ସାଇକୋ କିଲର ସତ କଣ ? କିଏ କହୁଛି ସତ ? ପୋଲିସ କହୁଛି ନାରାୟଣ ମାରିଛି, ଗାଁ ଲୋକେ କହୁଛନ୍ତି ସେ ହାତ ଉଠାଏନି…

511

କନକ ବ୍ୟୁରୋ: ଧରାପଡିଛି ସିଲଭର ସିଟିର ସାଇକୋ କିଲର । ବହୁ ତନାଘନା ପରେ ଶେଷରେ ସାଇକୋ କିଲରକୁ ସାମ୍ନାକୁ ଆଣିଛି ପୋଲିସ । କଟକରେ କୋକୁଆ ଭୟ ଖେଳାଇଥିବା ସିରିଏଲ କିଲରକୁ ପୋଲିସ ଧରିବା ପରେ ଏବେ ତାକୁ ନେଇ ଚାରିଆଡେ ଚର୍ଚ୍ଚା । ଧରାପଡିଥିବା ନାରାୟଣ ସାହୁ କେମିତି ବନିଲା ସାଇକୋ କିଲର ତାକୁ ନେଇ ସବୁଠି ଚର୍ଚ୍ଚାବିଚର୍ଚ୍ଚା ଲାଗି ରହିଥିବା ବେଳେ ପୋଲିସ ସାର୍ବଜନୀନ କରିଥିବା ସୈତାନକୁ ନେଇ ଉଠିଛି ପ୍ରଶ୍ନ ।

ସିଲଭର ସିଟିର ସୈତାନ ଫଟୋ ଆଜି ପୋଲିସ ସାମ୍ନାକୁ ଆଣିବା ପରେ ତା ନୀରିହ ଚେହେରା ଦେଖି ବିଶ୍ୱାସ କରି ହେଉନି କି ସେ ଏତେ ବଡ କାଣ୍ଡ କରିଥିବ । ନୟାଗଡ ସୁନାମୁହିଁ ଗାଁର ୪୦ ବର୍ଷିୟ ବ୍ୟକ୍ତି ଯେ ଏତେବଡ କାଣ୍ଡ ଘଟାଇ ଥାଇପାରେ ତାହା ହୁଏତ ଏହି ଚେହେରା ଦେଖିଲେ କାହାକୁ ବିଶ୍ୱାସ ହେବନି । ହେଲେ ପୋଲିସ ଏହି ବ୍ୟକ୍ତିଙ୍କୁ ହତ୍ୟାକାରୀ ବୋଲି କହିଛି ।

ଯଦି ପୋଲିସ ନାରାୟଣକୁ ହତ୍ୟାକାରୀ ବୋଲି କହୁଛି ତେବେ ପୋଲିସ ପାଖରେ ସ୍ପଷ୍ଟ ପ୍ରମାଣ କଣ ଅଛି ? ନାରାୟଣ ହତ୍ୟା କରୁଥିବାର କେହି ପ୍ରତ୍ୟେକ୍ଷଦର୍ଶୀ ଅଛନ୍ତି କି? ଏଫଏମଟି ରିପୋର୍ଟ ଅନୁଯାୟୀ ହତ୍ୟାକାରୀ ଟାଙ୍ଗିଆ ଭଳି ଧାରୁଆ ଅସ୍ତ୍ରରେ ହତ୍ୟା କରୁଥିଲା ତେବେ ନାରାୟଣକୁ ପୋଲିସ ଧରିବା ପରେ ସେ ଧାରୁଆ ଅସ୍ତ୍ରକୁ ଜବତ କରିଛି କି? ଯଦି ଜବତ କରିଛି ଏଯାଏଁ କାହିଁକି ସେ ମାରାଣାସ୍ତ୍ରକୁ ସାମ୍ନାକୁ ଆଣିନି? ସେପଟେ ସିସିଟିଭିରେ ସୈତାନର ମୁହଁ ସ୍ପଷ୍ଟ ଦିଶୁନି, ତେଣୁ ସେ ଲୋକ ନାରାୟଣ ସାହୁ ହୋଇଥିବେ ବୋଲି କଣ ପ୍ରମାଣ ଅଛି ? ପୋଲିସ ଉପରେ ଚାପ ପଡୁଥିବାରୁ ସମସ୍ତଙ୍କୁ ଚୁପ କରିବାକୁ ତରବରିଆ ଭାବେ ଏଭଳି କାମ ହୋଇନି ତ ? ନାରାୟଣଙ୍କ ଫଟୋ ସାମ୍ନାକୁ ଆସିବା ପରେ ଏମିତି କିଛି ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ହେଉଛି ।

