟରେ କୁହାଯାଇଛି। ସେହିଭଳି ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିକୁ ବିକ୍ରି କରାଯାଇ କର୍ପସ ଫଣ୍ଡ୍ ସ୍ଥାପନ କରାଯିବା ନେଇ ସରକାରଙ୍କ ପୂର୍ବ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସହିତ ଶ୍ରୀମନ୍ଦିର ସଂସ୍କାରକୁ ନେଇ ସୁପ୍ରିମକୋର୍ଟ ରାୟ କାର୍ଯ୍ୟକାରୀ କରାଗଲେ ମନ୍ଦିର ଆୟରେ ବୃଦ୍ଧି ଘଟିବ ବୋଲି ରିପୋର୍ଟରେ କୁହାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଓ ନିୟମରେ ଆବଶ୍ୟକ ସଂଶୋଧନ କରିବା, ଶ୍ରୀଜଗନ୍ନାଥ ମନ୍ଦିରର କର୍ମଚାରୀ ଢାଞ୍ଚାକୁ ଡିଜାଇନ୍ କରିବା ପାଇଁ ପେସାଦାର ଏଜେନ୍ସିକୁ ନିୟୋଜିତ କରିବାକୁ କୁହାଯାଇଛି। ବିଚାରପତି ବି ପି ଦାସ କମିସନ୍ ପୁରୀ ଜିଲ୍ଲାରେ ସିଭିଲ୍ ଓ ପୁଲିସ ପ୍ରଶାସନର ପୁନର୍ବିନ୍ୟାସ ତଥା ସେଣ୍ଟର ଅଫ୍ ପିଲଗ୍ରିମେଜ୍ ଅନ୍ତର୍ଗତ ପୁରୀ ସହରର ମହତ୍ତ୍ୱକୁ ନେଇ ସୁପାରିସ କରିଛନ୍ତି। ସରକାର ବି ପି ଦାସ କମିଶନଙ୍କ ସୁପାରିସକୁ ଗ୍ରହଣ କରିଛନ୍ତି। ତେବେ ରାଜ୍ୟ ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉଚିତ।

publive-imageସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଜନସ୍ୱାର୍ଥ ସଂପର୍କିତ ମାମଲାର ଶୁଣାଣି ଆଜି ହେବ। ଏହି କୋର୍ଟରେ ମାମଲାର ଦୁଇ ଥର ଶୁଣାଣି ହୋଇଛି। ପ୍ରଥମ ଥର ଜୁନ ୮ ଓ ପରେ ଜୁଲାଇ ୫ରେ ଶୁଣାଣି କରି ମାନ୍ୟବର ସର୍ବୋଚ୍ଚ ଅଦାଲତ ୧୨ଟି ଆଦେଶ କାର‌୍ୟ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ୧୨ଟି ପ୍ରସ୍ତାବ ମଧ୍ୟରୁ ୯ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଅନ୍ନଦାନ ଆଟିକା, ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଓ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ସଂଶୋଧନ ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ। ଶ୍ରୀମନ୍ଦିରରେ ଦର୍ଶନ ଶୃଙ୍ଖଳା, ଦାନଦକ୍ଷିଣା ଓ ଅନ୍ୟ କିଛି ପ୍ରସଙ୍ଗରେ ମନ୍ଦିର ପରିଚାଳନା କମିଟି ଏବଂ ଛତିଶାନିଯୋଗ ବୈଠକରେ ଆଲୋଚନ ସରିଛି। ରାଜ୍ୟ ସରକାର ଗଠନ କରିଥିବା ତିନିଜଣିଆ ବିଶେଷଜ୍ଞ କମିଟି ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଜନଶୁଣାଣି କରିବା ସହିତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ପ୍ରସ୍ତାବ ରଖିଛନ୍ତି। ଶୁଣାଣି ପୂର୍ବରୁ ଆଜି ଶ୍ରୀ ଜଗନ୍ନାଥ ପରମ୍ପରା ବଞ୍ଚାଅ ସମିତି ପକ୍ଷରୁ ସହର ସାରା ଲିଫ୍ଲେଟ୍ (ପ୍ରଚାରପତ୍ର) ବଣ୍ଟାଯାଇଛି। ଏହି ପତ୍ରରେ ଶ୍ରୀମନ୍ଦିର ପରମ୍ପରାକୁ ଧ୍ୱଂସ କରିବାକୁ କିଛି ପ୍ରଶାସନିକ ଅଧିକାରୀ ଷଡଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଧର୍ମ ଆନ୍ଦୋଳନର ଡାକରା ଦିଆଯିବ। କେବଳ ସେତିକି ନୁହେଁ, ଖୁବଶୀଘ୍ର ଏହା ଜନଆନ୍ଦୋଳନର ରୂପ ନେବ ଏବଂ ଏଥି ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସମିତି ଚେତାବନୀ ଦେଇଛି। ଆଗାମୀ ଦିନରେ ଏହାକୁ ନେଇ ଶ୍ରୀକ୍ଷେତ୍ରରୁ ଧର୍ମ ଆନ୍ଦୋଳନ ଓ ଜନ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଏଥିରେ କୁହାଯାଇଛି।