ଅନିଦ୍ରା ରହିଲେ ମହାପ୍ରଭୁ! ପଞ୍ଚୁକରେ ବି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିରେ ବିଭ୍ରାଟ

ଶୃଙ୍ଖଳା ପାଇଁ ଭିତର ସେବାୟତ ନିଯୋଗର ସହଯୋଗ ଲୋଡ଼ି‌ଲା ଶ୍ରୀମନ୍ଦିର ପ୍ରଶାସନ

308

କନକ ବ୍ୟୁରୋ: ପଞ୍ଚୁକର ପହିଲି ଦିନରେ ସୋମବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ଦେଖା ଦେଇଥିଲା। ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶରେ ଅହେତୁକ ବିଳମ୍ବ ଘଟିବା ଫଳରେ ରାତି ୧୨ଟା ପରେ ମଧ୍ୟାହ୍ନ ଧୂପ ନୀତି ହୋଇଥିଲା । ନୀତି ବିଳମ୍ବ ଯୋଗୁ ସନ୍ଧ୍ୟାଧୂପ ସରୁ ସରୁ ରାତି ପାହି ଯାଇଥିଲା। ଫଳରେ ପଞ୍ଚୁକର ପ୍ରଥମ ଦିନରେ ରାତ୍ର ପହୁଡ ହୋଇ ନପାରି ବିଶ୍ବନିୟନ୍ତାଙ୍କୁ ଅନିଦ୍ରା ରହିବାକୁ ପଡିଥିଲା। ସିଂହାରୀ ସେବକ ଡବଲ ପାଳିଆ ପୁରସ୍କାର ପାଉନଥିବାରୁ କେବଳ ପାଳିଆ ସେବକମାନେ ଠାକୁରଙ୍କ ବେଶ କରିଥିଲେ। ଯାହାଦ୍ବାରା ନୀତି ବିଳମ୍ବିତ ହୋଇଥିବା କୁହାଯାଉଛି।

ନୀତି ବିଭ୍ରାଟ ପରେ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ଭିତର ସେବାୟତ ନିଯୋଗ ସହିତ ଆଲୋଚନା କରି ମହାପ୍ରଭୁଙ୍କ ନୀତିକୁ ଶୃଙ୍ଖଳିତ କରିବାକୁ ସହଯୋଗ ଲୋଡିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଭିତର ସେବାୟତ ନିଯୋଗ ସହିତ ଆଲୋଚନା କରିଥିଲେ। ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଲୋକଙ୍କ ଭିଡ ଜମୁଛି। ବିଶେଷ କରି କାର୍ତ୍ତିକ ପୂଣ୍ଣିମା ଦିନ ଏହି ଭିଡ ପାଞ୍ଚ ଗୁଣା ହେବ।

Source:google.co.in

ତେଣୁ ଏହାକୁ ଦୃଷ୍ଟିରେ ରଖି ନୀତି କିଭଳି ଅଧିକ ଶୃଙ୍ଖଳିତ ହେବ ସେ ସଂପର୍କରେ ଆଲୋଚନା କରାଯାଇଥିଲା। କାର୍ତ୍ତିକ ପୂର୍ଣ୍ଣିମା ପୂର୍ବ ଦିନ ରାତି ୧୧ଟା ସୁଦ୍ଧା ରାତ୍ର ପହୁଡ କରିବାକୁ ମୁଖ୍ୟ ପ୍ରଶାସକ ନିବେଦନ କରିଛନ୍ତି। ପରବର୍ତ୍ତୀ ସମୟରେ ଏ ନେଇ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।