ପ୍ରିୟଙ୍କାଙ୍କ ମିଶନ ଉତ୍ତରପ୍ରଦେଶ ! ହନୁମାନ ଓ ଗଙ୍ଗାଙ୍କ ପୂଜା ସହ ପ୍ରୟାଗରାଜରୁ କାଶୀ ଯାଏଁ ଆରମ୍ଭ କଲେ ଗଙ୍ଗା ଯାତ୍ରା, କହିଲେ ସଙ୍କଟରେ ଦେଶ । 

89

କନକ ବ୍ୟୁରୋ : ଗଙ୍ଗା ଯାତ୍ରା ସହ ଉତ୍ତର ପ୍ରଦେଶରେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରିୟଙ୍କା । ପ୍ରୟାଗରାଜଠୁ କାଶୀ ପର୍ଯ୍ୟନ୍ତ ଦୀର୍ଘ ୧୩୦ କିଲୋମିଟରର ଯାତ୍ରା କରୁଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଡ୍ରା । ସେ ଏହି ୪ ଦିନିଆ ଗସ୍ତ ବେଳେ ବିଭିନ୍ନ ସ୍ଥାନରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ଆଜି ଗସ୍ତ ଆରମ୍ଭ ପୂର୍ବରୁ ହନୁମାନଙ୍କ ପୂଜା କରିବା ସହ ଗଙ୍ଗାଙ୍କ ପୂଜା ମଧ୍ୟ କରିଥିଲେ ପ୍ରିୟଙ୍କା । ଏହା ସହ ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି, ଦେଶ ସଙ୍କଟଜନକ ସ୍ଥିତିରେ ଥିବାରୁ ବାଧ୍ୟ ହୋଇ ଘରୁ ବାହାରକୁ ଆସିଲି ।

ପ୍ରିୟଙ୍କାଙ୍କ ମିଶନ ୟୂୁପି । ୨୦୧୯ ପାଇଁ ପ୍ରୟାଗରାଜରୁ ପ୍ରିୟଙ୍କା ଆରମ୍ଭ କରିଛନ୍ତି ପ୍ରଚାର ଅଭିଯାନ । ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି  ଗଙ୍ଗା ଯାତ୍ରା ଆରମ୍ଭ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଡ୍ରା । ଏପରିକି ନିଜ ହାତରେ ଆଳତୀ ମଧ୍ୟ କରିଥିଲେ । ପରେ ଗଙ୍ଗା ଘାଟରେ ସେ ଗଙ୍ଗାପୂଜା ମଧ୍ୟ କରିଛନ୍ତି । ହନୁମାନ ପୂଜା କରିଥିବା ପ୍ରିୟଙ୍କା କହିଛନ୍ତି ଯେ ସେ ଭଗବାନଙ୍କୁ କିଛି ମାଗନ୍ତି ନାହିଁ, କେବଳ ଦେଶ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।

ପ୍ରିୟଙ୍କାଙ୍କ ଏହି ପୂଜାର୍ଚ୍ଚନା ତାଙ୍କ ହିନ୍ଦୁ ବିରୋଧୀ ଛବିକୁ ପ୍ରତିହତ କରିବାରେ ସହାୟକ ହୋଇଛି । ଅନେକ ସମୟରେ ବିରୋଧୀ ବିଜେପି ଓ ବିଭିନ୍ନ ଦକ୍ଷିଣପନ୍ଥୀ ସଙ୍ଗଠନ ପ୍ରିୟଙ୍କାଙ୍କୁ ଇସାଇ ବୋଲି କହି ସମାଲୋଚନା କରିଥାନ୍ତି । ଫଳରେ ପ୍ରିୟଙ୍କା ହନୁମାନଙ୍କ ପୂଜା କରି ବିଜେପିର ଏହି ଧାରଣାକୁ ଦୂର କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ପ୍ରିୟଙ୍କାଙ୍କ ଗଙ୍ଗାଯାତ୍ରାକୁ ସମାଲୋଚନା କରିଛି ବିଜେପି । ଗଙ୍ଗାଘାଟରେ କିଛି ଛାତ୍ରଙ୍କ ସହ ଆଲୋଚନା କରିବା ପରେ ଷ୍ଟିମର ଜରିଆରେ ବାରାଣାସୀ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରିୟଙ୍କା  । ଦୀର୍ଘ ୧୩୦ କିଲୋମିଟର ସେ ବୋଟ ଯାତ୍ରା କରିବେ । ଏହି ଗସ୍ତ ଅବସରରେ ସେ ଆହୁରି ଅନେକ ମନ୍ଦିରକୁ ଯିବେ ଏବଂ ପୂଜାଚ୍ଚର୍ନା କରିବେ । ଏହାସହ ଗଙ୍ଗାକୁଳରେ ବସବାସ କରୁଥିବା ଲୋକଙ୍କ ସହ ପ୍ରିୟଙ୍କା ସିଧାସଳଖ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।