ମନୋଜଙ୍କୁ ଝୁରୁଛି ମାଆମାଟି: ଦେଶ ପାଇଁ ପୁଅ ପ୍ରାଣବଳି ଦେବା ପରେ ଦୟନୀୟ ଅବସ୍ଥାରେ କଟୁଛି ପରିବାରର ଦିନ । ପେଟକୁ ଦାନା ଗଣ୍ଡେ ଦେବାକୁ ଝାଡୁ ବିକୁଛନ୍ତି ସହିଦଙ୍କ ବାପାମାଆ

426

କନକ ବ୍ୟୁରୋ: ସେପାରିରେ ମନୋଜ, ଏପାରିରେ ମନୋଜଙ୍କ ସ୍ମୃତି । ଗେହ୍ଲା ପୁଅର ଗୋଟି ଗୋଟି ମୂହୂର୍ତ୍ତକୁ ମନେପକାଇ ମାଆ କାନ୍ଦୁଛି ତ ଗାଁ ବି ଝୁରୁଛି । ବର୍ଷେ ପରେ ବି ସହିଦଙ୍କ ସ୍ମୃତିରେ ବୁଡିରହିଛି ସାରା ଗାଁ, ରତ୍ନ ହରାଇ ରହିରହି କାନ୍ଦୁଛି ରତନପୁର ମାଟି ମାଆ । ଆଜିକୁ ଠିକ ବର୍ଷେ ତଳେ ଅର୍ଥାତ ୧୪ ଫେବୃୟାରୀ ୨୦୧୯ରେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିଲେ ନିଆଳୀ ରତନପୁର ଗାଁର ବୀର ଯବାନ ମନୋଜ ବେହେରା । ଜମ୍ମୁକଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ ଓଡିଆ ପୁଅ ମନୋଜ ବେହେରା ।

ସେପଟେ ସୀମାରେ ପୁଅ ସହିଦ ହେବା ପରେ, ଦେଶ ପାଇଁ ପୁଅ ଜୀବନ ଦେବା ପରେ ଏବେ ଦୟନୀୟ ଅବସ୍ଥାରେ କଟୁଛି ପରିବାର ଦିନ । ରାତି ପାହି ସକାଳ ହେଲେ ପେଟ ପାଇଁ ସଙ୍ଘର୍ଷ ଆରମ୍ଭ କରି ଦେଉଛନ୍ତି ମନୋଜଙ୍କ ବାପାମାଆ । କେମିତି ଚଳିବ ପରିବାର ? କେଉଁଠୁ ଆସିବ ଦାନା? ଏଇ ଚିନ୍ତାରେ କୌଳିକ ବୃତିକୁ ଆପଣେଇ ନେଇଛନ୍ତି ସହିଦଙ୍କ ବାପାମାଆ ।

ପୁଅ ଥିଲେ ହୁଏତ ବୟସର ଅପରାହ୍ଣରେ ଏମିତି କଷ୍ଟ, ଏମିତି ଯନ୍ତ୍ରଣା ଭୋଗିବାକୁ ପଡି ନଥାନ୍ତା । ହେଲେ ପୁଅକୁ ନେଇ ଦେଖିଥିବା ସବୁ ସ୍ୱପ୍ନ ସୀମାରେ ସହିଦ ହେବା ପରେ ଏବେ ଭାଗ୍ୟକୁ ନେଇ ବଞ୍ଚୁଛନ୍ତି ମନୋଜଙ୍କ ମାଆବାପା । ଯେଉଁ ପୁଅ ଦେଶର ଟେକ ରଖିଲା ଆଜି ସେହି ପୁଅର ପରିବାର ଝାଡୁ, ପହଁରା, ତାଳପତ୍ରର ଟୋକେଇ କରି ବଜାରରେ ବିକୁଛନ୍ତି । ତେବେ ସରକାରଙ୍କ ସବୁ ସୁବିଧା ମନୋଜଙ୍କ ପତ୍ନୀ ଇଲିଲତା ଭୁବନେଶ୍ୱରରେ ରହି ପାଉଥିବା ବେଳେ ସେମାନଙ୍କୁ କିଛି ମିଳୁ ନଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି ।

ସେପଟେ ସହିଦ ସାଙ୍ଗ ସହ ବିତାଇଥିବା ସମୟକୁ ପ୍ରତି ମୁହୂର୍ତ୍ତରେ ମନେପକାଇ ମନୋଜଙ୍କ ଝୁରୁଛନ୍ତି ତାଙ୍କ ସାଙ୍ଗ । ଆଉ ମନୋଜ ପଢିଥିବା ସ୍କୁଲରେ ବି ସେ ସମାନ ସ୍ଥିତି । କୁନି କୁନି ପିଲାମାନେ ବଡ ହୋଇ ମନୋଜଙ୍କ ପରି ହେବେ ବୋଲି ଶପଥ ନେଇଛନ୍ତି ।
ପୁଅ ଗାଁକୁ ଫେରିବନି କି ମାଆ କୋଳକୁ ଫେରିବନି । ଚିରନ୍ତନ ସତ୍ୟ ଆଉ ଜୀବନର ବାସ୍ତବତା ଜାଣି ବି ଶୁଖିଯାଇଥିବା ଘାଆ ତଳୁ ଦରଜକୁ ଭୁଲିପାରୁନି ମାଆ, ଭୁଲିପାରୁନି ଗାଁ…