ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ମାମଲା । ତିନି ଜଣିଆ ଖଣ୍ଡପୀଠଙ୍କ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି , ଉଚ୍ଛେଦ ସଂପର୍କିତ ଷ୍ଟାଟସ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

219

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱ ଉଚ୍ଛେଦ ମାମଲାର ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତକାଲି ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ଅଭିଯାନକୁ ନେଇ ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିସାରିଛନ୍ତି । ସେହି ଷ୍ଟାଟସ ରିପୋର୍ଟ ଆଧାରରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ପୁରୀ ଜିଲ୍ଲାପାଳଙ୍କ ଠାରୁ ସଂଗୃହୀତ ନଥିପତ୍ର ଓ ସୂଚନା ଆଧାରରେ ରାଜ୍ୟ ସରକାର ଉଚ୍ଛେଦ ନେଇ ଷ୍ଟାଟସ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଆଖପାଖରେ ଥିବା ମଠମାନଙ୍କ ସଂପର୍କରେ ମଧ୍ୟ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ଷ୍ଟାଟସ ରିପୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ମଠର ମହନ୍ତ ଓ ପ୍ରଶାସକଙ୍କ ସହ ବିଚାରବିମର୍ଶ କରି ନିଷ୍ପତି ନିଆଯାଇଛି । ଏଥିସହ ମଠ ଗୁଡିକର ସୁରକ୍ଷା ସୁନିଶ୍ଚିତ କରାଯିବା, ପବିତ୍ରତା ସଂରକ୍ଷଣ, ଧାର୍ମିକ ଭାବନା, ଆଧ୍ୟାତ୍ମିକତା, ଦେବାଦେବୀ, ପବିତ୍ରତମ ସ୍ଥଳ, ଗାଦି, ମଠର ସମାଧି ଓ ମଠର ଅବଶେଷରେ ବାଧା ସୃଷ୍ଟି କରାଯିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।

ସେହିପରି ମନ୍ଦିରର ବାହ୍ୟ କାରୁକାର୍ଯ୍ୟ ଗୁଡିକର ସୌନ୍ଦର୍ଯ୍ୟକରଣ ସମୟରେ ଏହାର ସଂରକ୍ଷଣ କରାଯିବ । ଏହା ମଠର ମହନ୍ତମାନଙ୍କ ସହମତି ଓ ବିଚାର ବିମର୍ଶରେ ସଂପନ୍ନ କରାଯିବ ବୋଲି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ମଠର ବୈକଳ୍ପିକ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରତ୍ୟେକ ମଠକୁ ମାସିକ କ୍ଷତିପୂରଣ ବା ଭଡା ରାଶି ଦେବେ । ଏନେଇ ମଠର ମହନ୍ତ ଓ ରାଜ୍ୟ ପ୍ରଶାସନଙ୍କ ଦ୍ୱାରା ଆପୋସ ବୁଝାମଣା କରି ତଥା ପୁନଃବାସ ଥଇଥାନ ନିୟମ ଅନୁସାରେ ନିର୍ଦ୍ଧାରଣ କରାଯିବ । ଏସବୁ ପଦକ୍ଷେପ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିର ଆଖପାଖ ଅଂଚଳରେ ଦଳାଚକଟା, ଅଗ୍ନିକାଣ୍ଡ ଦୁର୍ଘଟଣା, ଫାୟାର ବ୍ରିଗ୍ରେଡ ଓ ଆମ୍ବୁଲାନ୍ସ ଯାତୟାତ ପାଇଁ ବାଧା ନ ଉପୁଜିବା, ମନ୍ଦିର ସୁରକ୍ଷା, ଭକ୍ତମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟରେ ଦାଖଲ ଷ୍ଟାଟସ ରିପୋର୍ଟରେ କହିଛନ୍ତି ରାଜ୍ୟ ସରକାର ।

ଅକ୍ଟୋବର ୩ ତାରିଖରେ ଶ୍ରୀମନ୍ଦିର ଚାରିପାଖ ୭୫ ମିଟର ପରିଧିରେ ଥିବା ମଠ , ମନ୍ଦିର ଗୁଡିକର ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ସହମତି ଭିତିରେ ଉଚ୍ଛେଦ କରିବାକୁ ରାଜ୍ୟସରକାରଙ୍କୁ ପରାମର୍ଶ ଦେଇ ଉଚ୍ଛେଦର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗତକାଲି ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଥିବା ବେଳେ ଆଜି ତିନି ଜଣିଆ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ ।