ଶିକ୍ଷକ ମହାସଂଘର ଆନ୍ଦୋଳନ : ୧୦ଦଫା ଦାବି ନେଇ ଲୋୟର ପିଏମଜିରେ ବିକ୍ଷୋଭ

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀର ରାଜରାସ୍ତାରେ ହଜାର ହଜାର ଶିକ୍ଷକ । ୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଶିକ୍ଷକ ମହାସଂଘ । ଲୋୟର ପିଏମଜିରେ ଓଡିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଶିକ୍ଷକମାନେ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୁଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି ।

ପ୍ରତି ଥର ଭଳି ଏଥର ବି ବିଧାନସଭା ଅଧିବେଶନ ଆରମ୍ଭରୁ ଶିକ୍ଷକମାନେ ସ୍କୁଲ ଛାଡି ବିଭିନ୍ନ ଦାବି ନେଇ ଭୁବନେଶ୍ୱରରେ ଡେରା ପକାଇଛନ୍ତି । ସମାନ କାମକୁ ସମାନ ଦରମା, ସପ୍ତମ ବେତନ କମିସନ ସହ ବିଭିନ୍ନ ବ୍ଲକଗ୍ରାଂଟ ପ୍ରାପ୍ତ ସ୍କୁଲକୁ ପୂର୍ଣ୍ଣଅନୁଦାନ ଦାବିରେ ପାଖାପାଖି ୩ ହଜାର ଶିକ୍ଷକ ଧାରଣା ଦେଇଛନ୍ତି । ଏହାସହ ବହୁ ସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡିଛି ।

ଫଳରେ ପାଠପଢାରେ ସମସ୍ୟା ସୃଷ୍ଟି ହେଉଥିଲେ ସୁଦ୍ଧା ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ବହୁ ଶିକ୍ଷକ ୨୦ ବର୍ଷରୁ ଅଧିକ ସମୟ ଧରି କାମ କରୁଥିଲେ ସୁଦ୍ଧା ପୂର୍ଣ୍ଣ ଦରମା ମିଳୁନାହିଁ । ପୂର୍ଣ୍ଣ ଦରମା ସହ ବ୍ଲକଗ୍ରାଂଟ ଉଚ୍ଛେଦ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ।