ଡାକ୍ତର ହେବି, ବାପାଙ୍କର ଚିକିତ୍ସା କରିବି । ଗରିବ ଝିଅ ଶୁଭଶ୍ରୀଙ୍କ ସ୍ୱପ୍ନ ପୂରଣ କରିବାକୁ ନବୀନ ଦେଲେ ପ୍ରତିଶୃତି ।

760

କନକ ବ୍ୟୁରୋ: ଭୁବନେଶ୍ୱର ଶାନ୍ତିପଲ୍ଲୀରୁ ସଫଳତାର ଶୀର୍ଷରେ ପହଂଚିଥିବା ଶୁଭଶ୍ରୀଙ୍କ ପାଇଁ ବଢୁଛି ସହାୟତାର ହାତ । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ରାଜ୍ୟରେ ଦ୍ୱିତୀୟ ଟପ୍ପର ହୋଇଥିବା ଶୁଭଶ୍ରୀଙ୍କ କାହାଣୀ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିବ । ସବୁ ବାଧାବିଘ୍ନକୁ ପଛରେ ପକାଇ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢିଚାଲିଛନ୍ତି ଶୁଭଶ୍ରୀ । ଅତି ଗରିବ ପରିବାରରୁ ଆସିଥିବା ଶୁଭଶ୍ରୀଙ୍କ ଜୀବନର ଲକ୍ଷ୍ୟ ହେଲା ସେ ପେଟରୋଗ ବିଶେଷଜ୍ଞ ହେବେ । କାହିଁକି ନା ତାଙ୍କ ବାପା ଲିଭର ସିରୋସିସ ରୋଗରେ ପୀଡିତ । ଡାକ୍ତର ହୋଇ ବାପାଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ଶୁଭଶ୍ରୀ । ହେଲେ ଡାକ୍ତର ହେବା ସ୍ୱପ୍ନରେ ଏବେ ବାଧକ ସାଜିଛି ଅର୍ଥ ।

ଯୁକ୍ତ ଦୁଇ ପରୀକ୍ଷାରେ ଦ୍ୱିତୀୟ ଟପ୍ପର ହୋଇଥିବା ଶୁଭଶ୍ରୀ ଏବେ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ସହାୟତାକୁ ଅପେକ୍ଷା କରି ରହିଛନ୍ତି । ସ୍କୁଲ ଓ କଲେଜରେ କୌଣସି ସ୍କଲାରସିପ୍ ପାଇନଥିବା ଶୁଭଶ୍ରୀ ଏବେ ଡାକ୍ତରୀ ପାଠ ପଢିବା ପାଇଁ ଆର୍ଥିକ ସହାୟତା କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ନିଜର ଆବଶ୍ୟକତା ବାବଦରେ ମଧ୍ୟ ଜଣାଇଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ ଶୁଭଶ୍ରୀଙ୍କ ସ୍ୱପ୍ନ ପୂରଣ କରିବାକୁ ସମସ୍ତ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି ।

ଯୁକ୍ତ ଦୁଇ ବିଜ୍ଞାନରେ ସଫଳ ପ୍ରଦର୍ଶନ ପରେ ଡାକ୍ତରୀ ପଢିବାକୁ ଆଶା ବାନ୍ଧିଥିବା ଶୁଭଶ୍ରୀଙ୍କ ପାଇଁ ସବୁଠୁ ବଡ ବାଧକ ସାଜିଛି ଅର୍ଥ । କିଛି ବେସରକାରୀ ଅନୁଷ୍ଠାନ ସହାୟତାର ହାତ ବଢାଇଛନ୍ତି । ଏହା ସତ୍ୱେ ମଧ୍ୟ ଅଧିକ ସହାୟତା ଲୋଡିଛନ୍ତି ଶୁଭଶ୍ରୀ ।କାରଣ ଶୁଭଶ୍ରୀଙ୍କ ବାପା ଲିଭରସିରୋସିସ ରୋଗରେ ପିଡିତ । ଘରେ ରୋଜଗାରକ୍ଷମ ବ୍ୟକ୍ତି କହିଲେ କେହି ନାହାନ୍ତି । ତେଣୁ ପରିବାର ଚଳିବା ବି ମୁସକିଲ ହୋଇପଡିଛି । ଏପରି ସମୟରେ ଶୁଭଶ୍ରୀଙ୍କ ମେଡିକାଲ କୋଚିଂ ଓ ପାଠପଢା କିପରି ହେବ ସେନେଇ ବାପା ମାଙ୍କୁ ଚିନ୍ତା ଘାରିଛି । କିନ୍ତୁ ଶୁଭଶ୍ରୀ ଚାହୁଁଛନ୍ତି, ପେଟରୋଗ ଡାକ୍ତର ବନି ବାପାଙ୍କ ଚିକିତ୍ସା କରିବେ ।

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୫୫୮ ନମ୍ବର ରଖି ସାରା ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସହିଦନଗର ଶାନ୍ତିପଲ୍ଲୀ ବସ୍ତିର ଶୁଭଶ୍ରୀ ମହାରଣା । ଶୁଭଶ୍ରୀଙ୍କ ବାପା ଦିବ୍ୟାଙ୍ଗ ଓ ମା ରୋଗାଗ୍ରସ୍ତ । ଆର୍ଥିକ ଅଭାବ ଅନଟନ ଭିତରେ କିପରି ପୂରଣ ହେବ ଶୁଭଶ୍ରୀଙ୍କ ଜୀବନର ଲକ୍ଷ୍ୟ ଏବେ ସେହି ଚିନ୍ତାରେ ଏବେ ପୂରା ପରିବାର ।