ଉପକୁଳପତି ଇସ୍ତଫା ଦିଅ । ଜେଏନୟୁ କାନ୍ଥରେ ଦେଖିବାକୁ ମିଳିଲା ଓଡ଼ିଆ ଭାଷାରେ ବିରୋଧର ସ୍ୱର ।

153

ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜେଏନୟୁ କର୍ତ୍ତୃପକ୍ଷ ବର୍ଦ୍ଧିତ ହଷ୍ଟେଲ ଫିକୁ ଆଂଶିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି । ଏହା ସତ୍ତ୍ୱେ ବି ଆନ୍ଦୋଳନ ଜାରି ରଖିବାକୁ ଛାତ୍ରଛାତ୍ରୀମାନେ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଦିନ ରାତିରେ କିଛି ଛାତ୍ର କୁଳପତିଙ୍କ କାର୍ଯ୍ୟାଳୟରେ ଲାଗିଥିବା ନାମଫଳକକୁ ଭାଙ୍ଗିବା ସହ କବାଟ ଓ କାନ୍ଥରେ ଅଭଦ୍ର ଟିପ୍ପଣୀମାନ ଲେଖିଥିଲେ । ବିଶେଷ କରି ଉପକୁଳପତିଙ୍କୁ ବହିଷ୍କାର କରିବା ପାଇଁ ବିଭିନ୍ନ ଭାଷାରେ ଲେଖାଯାଇଥିବା ବେଳେ ଓଡ଼ିଆ ଭାଷାରେ ମଧ୍ୟ ଲେଖାଯାଇଛି ।

ଉପକୁଳପତି ଇସ୍ତଫା ଦେବାକୁ ଓଡ଼ିଆ ଭାଷାରେ ଲେଖାଯାଇଛି। ତେବେ ଏହା କେଉଁ ଛାତ୍ରଗୋଷ୍ଠୀ ପକ୍ଷରୁ ଲେଖାଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି କ୍ରମେ ହଷ୍ଟେଲ ଫି ବୃଦ୍ଧିକୁ ସୀମିତ କରାଯାଇଛି ।

ନୂଆ ନିଷ୍ପତ୍ତି ଅନୁସାରେ ଡବଲ-ସିଟର ରୁମ ଭଡା ପୂର୍ବରୁ ୧୦ ଟଙ୍କା ଥିବାବେଳେ ତାହାକୁ ୨୦୦ ଟଙ୍କା କରିବା ବଦଳରେ ୧୦୦ ଟଙ୍କା କରାଯିବ । ସେହିପରି ସିଙ୍ଗଲ ସିଟର ରୁମ ପୂର୍ବରୁ ମାତ୍ର ୨୦ ଟଙ୍କା ଥିବାବେଳେ ତାହାକୁ ୬୦୦ ଟଙ୍କା କରାଯାଇଥିଲା । ଏବେ ନୂଆ ନିଷ୍ପତ୍ତି ଅନୁସାରେ ତାହାକୁ ୨୦୦ ଟଙ୍କା କରାଯାଇଛି । ତେବେ ବର୍ଦ୍ଧିତ ଫିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଛାତ୍ରଛାତ୍ରୀମାନେ ଅଡି ବସିଛନ୍ତି । ଏହା ସମ୍ପୂର୍ଣ୍ଣ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।