ରାଜନୀତିରେ ବାଣୀବିହାର ! ପ୍ରବଳ ବିରୋଧ ଭିତରେ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

16

କନକ ବ୍ୟୁରୋ : ଯୁବ କଂଗ୍ରେସ ଓ ଏବିଭିପିର ତୀବ୍ର ପ୍ରତିବାଦ ଭିତରେ ଆଜି ବାଣୀବିହାର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବାଣୀବିହାର ବିକାଶ ପାଇଁ ୧୫ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହ ବିଭିନ୍ନ ଖାଲି ଥିବା ପଦପଦବୀ ପୂରଣ ନେଇ ସରକାର ପଦକ୍ଷେପ ନେବେ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି ।  ତେବେ ନବୀନଙ୍କ ଗସ୍ତକୁ ବିରୋଧ କରି ଛାତ୍ର କଂଗ୍ରେସ ପକ୍ଷରୁ ଏକ ବାଇକ୍ ରାଲି କରାଯାଇଥିଲା । ପୋଲିସ ଏମାନଙ୍କୁ ଅଟକାଇବା ଫଳରେ ବାଣୀବିହାର ଛକରେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି ଛାତ୍ର କଂଗ୍ରେସ କର୍ମୀ । ୫୦ରୁ ଅଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୁଲିସ ।

୨୦୧୪ରେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିଲେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀ । ଆକ୍ରମଣକାରୀଙ୍କୁ ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫାରେ ବୁକ କରିଥିଲା ପୋଲିସ । ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧର କରି ଏବିଭିପି ପକ୍ଷରୁ ମଧ୍ୟ ଅନୁରୂପ ବିରୋଧ ପ୍ରଦର୍ଶନ କରାଯାଇଛି । ଏହାକୁ ନେଇ ବାଣୀବିହାର ଛକରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।