ସେପଟେ ନାରାୟଣ ଏମିତି ପିଲା ନୁହେଁ ବୋଲି ସଫେଇ ଦେଇଛନ୍ତି ନାରାୟଣ ସାହୁଙ୍କ ଗାଁ ଲୋକେ । ସିଲଭର ସିଟିରେ ନାରାୟଣ ସିରିଏଲ କିଲ କରିଥିବା କଥାକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ସୁନାମୁହିଁ ଗାଁର ଲୋକେ । ନାରାୟଣ ଏମିତି ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ବେଶ ଆରାମରେ ନିଜ ଘରକୁ ଫେରିଆସିଛି ଏକଥାକୁ ଲୋକେ ମାନୁ ନଥିବା ବେଳେ ଗାଁରେ ନାରାୟଣ କେମିତି ଚଳେ, କେମିତି ରହେ ସେ କଥା ବଖାଣିଥିଲେ ।

ଗାଁ ଲୋକେ କହିଛନ୍ତି ନାରାୟଣର ମାନସିକ ଅବସ୍ଥା ଖରାପ ହୋଇଯାଇଥିଲା । ଆଉ ସେ ପାଗଳ ଭଳି ବୁଲାବୁଲି କରୁଥିଲା । ଗାଁ ଦାଣ୍ଡରେ ଶୋଇ ଯାଉଥିଲା । ବେକରେ ଚପଲ ମାଳ, ବୋତଲ ମାଳ ପକାଇ ବୁଲୁଥିଲା । କିନ୍ତୁ କେବେ କାହାରିକୁ ଆକ୍ରମଣ କରୁନଥିଲା କି କାହାକୁ ପ୍ରତିବାଦ କରୁନଥିଲା । ଯିଏ କେବେ କି କାହାକୁ ଏମିତି କରିନି ସେ କେମିତି ରକ୍ତର ଖେଳ ଖେଲିବ ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରି ଅତି ବିନମ୍ରଭାବେ କହିବା ସହ ଭଲଭାବେ ତଦନ୍ତ କରି ପ୍ରମାଣ ଦିଅନ୍ତୁ ବୋଲି ଗାଁ ଲୋକେ ଦାବି କରିଛନ୍ତି । ନାରାୟଣ ଉପରେ ଆରୋପ ଲଗାଇବା ପୂର୍ବରୁ କଥାକୁ ପ୍ରମାଣିତ କରି ପୋଲିସ କହୁ ବୋଲି ଦାବି କରିଛନ୍ତି ଲୋକେ ।

ସେପଟେ ୩ ମାସ ତଳେ ଚିକିତ୍ସା ପାଇଁ କଟକ ଆସିଥିଲେ ନାରାୟଣ । ହେଲେ ସେଠାରୁ କୁଆଡେ ଫେରାର ହୋଇଗଲା । ବହୁ ଖୋଜାଖୋଜି କରି ପରିବାର ଲୋକେ ନିରାଶ ହେବାପରେ ଅଚାନକ ୨୩ ତାରିଖରେ ଗାଁରେ ପହଂଚିଥିଲା ନାରାୟଣ । ଆଉ ୨୮ ତାରିଖରେ ପୋଲିସ ତାକୁ ଗାଁରୁ ଗିରଫ କରିଥିଲା ।

ତେବେ ଗୋଟିଏ ପଟେ ଗାଁ ଲୋକଙ୍କ ନିବେଦନ, ଗାଁ ଲୋକଙ୍କ ଯୁକ୍ତି । ଆଉ ଅନ୍ୟପଟେ ପୋଲିସର ଯୁକ୍ତି । ଗୋଟିଏ ପଟେ ତିନି ତିନିଟି ନୃସଂଶ ହତ୍ୟାକାଣ୍ଡର ଅଭିଯୁକ୍ତ, ଆଉ ଗୋଟେ ପଟେ ମାନସିକ ବିକୃତ ଯୁବକର ନୀରିହ ଚେହେରା । ଏସବୁ ଭିତରେ ସତ୍ୟର ଅନୁସନ୍ଧାନ ଓ ନ୍ୟାୟର ଜିତାପଟକୁ ହିଁ ଅପେକ୍ଷା କରିଛନ୍ତି ସମସ୍ତେ ।