ପୁଳା ପୁଳା ଟଙ୍କା ଥାଇ ବି ଦୁର୍ବିସହ ଜୀବନ…ନିଃସଙ୍ଗତା ଭରି ଦେଇଛି ଅସହ୍ୟ ଯନ୍ତ୍ରଣା । କଡ ଲେଉଟାଇ ଦେବାକୁ କେହି ନାହିଁ ପାଖରେ…ଲକ୍ଷାଧିକ ଟଙ୍କାର ମାଲିକାଣୀ ହୋଇବି ସର୍ବାଣୀ ଜିଉଁଛନ୍ତି ଅଭିଶପ୍ତ ଜୀବନ

10,862

କନକ ବ୍ୟୁରୋ: ବଂଚିବାକୁ ହେଲେ ଅର୍ଥ ସର୍ବସ୍ୱ ନୁହେଁ, ସୁନ୍ଦର ଜୀବନ ପାଇଁ ସଂପର୍କ ଲୋଡା । ପ୍ରଚୁର  ଅର୍ଥ ଥାଇ ବି ଆତ୍ମୀୟ ସ୍ୱଜନ ନ ଥିଲେ ଜୀବନ କେମିତି ଦୁର୍ବିସହ ହୋଇପଡେ ତାହା ଡିଏଭି ସ୍କୁଲର ଇଂରାଜୀ ଶିକ୍ଷୟିତ୍ରୀ ସର୍ବାଣୀ ଦାସଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।  ଜୀବନର ଶେଷ ମୁହୂର୍ତ୍ତରେ ଅର୍ଥ ନୁହେଁ ସେବା ଲୋଡା । ଏଭଳି ନିଛକ ତଥା ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ କାଳିକାଦେବୀ ସାହିର ରାଣୀମଠ ସମ୍ମୁଖରେ ରହୁଥିବା ପୁରୀର ଜଣେ ଜଣାଶୁଣା ଡିଏଭି ଇଂରାଜୀ ଶିକ୍ଷୟିତ୍ରୀ ସର୍ବାଣୀ ମିସଙ୍କ କ୍ଷେତ୍ରରେ ।

ସର୍ବାଣୀଙ୍କ ଯନ୍ତ୍ରଣାଦାୟକ ଜୀବନ ଅତ୍ୟନ୍ତ ଦୁଃଖଦାୟକ । ପାଖରେ ଅର୍ଥର ଅଭାବ ନାହିଁ । ତକିଆ ତଳେ ୧୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ବଣ୍ଡ ପଡିଛି ଆଉ ଚେକ୍ ବହି ବି ପାଖରେ ରହିଛି । ଆକାଉଂଟରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଜମା ଅଛି । ନିଜ ଚାକିରୀ ଜୀବନରେ ସମସ୍ତ ଇପିଏଫ ଓ ଗ୍ରାଚ୍ୟୁଇଟି ଟଙ୍କା ପ୍ରାୟ ୨୦ ଲକ୍ଷ ହେବ ଟଙ୍କା ବି ରହିଛି । ମାତ୍ର ପାଖରେ ମଣିଷ ନଥିବାରୁ ସର୍ବାଣୀଙ୍କ ପାଇଁ ସେ ସବୁ ଯେମିତି ତୁଚ୍ଛ ହୋଇଯାଇଛି । ସର୍ବାଣୀ ଏବେ ଏକ ଭଡା ଘରେ ପଡିଛନ୍ତି ।  ୫୫ ବର୍ଷର ସର୍ବାଣୀ ଗୋଟିଏ ଖଟରେ ମାସ ମାସ ଏକା ପଡି ରହିଛନ୍ତି । ଖାଇବାକୁ ଦେବାକୁ  ଲୋକ ନାହାନ୍ତି । ଯେଉଁ ଖଟରେ ଶୋଇଛନ୍ତି ସେଇଠି ଝାଡା ପରିସ୍ରା କରୁଛନ୍ତି । ଗତ ମାସେ ହେବ ସେ ଏମିତି ଗୋଟିଏ ତାଙ୍କ ଶରୀର ଏକ ପ୍ରକାର ଦବି ଗଲାଣି । ବେଡସୋର ହେବା କାରଣରୁ ବଂଚି ଥାଉ ଥାଉ ସର୍ବାଣୀଙ୍କ ଶରୀରର ଅଧା ଭାଗ ପଚି ହି ଗଲାଣି  ।ଏପରିକି ମିସ୍ ରହୁଥିବା ଭଡା ଘରୁ ମଧ୍ୟ ପଚା ଦୁର୍ଗନ୍ଧ ବାହାରିଲାଣି । ହେଲେ ଏଭଳି ସ୍ଥିତିରେ ବି ସର୍ବାଣୀଙ୍କ ଅସହାୟତା ଦେଖି ତରଳି ଯାଇନି କାହାର ବି ହୃଦୟ ।

ତେବେ ସର୍ବଣୀ  ଅବିବାହିତା ଥିବାରୁ ବାପାମାଆଙ୍କ ମୃତ୍ୟୁ ପରେ ସେ ପୂରା ଏକା ହୋଇଯାଇଛନ୍ତି । ଗତ ୧୦ରୁ ୧୨ ବର୍ଷ ହେବ ସେ ଏହି ଭଡା ଘରେ ରହିଆସୁଛନ୍ତି । ତେବେ ପକ୍ଷାଘାତ ରୋଗରେ ପୀଡିତ ଥିବା ସର୍ବାଣୀ କଥାବାର୍ତ୍ତା ତ କରିପାରୁଛନ୍ତି  ହେଲେ ଚଲାବୁଲା କରିପାରୁ ନାହାନ୍ତି । ତେଣୁ ଏଭଳି ପରିସ୍ଥିତିରେ ଶଯ୍ୟାଶାୟୀ ହୋଇପଡିଥିବା ଡିଏଭି ସ୍କୁଲର ଏହି ଜଣାଶୁଣା ଶିକ୍ଷୟିତ୍ରୀଙ୍କୁ ପ୍ରଶାସନ ପକ୍ଷରୁ ଚିକତ୍ସା ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି ।