ଆରମ୍ଭ ହେଲା ରତ୍ନଭଣ୍ଡାରରେ ପ୍ରବେଶ ପାଇଁ ପ୍ରସ୍ତୁତି ! ଧୋତି ଗାମୁଛା ପିନ୍ଧି, ମୁଣ୍ଡରେ ଲାଇଟ ଲଗାଇ ଭଣ୍ଡାର ଘରକୁ ଯିବେ ଯାଂଚ ଟିମ୍

52

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଯାଂଚ୍ ପାଇଁ ହାଇକୋର୍ଟ ଦେଇଥିବା ଅବଧୀ ଆଜି ଶେଷ ହୋଇଛି । କିନ୍ତୁ ରତ୍ନଭଣ୍ଡାରର ସ୍ଥିତି ଯାଂଚ୍ କରାଯାଇପାରିନାହିଁ । ଗତକାଲି ନାଁକୁ ମାତ୍ର କିଛି ବିଶେଷଜ୍ଞ ଓ କୋର୍ କମିଟି ସଦସ୍ୟ ଭଣ୍ଡାର ଘର ବାହାରୁ ସ୍ଥିତି ଅନୁଧ୍ୟାନ କରି କହିଥିଲେ, ରତ୍ନଭଣ୍ଡାରରେ ପ୍ରବେଶ କରି ସ୍ଥିତି ଯାଂଚ୍ କରିବା ନିହାତି ଆବଶ୍ୟକ । ସେପଟେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ରତ୍ନଭଣ୍ଡାରରେ ପ୍ରବେଶ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି । ଅନ୍ୟପଟେ ଏକ ସପ୍ତାହ ଭିତରେ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟର ବା ଏସଓପି ପ୍ରସ୍ତୁତ କରାଯାଉଛି । ଏହି ଏସଓପିରେ କେମିତି ରତ୍ନଭଣ୍ଡାର ଭିତରେ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ପ୍ରବେଶ କରିବେ ତାର ରୂପରେଖ ପ୍ରସ୍ତୁତ କରାଯାଉଛି ।

 

ଜଣେ ବରିଷ୍ଠ ଅଧିକାରୀଙ୍କ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଧୋତି ଓ ଗାମୁଛା ପିନ୍ଧି ରତ୍ନ ଭଣ୍ଡାରକୁ ପ୍ରବେଶ କରିବେ । ଦେହରେ କୌଣିସି ଅଳଙ୍କାର, ମୁଦି କିମ୍ବା ଅନ୍ୟ କୌଣସି ପ୍ରସାଧନ ସାମଗ୍ରୀ ପିନ୍ଧିବେ ନାହିଁ । କେବଳ ଚଷମା ବ୍ୟବହାର କରିବାକୁ ଅନୁମତି ଦିଆଯିବ । ଏହା ଛଡା ଖଣି ଅଂଚଳରେ ବ୍ୟବହାର ହେଉଥିବା ଏଲଇଡି ଲାଇଟ ମୁଣ୍ଡରେ ଲଗାଇବାକୁ ବ୍ୟବସ୍ଥା କରାଯିବ । ଖୁବ ଉଜ୍ଜଳ ଭାବେ ଜଳୁଥିବା ଏହି ଲାଇଟ ସେମାନଙ୍କୁ ଘନ ଅନ୍ଧକାର ଭିତର ବାଟ କଢେଇନେବ ।

 

ରତ୍ନ ଭଣ୍ଡାର ଯାଂଚ ସମୟରେ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହି ସମୟରେ ବାହାରେ ଆମ୍ବୁଲାନ୍ସ ମଧ୍ୟ ରଖାଯିବ । ଏଥିସହ ଡାକ୍ତର ମଧ୍ୟ ଉପସ୍ଥିତ ରହିବେ । ସେହିପରି ଭଣ୍ଡାର ଘର ଯାଂଚ ସମୟରେ ସାପ ଧରାଳିଙ୍କୁ ଡକାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏଥିପାଇଁ ସ୍ନେକ ହେଲପଲାଇନକୁ ଯୋଗା ଯୋଗ କରାଯିବ । କାରଣ ଶହ ଶହ ବର୍ଷ ଧରି ବନ୍ଦ ହୋଇ ପଡିଥିବା ଭଣ୍ଡାର ଘରେ ସାପ ଥିବାର ଅନେକ ସମ୍ଭାବନା ରହିଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨ରୁ ୩ ଦିନ ଭିତରେ ରତ୍ନ ଭଣ୍ଡାରରେ ପ୍ରବେଶ ପାଇଁ ସରକାର ଅନୁମତି ଦେଇପାରନ୍ତି ଏବଂ ୨୯ ତାରିଖ ଛତିଶା ନିଯୋଗ ବୈଠକ ପରେ ରତ୍ନ ଭଣ୍ଡାରରେ ପ୍ରବେଶ ନେଇ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବ ।

ତେବେ ରତ୍ନ ଭଣ୍ଡାର ପ୍ରବେଶ ସମୟରେ ସେଠାରେ କଣ ଅଛି ତାହା ଉପରେ ସଦସ୍ୟ ମାନେ ନଜର ପକାଇବେ ନାହିଁ ଓ ବାହାରେ କାହାକୁ ଏ ବାବଦରେ କୌଣସି ସୂଚନା ଦେବେ ନାହିଁ ବୋଲି ଭଣ୍ଡାର ଘରେ ପ୍ରବେଶ କରିବାକୁ ଥିବା ସଦସ୍ୟଙ୍କୁ ସତର୍କ କରାଇ ଦିଆଯିବ ।