ଏମିତି ଜଣେ ମନ୍ତ୍ରୀ, ବିଳାସପୂର୍ଣ୍ଣ ଜୀବନରୁ ଦୂର ଆଜି ବି କରନ୍ତି ଚାଷ । ରାଜନୀତିରୁ ସମୟ କାଢ଼ି ଚାଷ ଜମିରେ ବୁହାନ୍ତି ଝାଳ

443

ଦେଶରେ ଭିଆଇପି କଲଚର ଉପରେ ସବୁବେଳେ ବଡ ଆଲୋଚନା ହୋଇଛି । ନେତାମାନେ ନିର୍ବାଚନ ଜିତିବା ପରେ ଦେଖୁ ଦେଖୁ ତାଙ୍କ ରହଣି-ସହଣି ବଦଳିଯାଏ । ୫ବର୍ଷରେ ତାଙ୍କ ସମ୍ପତ୍ତିରେ ୧୦ଗୁଣ ବଢ଼ିଯାଏ । ତାଙ୍କ ଯିବା ଆସିବା ସମୟରେ ରାସ୍ତା ଖାଲି କରିଦିଅନ୍ତି । କିନ୍ତୁ ଏହି ଦେଶରେ କିଛି ନେତା-ମନ୍ତ୍ରୀ ଏମିତି ବି ଅଛନ୍ତି, ଯେଉଁମାନେ ଆଜି ବି ଭୂମି ସହିତ ଜହିତ ଅଛନ୍ତି । ଏମିତି ଏକ ନେତା ଅଛନ୍ତି ପୁଡୁଚେରୀର କୃଷି ମନ୍ତ୍ରୀ କମଲାକନନ ।

ସୋସିଆଲ ମିଡିଆରେ କମଲାକନନଙ୍କ ଏକ ଫଟୋ ଖୁବ୍ ଭାଇରାଲ ହେଉଛି । ଏଥିରେ କମଲାକନନ ଜମିରେ କାମ କରୁଥିବା ନଜର ଆସୁଛନ୍ତି । ଏହି ଫଟୋ ପୁଡୁଚେରୀର ଉପରାଜ୍ୟପାଳ କିରଣ ବେଦୀ ସେୟାର କରିଛନ୍ତି । କିରଣ ବେଦୀ ଫଟୋ ସେୟାର କରି ଲେଖିଛନ୍ତି କି, “ଅନୁମାନ ଲଗାନ୍ତୁ କିଏ ? ଏ ହେଉଛନ୍ତି ପୁଡୁଚେରୀର ଆଦରଣୀୟ କୃଷିମନ୍ତ୍ରୀ ଶ୍ରୀ କମଲାକନନ । ସେ ଜଣେ ସଚ୍ଚୋଟ କୃଷକ ।” ଫଟୋରେ କମଲାମନନ ପାଣି ଓ ମାଟିରେ ଜୁଡୁବୁଡୁ ଧାନ କ୍ଷେତରେ କାମ କରୁଛନ୍ତି । ତାଙ୍କ ଶରୀରରେ ଗୋଟିଏ ଲୁଙ୍ଗୀ ବ୍ୟତୀତ ଆଉ କିଛି ନାହିଁ, କେବଳ ଝାଳ ବହୁଛି ।

ସୂଚନାଯୋଗ୍ୟ, ଆର. କମଲାକନନ କଂଗ୍ରେସ ଦଳର ନେତା ଓ ଥିରୁନଲ୍ଲାର ବିଧାନସଭା କ୍ଷେତ୍ରରୁ ବିଧାୟକ ଅଛନ୍ତି । ତାଙ୍କ ପାଖରେ କୃଷି ମନ୍ତ୍ରାଳୟ ବ୍ୟତୀତ ବିଜୁଳି, ଶିକ୍ଷା, ସୈନିକ କଲ୍ୟାଣ ଓ ସାମୁଦାୟିକ ବିକାଶ ମନ୍ତ୍ରାଳୟ ଅଛି । ଗତ ରବିବାର ଦିନ ସେ ନିଜ ବିଧାନସଭା କ୍ଷେତ୍ର ଯାଇଥିଲେ । ଜନତାକୁ ଭେଟିବା ପରେ ସେ ଚାଷ ଜମିରେ ପହଂଚିଥିଲେ ଓ ୨ ଘଂଟା ପର୍ଯ୍ୟନ୍ତ କାମ କଲେ । ମନ୍ତ୍ରୀ କମଲାକନନ କହନ୍ତି କି, ରାଜନୀତିରେ ସକ୍ରିୟ ହେବା ପରେ ସୁଦ୍ଧା ଚାଷ କାମ କରିବାକୁ ଚାହାଁନ୍ତି, ସେଥିପାଇଁ ଚାଷଜମିରେ ସମୟ ଦିଅନ୍ତି । ମନ୍ତ୍ରୀ ହେବା ପରେ ସେ ବ୍ୟସ୍ତ ରହୁଥିବାରୁ ଚାଷକାମରେ ଅଧିକ ସମୟ ଦେଇପାରୁନାହାଁନ୍ତି ।