ନାଗରିକତା ସଂଶୋଧନ ଆଇନକୁ ନେଇ ଥମୁନି ବିରୋଧ । ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ସପକ୍ଷରେ ବାହାରିଲେ ଲକ୍ଷ୍ନୌର ଛାତ୍ର । ପୁଲିସ ଉପରକୁ ପ୍ରଦର୍ଶନକାରୀଙ୍କ ଢେଲାପଥର ମାଡ଼

ସେପଟେ ହିଂସା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ

208

କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନକୁ ନେଇ ଥମୁନି ବିରୋଧ ଆଉ ପ୍ରତିବାଦ । ଜାମିଆ ଓ ଆମୁ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ସମର୍ଥନରେ ବାହାରିଛି ଲକ୍ଷ୍ନୌ ନାଡୱା ବିଶ୍ୱବିଦ୍ୟାଳୟର ଛାତ୍ର । ପୁଲିସ ଓ ଛାତ୍ରଛାତ୍ରୀ ମୁହାଁମୁହିଁ ହୋଇଛନ୍ତି । ପରସ୍ପରକୁ ଟେକାପଥର ମାଡ କରୁଥିବା ଦେଖିବାକୁ ମିଳିଛି । ଉତର-ପୂର୍ବ ରାଜ୍ୟ, ଓ ପଶ୍ଚିମବଙ୍ଗ ପରେ ପ୍ରତିବାଦର ନିଆଁ ବ୍ୟାପିଛି ରାଜଧାନୀ ଦିଲ୍ଲୀକୁ । ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ସହ ସ୍ଥାନୀୟ ଉତ୍ୟକ୍ତ ଲୋକ, ଦକ୍ଷିଣ ଦିଲ୍ଲୀରେ ଲଙ୍କାକାଣ୍ଡ ଘଟାଇଛନ୍ତି । ଦକ୍ଷିଣ ଦିଲ୍ଲୀରେ ୩ ଟି ବସ ଜାଳିଦେବା ସହ ଦମକଳ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି । ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି ।

ତେବେ ଜାମିଆ ମିଲିଆ ଛାତ୍ର ଏହି ଗଣ୍ଡଗୋଳରେ ସାମିଲ ନଥିବା କହିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଏଥିସହ ପୋଲିସ ଛାତ୍ରଙ୍କ ଉପରେ ବର୍ବରତା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ପୋଲିସର ଏହି କାର୍ଯ୍ୟକଳାପକୁ ବିରୋଧ କରି ପୋଲିସ ମୁଖ୍ୟାଳୟ ଆଗରେ ଜାମିଆ ମିଲିଆ ଏବଂ ଜେଏନୟୁ ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଥିଲେ । ରାତି ପ୍ରାୟ ସାଢେ ୪ଟା ପର୍ଯ୍ୟନ୍ତ ଏହି ବିରୋଧ ଚାଲିଥିଲା । ସେପଟେ ଏହି ଘଟଣାକୁ ନେଇ ରାଜନୀତି ବି ଜୋର ଧରିଛି ।

ରାତି ପ୍ରାୟ ସାଢେ ୧୧ଟା ସମୟରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୋଦିଙ୍କୁ ଟାର୍ଗେଟ କରିଛି । ରାତି ପ୍ରାୟ ୧୨ଟା ସମୟରେ ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ଆନ୍ଦୋଳନକୁ ସମର୍ଥନ ଦେବା ପାଇଁ ଘଟଣା ସ୍ଥଳରେ ପହଂଚିଥିଲେ । ଛାତ୍ର ଓ ପୋଲିସ ଖଣ୍ଡ ଯୁଦ୍ଧରେ ଅନେକ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି । ଆହତ ହୋଇଥିବା ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।